ସାହିତ୍ୟ ମଣିଷକୁ ଆତ୍ମବିଶ୍ୱାସୀ କରାଏ

‘ତୀରତରଙ୍ଗ’ର ଦ୍ବାବିଂଶ ସ୍ବନକ୍ଷତ୍ର ଉତ୍ସବ ଓ ସମ୍ବର୍ଧନା ସମାରୋହ

ଭୁବନେଶ୍ବର: ସାହିତ୍ୟ ଓ ଫିଚର୍‌ ପତ୍ରିକା ‘ତୀରତରଙ୍ଗ’ର ଦ୍ବାବିଂଶ ସ୍ବନକ୍ଷତ୍ର ଉତ୍ସବ ଓ ସମ୍ବର୍ଧନା ସମାରୋହ ଆଜି ସଂଧ୍ୟାରେ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଅକାଦେମି ଆବାହାକ ଡ.ବିଜୟାନନ୍ଦ ସିଂହ ଏଥିରେ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଥିଲେ, ନାରୀର ଏକ ଗୁଣ, ସେ ତା’ ଇଚ୍ଛାରେ ବଞ୍ଚିବ। କିନ୍ତୁ ଏଥିରେ ପୁରୁଷର ସହମତି ଥିବା ଆବଶ୍ୟକ। ନାରୀଟିଏ ପୁରୁଷଠାରୁ ବହୁ ଆଗରେ। କାରଣ ନାରୀଟିଏ ହିଁ ମାତୃତ୍ବ ଲାଭ କରିପାରିଥାଏ। ମୁଖ୍ୟବକ୍ତା ଭାବେ ଯୋଗଦେଇ କଥାକାର ତଥା ‘ସମ୍ବାଦ’ ସମ୍ପାଦକ(ଫିଚର) ଗୌରହରି ଦାସ କହିଥିଲେ, ସାହିତ୍ୟ ମଣିଷର ଚେତନାକୁ ଉଦ୍‌ଭାସିତ କରିବା ସହ ଆତ୍ମପ୍ରତ୍ୟୟ ଏବଂ ଆତ୍ମବିଶ୍ବାସୀ କରିଥାଏ। ଏହି ଅବସରରେ ତୀରତରଙ୍ଗ ପକ୍ଷରୁ ବୈଦିକ ବିଦ୍ୟାନ ଇଂ ପ୍ରିୟବ୍ରତ ଦାସ, ଇଂ ବ୍ରଜବନ୍ଧୁ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ଡ. ବିକାଶ ପଣ୍ଡାଙ୍କୁ  ପ୍ରଥମ ବେଦ ବିଦ୍ବାନ ସମ୍ମାନ ପ୍ରଦାନ କରାଯାଇଥିଲା। ଗାଳ୍ପିକା ସୁସ୍ମିତା ବାଗ୍‌ଚୀଙ୍କୁ ଚଳିତ ବର୍ଷର ତୀରତରଙ୍ଗ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଗଳ୍ପ ପାଇଁ ରବି ପଣ୍ଡା, ଗୀତି କବିତା ପାଇଁ ଧନଞ୍ଜୟ ସ୍ବାଇଁ, ଫିଚର ପାଇଁ ବିଘ୍ନେଶ୍ବର ସାହୁ, ଶ୍ରେଷ୍ଠ ସମ୍ପାଦନା ପାଇଁ ଅମିୟ ପାଣ୍ଡବ, କବିତା ପାଇଁ ସୁଶାନ୍ତ କୁମାର ନାୟକ, ଯୁବ ଗାଳ୍ପିକ ଭାବେ ଚିତ୍ତରଂଜନ ଚିରଞ୍ଜିତ ଓ ପୃଷ୍ଠପୋଷକ ଭା‌ବେ ସଞ୍ଜୟ ମିଶ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଇଂ ବ୍ରଜବନ୍ଧୁ ପଣ୍ଡାଙ୍କ ଦ୍ବାରା ରଚିତ ‘ବୈଦିକ ବନ୍ଦନ’ ଓ  ବନ୍ଦନା ମିଶ୍ରଙ୍କ ଗଳ୍ପ ସଂକଳନ ‘ଏକା ଏକା ଜୀବନ’କୁ ଅତିଥିମାନେ ପାଠକାର୍ପିତ କରିଥିଲେ।

ସମ୍ବନ୍ଧିତ ଖବର