ସତ୍ୟକୁ ଜୀବନର ଆଧାର କରିବା ହିଁ ଈଶ୍ବର ଆରାଧନା: ରାଜ୍ୟପାଳ

ଭୁବନେଶ୍ବର: ସତ୍ୟ ହିଁ ଈଶ୍ବର। ସତ୍ୟ ଗୁଣାତୀତ, କାଳାତୀତ। ସତ୍ୟକୁ ଜୀବନର ଆଧାର କରିବା ହିଁ ଈଶ୍ବରଙ୍କ ଆରାଧନା ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଦୈନିକ ସମ୍ବାଦପତ୍ର ‘ଓଡ଼ିଶା ଏକ୍ସପ୍ରେସ୍‌’ର ୨୪ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ୍‌ କହିଲେ, ପରହିତ ପାଇଁ ସମର୍ପିତ ଜୀବନ ଧନ୍ୟ। ବାଣୀରେ ମଧୁରତା, ଆଖିରେ କରୁଣା ଓ ସତ୍ୟ ପ୍ରତି ଅଙ୍ଗୀକାରବଦ୍ଧତା ଜୀବନକୁ ଉଚ୍ଚ ସୋପାନକୁ ନେଇଥାଏ। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ କୃପାସିନ୍ଧୁ ମିଶ୍ର ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବତାରଣା କରିବା ସହ ସତ୍ୟନିଷ୍ଠତାର ଗୁରୁତ୍ବ ସମ୍ପର୍କରେ କହିଥିଲେ। ଓଡ଼ିଶା ଏକ୍ସପ୍ରେସ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦିକା ଅମ୍ବିକା ପ୍ରସାଦ ଦାସ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସମ୍ପାଦକ ଉମାପଦ ବୋଷ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷାବିତ୍‌ ଶରତ ଚନ୍ଦ୍ର ପଣ୍ଡା ଗଣମାଧ୍ୟମର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସଙ୍କ ‘ସତ କହିବାକୁ କିଆଁ ଡରିବି’ର ଦ୍ବିତୀୟ ଭାଗକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ପରେ କଣ୍ଠଶିଳ୍ପୀ ନାଜିଆ ଆଲମ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର