ଭୁବନେଶ୍ବର: ପାରମ୍ପରିକ କଳା ସାମଗ୍ରୀର ବିକ୍ରିବଟା ସହ କାରିଗରଙ୍କୁ ବଜାର ଯୋଗାଇଦେବା ଉଦ୍ଦେଶ୍ୟରେ ଛିଡ଼ା ହୋଇଥିବା ଏକାମ୍ର ହାଟ ରାଜ୍ୟର ଏକମାତ୍ର ସଫଳ କାରିଗର ହାଟ। ଉତ୍ସବ ଆୟୋଜନ, ସ୍ବାଦିଷ୍ଟ ଖାଦ୍ୟପେୟର ସୁବିଧା ଏବଂ ବସାଉଠା ପାଇଁ ମନୋହର ପରିବେଶ ଯୋଗୁଁ ପ୍ରତିଦିନ ଲୋକଙ୍କ ଭିଡ଼ ଜମେ। ଫଳରେ କାରିଗରମାନେ ଏହା ମଧ୍ୟରେ ନିଜର ପାରମ୍ପରିକ କଳା ସାମଗ୍ରୀର ଦୋକାନ ଖୋଲି ଗୁଜରାଣ ମେଣ୍ଟାନ୍ତି। ମାତ୍ର କରୋନା ମୁକାବିଲା ପାଇଁ ଲକଡାଉନ୍ ପରଠୁ କଳା କାରିଗରୀର ବିକ୍ରିବଟାରେ ତାଲା ପଡ଼ିଛି। ଏହା କେବଳ ପାରମ୍ପରିକ କଳା କାରିଗରଙ୍କ ପେଟକୁ ଲାତ ମାରିନାହିଁ, ଆସନ୍ନ ଭବିଷ୍ୟତକୁ ନେଇ ଆଶଙ୍କା କାରିଗରଙ୍କୁ ଚିନ୍ତାରେ ବୁଡ଼ାଇଛି। ସରକାର ଷ୍ଟଲ୍ଗୁଡ଼ିକର ଯେଉଁ ଭଡ଼ା ପ୍ରତି ମାସରେ ନେଉଛନ୍ତି, ଅନ୍ତତଃ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ତାହା ଛାଡ଼ କରିବାକୁ ଏକାମ୍ର ହାଟ ଶିଳ୍ପୀସଂଘ ମୁଖ୍ୟମନ୍ତ୍ରୀଙ୍କ ପାଖେ ଗୁହାରି କରିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଇଡ୍କୋ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗକୁ ଚିଠି ଲେଖି କାରିଗରଙ୍କ ସମସ୍ୟା ବାବଦରେ ଅବଗତ କରିବା ସହ ସହାୟତା ଲୋଡ଼ିଛି ଶିଳ୍ପୀ ସଂଘ।
Sambad is now on WhatsApp
Join and get latest news updates delivered to you via WhatsApp
ସଂଘର ସଭାପତି ଦିଲ୍ଲୀପ ହାଲିଙ୍କ କହିବା ମୁତାବକ, କାରିଗରମାନେ ମୁଖ୍ୟତଃ କ୍ଷୁଦ୍ର ବ୍ୟବସାୟୀ ଏବଂ ଆତ୍ମନିର୍ଭରଶୀଳ। ଋତୁଭିତ୍ତିକ ଖୁଚୁରା ବେପାରରେ ସେମାନଙ୍କ ପରିବାରର ଗୁଜରାଣ ମେଣ୍ଟେ। ଶିଳ୍ପୀମାନେ ସେଇଠାରେ ହିଁ ସିଧାସଳଖ ନିଜର କଳାକୃତି ପ୍ରସ୍ତୁତ କରି ବିକ୍ରିବଟା କରନ୍ତି। ବାହାରୁ ଅର୍ଡର୍ ନେଇ କାମ ମଧ୍ୟ କରନ୍ତି। ମାତ୍ର ଏଇ କିଛି ବର୍ଷ ମଧ୍ୟରେ ବିମୁଦ୍ରୀକରଣ, ଜିଏସ୍ଟି, ବଜାର ମାନ୍ଦାବସ୍ଥା ଓ ଫନି ମହାବାତ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇ ଆସିଛନ୍ତି। ଧୀରେଧୀରେ ସେଥିରୁ ମୁକୁଳିବାକୁ ପ୍ରୟାସ କରୁଥିବା ବେଳେ ପୁଣି କରୋନାର ଏ ଲମ୍ବା ଅବଧିର ଲକ୍ଡାଉନ୍ ବହୁ ପରିମାଣରେ କ୍ଷତି ପହଞ୍ଚାଇଛି। ଖାଲି ସେତିକି ନୁହେଁ, ଏକାମ୍ର ହାଟରେ ଥିବା କାରିଗରମାନଙ୍କ ଦୋକାନ ଗୃହ ପୁରୁଣା ହୋଇଯାଇଥିବାରୁ ସାମାନ୍ୟ ବର୍ଷାରେ ପାଣି ଗଳି କଳାକୃତିଗୁଡ଼ିକ କ୍ଷତିଗ୍ରସ୍ତ ହୁଏ। ଅନ୍ୟ ସମୟରେ ଯଦିଓ ସେଠାରେ କାରିଗରମାନେ ଥିବାରୁ କଳାକୃତିଗୁଡ଼ିକର ଯତ୍ନ ନେଇ ହୁଏ, ମାତ୍ର ଘରେ ତାଲାବନ୍ଦ ଯୋଗୁଁ ଏବେ ତାହା ସମ୍ଭବ ନୁହେଁ। ଇତିମଧ୍ୟରେ ଦୁଇଥର ବର୍ଷା ହେବା ପରେ କଳାକୃତିଗୁଡ଼ିକର ଅବସ୍ଥା କେମିତି ଥିବ, ତାହା ବି କାରିଗରମାନେ ଦେଖିବାକୁ ଯାଇ ପାରୁନାହାନ୍ତି। ଗୋଟେପଟେ କରୋନା ଲକଡାଉନ୍କାଳୀନ ଦୁଃଖ, ଅନ୍ୟପଟେ ବର୍ଷା ଯୋଗୁଁ କଳାକୃତିଗୁଡ଼ିକର ଅବସ୍ଥା କ’ଣ ଥିବ ଭାବି ରାତିରେ ନିଦ ହେଉ ନାହିଁ ବୋଲି କହିଛନ୍ତି ଚିତ୍ରଶିଳ୍ପୀ ତଥା ସଂଘର ସମ୍ପାଦକ ଚିନ୍ତାମଣି ବିଶ୍ବାଳ। ସେ କହିଛନ୍ତି, ଅନ୍ୟ ସ୍ଥାନରେ ଏହିଭଳି ହାଟର ପରିକଳ୍ପନା କରାଯାଇଥିଲେ ମଧ୍ୟ ତାହାର ସଫଳ ରୂପାୟନ ହୋଇପାରି ନଥିଲା। କିନ୍ତୁ ଏକାମ୍ର ହାଟ ଏବେ ବି ଲୋକପ୍ରିୟତା ବଜାୟ ରଖିଛି ଏବଂ ପର୍ଯ୍ୟଟକମାନଙ୍କ ଗନ୍ତବ୍ୟସ୍ଥଳ ପାଲଟିଛି। ମାତ୍ର ଏବେ ପର୍ଯ୍ୟଟକ ଆସିବା ବାଟ ବନ୍ଦ। ପୁଣି କେବେ ବାହାର ପର୍ଯ୍ୟଟକଙ୍କୁ ଆସିବାକୁ ଅନୁମତି ମିଳିବ, ତାହା ବି କହି ହେବନାହିଁ। ତେଣୁ ଆଶା, ଆଶଙ୍କା ଓ ଭବିଷ୍ୟତକୁ ନେଇ କାରିଗରମାନଙ୍କ ମାନସିକ ସ୍ଥିତି ଦୋହଲି ଯାଇଛି। ଏ ବିପତ୍ତି ସମୟରେ ସରକାର ସମସ୍ତଙ୍କ କଥା ବିଚାରକୁ ନେଉଥିବା ବେଳେ ଏକାମ୍ର ହାଟର କାରିଗରମାନଙ୍କ ପ୍ରତି ଟିକେ ସହୃଦୟ ହେବା ପାଇଁ ସେ ନିବେଦନ କରିଛନ୍ତି।
ଏକାମ୍ର ହାଟ ମଧ୍ୟରେ ଶିଳ୍ପୀ ଓ କାରିଗରଙ୍କର ମୋଟ୍ ୫୨ ଗୃହ ବ୍ୟତୀତ ୧୦ଟି ଖାଦ୍ୟ ପରଷା ଗୃହ ତଥା ଫୁଡ୍ଷ୍ଟଲ୍ ରହିଛି। ଏହା ମଧ୍ୟରେ କେବଳ ଓଡ଼ିଶାର କାରିଗର ନୁହେଁ, ବରଂ ଉତ୍ତରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ଛତିଶଗଡ଼, ଜମ୍ମୁ କଶ୍ମୀର, ବିହାର, ପଞ୍ଜାବ, ଆସାମ, ମେଘାଳୟ, ହରିୟାଣାର ଶିଳ୍ପୀମାନେ ମଧ୍ୟ ନିଜର କାରିଗରୀ ସାମଗ୍ରୀର ବିକ୍ରିବଟା କରିଆସୁଛନ୍ତି। ଶିଳ୍ପୀମାନେ ଲକଡାଉନ୍ ଯୋଗୁଁ କ୍ଷତିରେ ପଡ଼ିଥିବାରୁ, ଯଦି ଏ ସମୟରେ ସରକାର କିଞ୍ଚିତ ସହାୟତା ପୂର୍ବକ ୩-୪ ମାସର ଭଡ଼ା ଛାଡ଼ କରିପାରନ୍ତେ, ତେବେ ଶିଳ୍ପୀମାନେ ସାମାନ୍ୟ ଆଶ୍ବସ୍ତ ହୋଇପାରନ୍ତେ ବୋଲି ସଂଘର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକ କହିଛନ୍ତି। ଏହାବ୍ୟତୀତ ଅନେକ ଶିଳ୍ପୀ କ୍ଷତି ସହିଥିବାରୁ ସେମାନଙ୍କୁ ପୁଣି ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।