ସହଯୋଗ ପାଇଁ ପ୍ରଶାସନର ନିବେଦନ, ହାଣ୍ଡିଭଙ୍ଗା ଯାତ ବୈଠକ

ପୁରୁଣା ଭୁବନେଶ୍ୱର: ଆସନ୍ତା ଶନିବାର ପଡ଼ୁଥିବା ହାଣ୍ଡିଭଙ୍ଗା ଯାତ ପରମ୍ପରା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ କପିଳେଶ୍ବର ମନ୍ଦିରର ମଲିଆ ଓ ଖୁଣ୍ଟିଆ ସେବାୟତଙ୍କୁ ଡାକି ଆଲୋଚନା କରିଛି। ତେବେ କୌଣସି ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କଡ଼ା ପୁଲିସ ବ୍ୟବସ୍ଥା କରାଯାଇ ବୈଠକରେ ଉଭୟଙ୍କ ମତ ନିଆଯାଇଛି। ପ୍ରକାଶଥାଉକି ଗତ ୫ବର୍ଷ ହେଲା ବନ୍ଦ ହୋଇଥିବା ଏହି ଯାତ୍ରାକୁ ପୁଣି କରାଇବା ପାଇଁ ଆଜି ଉପଜିଲ୍ଲାପାଳ ଦେବବ୍ରତ ସାହୁ ଉଭୟ ସେବାୟତଙ୍କୁ ଡକାଇ ଆଲୋଚନା କରିଥିଲେ। କୋର୍ଟଙ୍କ ନିର୍ଦେଶ, ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି ଓ ଜମିବାଡ଼ି ସମ୍ପର୍କରେ ଆଲୋଚନା ହୋଇଥିଲା। ଉଭୟ ଗୋଷ୍ଠୀର ପ୍ରାୟ ୧୦ରୁ ଊର୍ଦ୍ଧ୍ବ ସଭ୍ୟ ଏଥିରେ ସାମିଲ ହୋଇଥିଲେ। ପ୍ରଥମ ଥର ଉଭୟ ଗୋଷ୍ଠୀଙ୍କର ଏକାଠି ବୈଠକ ହୋଇଥିବା ବେଳେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ତେବେ ପ୍ରଶାସନ ଉଭୟଙ୍କୁ ସହଯୋଗ ପାଇଁ ନିବେଦନ କରିଥିଲା। ଏଥିରେ ପୁଲିସ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ବିଏମ୍‌ସି ଡେପୁଟି କମିସନର ଅବନୀକାନ୍ତ ପଟ୍ଟନାୟକ ଓ ବିଭିନ୍ନ ଟ୍ରଷ୍ଟି ଉପସ୍ଥିତ ଥିଲେ। ଏନେଇ ଶ୍ରୀ ସାହୁ କୁହନ୍ତି କପିଳେଶ୍ୱର ମନ୍ଦିରରେ ସେବାୟତମାନଙ୍କ ବିବାଦ ଯୋଗୁଁ ଗତ ୫ବର୍ଷ ହେଲା ହାଣ୍ଡିଭଙ୍ଗା ଯାତ ବନ୍ଦ ରହିଥିଲା। ପରମ୍ପରାକୁ ବଜାୟ ରଖିବାକୁ ହାଇକୋର୍ଟଙ୍କ ନିର୍ଦେଶ ରହିଥିବା ବେଳେ ଦେବୋତ୍ତର ବିଭାଗ ଓ ଜିଲ୍ଲାପାଳ ଏହାକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଏହି ପରମ୍ପରା ବଜାୟ ରଖିବା ପାଇଁ ଉଦ୍ୟମ ଚାଲିଛି। ସୂଚନାଥାଉକି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ପରମ୍ପରା ବଜାୟ ରଖିବାକୁ ଚାପ ପ୍ରୟୋଗ କରିଛନ୍ତି। ନଚେତ ନୀତି ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର