ସରିଲା ତୋଷାଳି ମେଳା, ୨୨କୋଟିର କାରବା‌ର

ଭୁବନେଶ୍ବର: ଶେଷ ହୋଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୩ ଦିନ ଧରି ଚାଲି ଆସୁଥିବା ଏହି ମେଳାରେ ହସ୍ତଶିଳ୍ପ ବିଭାଗରେ ୧୦ କୋଟି ୫୪ଲକ୍ଷ ୬୩ ହଜାର, ହସ୍ତତନ୍ତ ବିଭାଗରେ ୮କୋଟି ୨୨ଲକ୍ଷ ୧୦ ହଜାର ଓ ଫୁଡ୍‌ କୋର୍ଟରେ ୩ କୋଟି ୧୪ଲକ୍ଷ ୭୬ ହଜାର ଟଙ୍କାର ବିକ୍ରିବଟା ହୋଇଛି। ମୋଟ୍‌ ୨୧କୋଟି ୯୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି। ଆଜି ଏହାର ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ବୟନଶିଳ୍ପ ନିର୍ଦେଶକ ଜ୍ୟୋତିପ୍ରକାଶ ଦାସ, ହସ୍ତଶିଳ୍ପ ଓ କୁଟୀରଶିଳ୍ପର ବସନ୍ତ କୁମାର ଦାଶ, ବିଭାଗୀୟ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ‘ସହାୟ’ ଓ ‘ସ୍ବାଭିମାନ’ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅନୁଷ୍ଠାନର ଗୁରୁ ସୁସ୍ମିତା ରାଉତରାୟ ଓ ଲିଜା ପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥିସହ ଅସିତ ମହାପାତ୍ର ଓ ମୋହିତ ମହାପାତ୍ରଙ୍କ ତବଲା ଓ ବଂଶୀବାଦନର ଯୁଗଳବନ୍ଦୀ ପରିବେଷଣ କରାଯାଇଥିଲା। ସାର୍ଥକ ଦ୍ବିବେଦୀ, ମିଥିଳେଶ ପଟ୍ଟନାୟକ ଓ ଶକ୍ତିସ୍ବରୂପ ବୀର କଳା ପ୍ରଦର୍ଶନ କରିଥିଲେ। ଭିଜିଲାନ୍‌ସ ସଚେତନତା ସପ୍ତାହ ଅବସରରେ ପୂର୍ବରୁ ହୋଇଥିବା ସ୍ଳୋଗାନ ପ୍ରତିଯୋଗିତାର ୮ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର