ସୂଚନା ଅଧିକାର ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବି

୧ରୁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ କରିବ ସୂଚନା ଅଧିକାର ଅଭିଯାନ

ଭୁବନେଶ୍ବର: କୌଣସି ବିତର୍କ ନ କରି ମନମୁଖୀ ଭାବେ କେନ୍ଦ୍ର ସରକାର ସଂସଦରେ ସୂଚନା ଅଧିକାର(ସଂଶୋଧନ) ବିଲ୍‌କୁ ପାସ୍ କରାଇଛନ୍ତି। ତେବେ ବିଲ୍‌କୁ ବିରୋଧ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ଏହି ସଂଶୋଧିତ ବିଲ୍‌କୁ ସ୍ବୀକୃତି ନ ଦେବା ଓ ଏହାର ପୁନର୍ବିଚାର କରିବା ପାଇଁ ସଂସଦକୁ ଫେରାଇ ଦେବା ପାଇଁ ଦାବି ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାମାସ ୧ତାରିଖରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି।

ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ କହିଲେ, କେନ୍ଦ୍ର ସରକାର ସଂଶୋଧିତ ବିଲ୍‌ରେ କେନ୍ଦ୍ରୀୟ ସୂଚନା କମିସନ ଓ ରାଜ୍ୟ ସୂଚନା କମିସନଙ୍କ ଦରମା, ଭତ୍ତା, ଚାକିରି ସର୍ତାବଳୀ ଓ ନିଯୁକ୍ତି ସମୟ ସୀମା ପ୍ରଭୃତି ବିଜ୍ଞପ୍ତି ଜରିଆରେ ସ୍ଥିର କରିବେ ବୋଲି ଉଲ୍ଲେଖ କରିଛନ୍ତି। ବର୍ତମାନର ଆଇନରେ ବ୍ୟବସ୍ଥା ଅଛି ଯେ, କେନ୍ଦ୍ରୀୟ ସୂଚନା କମିସନ କିମ୍ବା ରାଜ୍ୟ ସୂଚନା କମିସନ କୌଣସି କର୍ତୃପକ୍ଷଙ୍କ ଚାପର ବଶବର୍ତୀ ନ ହୋଇ ସ୍ବାଧୀନ ଭାବେ କାମ କରିବେ। କମିସନଙ୍କ ଦୈନନ୍ଦିନ କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ରହିବ ନାହିଁ। ମାତ୍ର କେନ୍ଦ୍ର ସରକାର ଯେଉଁ ସଂଶୋଧନ ବିଲ୍‌ ଆଣିଛନ୍ତି ଏହା ଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ସୂଚନା କମିସନ କେନ୍ଦ୍ର ସରକାରଙ୍କ ଅଧୀନରେ ରହି କାମ କରିବେ। କେନ୍ଦ୍ର ସରକାର ତାଙ୍କ ମନ ମୁତାବକ କମିସନମାନଙ୍କର ଚାକିରି ସର୍ତାବଳୀ, ଦରମା ଭତ୍ତା ପ୍ରଭୃତିକୁ ସମୟକୁ ସମୟ ନିର୍ଧାରଣ କରିବେ। ଏହାଦ୍ବାରା କମିସନଙ୍କ ସ୍ବତନ୍ତ୍ରତା ଓ ସ୍ବାଧୀନତା କ୍ଷୁଣ୍ଣ ହେବ। ସୂଚନା ପ୍ରଦାନ କ୍ଷେତ୍ରରେ ସୂଚନା କମିସନ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ। ତେଣୁ ଏହାର ପ୍ରତିବାଦରେ ଅଭିଯାନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପଥପ୍ରାନ୍ତ ସଭା, ‌ସମ୍ମିଳନୀ, ପ୍ରତିବାଦ, ବିକ୍ଷୋଭ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଦସ୍ତଖତ ଅଭିଯାନର ଆୟୋଜନ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ରଂଜୁଲତା ମହାପାତ୍ର, ଭୂବନ ଚାନ୍ଦ ହାତୀ ଓ ଯନ୍ତ୍ରଣା ପରୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର