ସିଏନ୍‌ଜି ନ ମିଳିବାରୁ ଟାଙ୍କିରେ ଉତ୍ତେଜନା

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ୨ଟି ସିଏନ୍‌ଜି ଟାଙ୍କିରେ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଟାଙ୍କିରେ ସିଏନ୍‌ଜି ଗ୍ୟାସ୍ ମହଜୁଦ୍‌ ନଥିବାରୁ ଦୀର୍ଘ ସମୟ ଧରି ସେଠାରେ ଅପେକ୍ଷା କରି ରହିଥିବା ଅଟୋ ଚାଳକ ଓ ଟାଙ୍କି କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଥିବା ଖବର ପାଇ ଗେଲ୍‌ ଇଣ୍ଡିଆର କର୍ମଚାରୀ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଅଟୋ ଚାଳକଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ୪ ଘଣ୍ଟା ପରେ ସିଏନ୍‌ଜି ଫିଲିଂ ଟ୍ରକ୍‌ ଟାଙ୍କିରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଚନ୍ଦ୍ରଶେଖରପୁର ଅଧୀନରେ ଥିବା ୨ଟି ଟାଙ୍କିରେ ହଠାତ୍‌ ସିଏନ୍‌ଜି ଗ୍ୟାସ୍ ଶେଷ ହୋଇଯାଇଥିଲା। ଫଳରେ ଗ୍ୟାସ୍‌ ଫିଲିଂ ପାଇଁ ଆସିଥିବା ଅଟୋଗୁଡ଼ିକ ଟାଙ୍କି ନିକଟରେ ଲମ୍ବା ଧାଡ଼ିରେ ଠିଆ ହୋଇ ରହିଥିଲେ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ ଗ୍ୟାସ୍ ନ ମିଳିବାରୁ ଟାଙ୍କି କର୍ମଚାରୀ ଓ ଅଟୋ ଚାଳକମାନଙ୍କ ମଧ୍ୟରେ କଥା କଟାକଟି, ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଟୋ ଚାଳକମାନଙ୍କ ଅଭିଯୋଗ ହେଲା, ସହରର କେବଳ ନିର୍ଦ୍ଦିଷ୍ଟ କେତେକ ଟାଙ୍କିରେ ସିଏନ୍‌ଜି ଗ୍ୟାସ୍‌ ଫିଲିଂର ବ୍ୟବସ୍ଥା ରହିଛି। ଫଳରେ ସେମାନେ ଯେଉଁଠି ବି ଥିଲେ, ସେହି ନିର୍ଦ୍ଦିଷ୍ଟ ଟାଙ୍କିକୁ ଆସି ସିଏନ୍‌ଜି ଫିଲିଂ କରିବାକୁ ବାଧ୍ୟ ହେଉଛନ୍ତି। ତା’ ସାଙ୍ଗକୁ ଆଜି ଭଳି ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କ ବ୍ୟବସାୟ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ସେମାନେ କହିଛନ୍ତି। ତେଣୁ ଭୁବନେଶ୍ୱରର ପ୍ରାୟ ପ୍ରତି ଷ୍ଟେସନ୍‌ରେ ସିଏନ୍‌ଜି ଫିଲିଂ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର