ସାଇବର ପୁଲିସ ପଞ୍ଝାରେ ଧୂର୍ତ୍ତ; ୧୦ କମ୍ପାନିର ନକଲି ପ୍ରଶାସକ, ଚାକିରି ନାଁରେ ୫୦ରୁ ଅଧିକଙ୍କୁ ଲୁଟିଛି

ଭୁବନେଶ୍ବର : ନିଜକୁ ବଡ଼ବଡ଼ ନାମୀ କମ୍ପାନିର ପ୍ରଶାସକ ଓ ମାନବ ସମ୍ବଳ ଅଧିକାରୀ ବୋଲି ପରିଚୟ ଦେଇ ଚାକିରି କରାଇଦେବା ବାହାନାରେ ଠକୁଥିବା ଜଣେ ବଡ଼ ଧୂର୍ତ୍ତକୁ ଗିରଫ କରିଛି ସାଇବର ଥାନା ପୁଲିସ। ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଇ ବେକାର ତଥା ନିଯୁକ୍ତି ଆଶାୟୀ ଯୁବକଯୁବତୀଙ୍କୁ ଠକୁ୍‌ଥିବା ଧୂର୍ତ୍ତ ହେଲା ମଞ୍ଚେଶ୍ବର ଥାନା ଇଞ୍ଜଣାରେ ରହୁଥିବା ଢେଙ୍କାନାଳ ମୋତଙ୍ଗର ଦିଲ୍ଲୀପ କୁମାର ବେହେରା(୩୮)। ପୁଲିସ ତା’ଠାରୁ ନକଲି ପରିଚୟପତ୍ର, ୩ଟି ମୋବାଇଲ୍‌ ଫୋନ୍‌ ସେଟ୍‌ ଓ ଜାଲ୍‌ ନିଯୁକ୍ତିପତ୍ର ଜବତ କରିଛି। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

କେମିତି ଠକୁଥିଲା
ଭୁବନେଶ୍ବରର ଶାନ୍ତନୁ ଷଡ଼ଙ୍ଗୀଙ୍କ ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ମାସରେ କିଛି ଗଣମାଧ୍ୟମରେ ନିଯୁକ୍ତି ବିଜ୍ଞାପନ ବାହାରିଥିଲା। ବିଜ୍ଞାପନରେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରିବା ପରେ ଧୂର୍ତ୍ତ ଦିଲ୍ଲୀପ ତାଙ୍କୁ ନାଲ୍‌କୋରେ ସିଏସ୍‌ଆର୍ ପଦବି ଲାଗି ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ଜଣାଇଥିଲା। ତେଣୁ ତା’ ପରାମର୍ଶ ଅନୁସାରେ ଶାନ୍ତନୁ ମେଲ୍‌ରେ ନିଜର ବାୟୋଡାଟା ପଠାଇବା ସହିତ ପ୍ରୋସେସିଂ ଫି’ ବାବଦକୁ ୩୨୦୦ଟଙ୍କା ପଠାଇଥିଲେ। ଟଙ୍କା ଓ ବାୟୋଡାଟା ପାଇବା ପରେ ଦିଲ୍ଲୀପ ନାଲ୍‌କୋର ପ୍ୟାଡ୍ ନକଲ କରି ଶାନ୍ତନୁଙ୍କୁ ମେଲ୍‌ ଜରିଆରେ ଏକ ପ୍ରୋଭିଜିନାଲ୍ ନିଯୁକ୍ତି ପତ୍ର ପଠାଇଥିଲା। ସେଥିରେ ତାଙ୍କ ଦରମା ୪୫ ହଜାର ଟଙ୍କା ବୋଲି ଉଲ୍ଲେଖ ଥିଲା। ନିଯୁକ୍ତି ପତ୍ର ଅନୁସାରେ ଏପ୍ରିଲ ୭ରେ ଦିଲ୍ଲୀପକୁ ଭେଟିବା ପାଇଁ ଶାନ୍ତନୁ ନାଲ୍‌କୋର କାମ ଚାଲିଥିବା ଏକ ସାଇଟ୍‌କୁ ଡାକିଥିଲା। ସେଠାରେ ଦିଲ୍ଲୀପ ନିଜକୁ ନାଲ୍‌କୋର ଆଡ୍‌ମିନିଷ୍ଟ୍ରେଟିଭ୍‌ ବିଭାଗ ମୁଖ୍ୟ ବୋଲି ପରିଚୟ ଦେଇଥିଲା। ତେବେ ପରେ ଶାନ୍ତନୁ ଠକାମିର ଶିକାର ହୋଇଥିବା ଜାଣିବା ବେଳକୁ ଆଉ ଦିଲ୍ଲୀପର ଦେଖାଦର୍ଶନ ନଥିଲା। ତେଣୁ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ସାଇବର ଥାନା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଜଣାଗଲା ଯେ ଦିଲ୍ଲୀପ ଏକ ଗଣମାଧ୍ୟମରେ ଓପିଜିସି ପାଵାର ପ୍ଲାଣ୍ଟ୍‌ ନାଁରେ ବିଜ୍ଞାପନ ଦେଇଥିଲା। ବିଭିନ୍ନ ବର୍ଗର ୮୫ଟି ପଦବି ଫାଙ୍କା ଥିବା ଦର୍ଶାଇ ୭ଦିନ ମଧ୍ୟରେ ଯୋଗାଯୋଗ କରିବାକୁ କହିଥିଲା। ଅରୁଣ ଶ୍ରୀବାସ୍ତବ(ଆଡ୍‌ମିନିଷ୍ଟ୍ରେଟର୍)ଙ୍କୁ ଯୋଗାଯୋଗ କରିବାକୁ ଉଲ୍ଲେଖ କରି ନିଜର ଏକ ମୋବାଇଲ୍‌ ନମ୍ବର ଦେଇଥିଲା। ଏହିଭଳି ନିଯୁକ୍ତି ନାଁରେ ମାଳମାଳ ନାମୀଦାମୀ କମ୍ପାନିର ମିଥ୍ୟା ବିଜ୍ଞାପନ ଦେଇ ସେ ୫୦ରୁ ଅଧିକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଧୂର୍ତ୍ତ ଦିଲ୍ଲୀପ ଥିଲା ବହୁରୂପୀ। ଗ୍ରାଜୁଏସନ୍ କରିନଥିବା ଦିଲ୍ଲୀପ ନିଜକୁ ପ୍ରଶାସକ ଓ ମାନବସମ୍ବଳ ଅଧିକାରୀ ବୋଲି ପରିଚୟ ଦେଉଥିଲା। ଚାକିରି ପାଇଁ ସାକ୍ଷାତ୍‌ କରିବାକୁ ଆସୁଥିବା ଯୁବକ ଯୁବତୀଙ୍କୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସ୍ଥିତ ବିଭିନ୍ନ ଶିଳ୍ପସଂସ୍ଥା ସମ୍ମୁଖରେ ଛିଡ଼ା କରାଇ ଭୂଆଁ ବୁଲାଉଥିଲା।

ସମ୍ବନ୍ଧିତ ଖବର