‘ସ୍ବଚ୍ଛନ୍ଦ ଜୀବନଯାପନ ପାଇଁ ଇଂଜିନିୟରିଂର ଭୂମିକା’ ଆଲୋଚନା

ଭୁବନେଶ୍ବର: ଦି ଓଡ଼ିଶା ଇଂଜିନିୟର୍ସ ଫୋରମ ଏବଂ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେ‌କ୍‌ନୋଲୋଜିର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ବରସ୍ଥିତ ସିଇଟି ସମ୍ମିଳନୀ କକ୍ଷରେ ‘ନିରନ୍ତର ସ୍ବଚ୍ଛନ୍ଦ ଜୀବନଯାପନ ପାଇଁ ଇଂଜିନିୟରିଂର ଭୂମିକା’ ଶୀର୍ଷକ ଜାତୀୟ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଇଂ ମଧୁସୂଦନ ପାଢ଼ୀ ଉଦ୍‌ଘାଟନ କରିଥିଲେ। ଫୋରମର ସଭାପତି ଇଂ ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଡ଼ଗପୁର ଆଇଆଇଟିର ପ୍ରାକ୍ତନ ଡିନ୍‌ ପ୍ରଫେସର ପ୍ରତାପ କୁମାର ଜଗଦ୍ଦେବ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଇଆଇଟି ଖଡ଼ଗପୁରର ବିଦ୍ୟୁତ୍‌ ବିଭାଗ ପ୍ରଫେସର ଡ. ଅରବିନ୍ଦ ରାଉତରାୟ ଭିତ୍ତିନିବନ୍ଧ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ଇଂ ପାଢ଼ୀ ତାଙ୍କ ଉଦ୍‌ଘାଟନୀ ଭାଷଣରେ କହିଲେ, ସ୍ବଚ୍ଛନ୍ଦ ଜୀବନଯାପନ ପାଇଁ ଇଂଜିନିୟରିଂର ଆବଶ୍ୟକତା ଅପରିହାର୍ଯ୍ୟ। ରାଜଧାନୀ ଭୁବନେଶ୍ବର ସହରବାସୀଙ୍କ ସ୍ବଚ୍ଛନ୍ଦ ଜୀବନଯାପନ ନିମନ୍ତ‌େ ଗମନାଗମନ, ବିଦ୍ୟୁତ୍‌ ଯୋଗାଣ, ଦୂରସଂଚାର ଯୋଗାଯୋଗ ପ୍ରଭୃତିର ବିକାଶ ଦିଗରେ ବହୁ ସୁ ଚିନ୍ତିତ ପରାମର୍ଶ ଦେଇଥିଲେ। ଭୁବନେଶ୍ବରକୁ ସ୍ମାର୍ଟ ସିଟି ଭାବରେ ଗଢ଼ିବା ଦିଗରେ ଇଂଜିନିୟର ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ପ୍ରଫେସର ମହାପାତ୍ର ମଣିଷର ସ୍ବଚ୍ଛନ୍ଦ ଜୀବନ ଧାରଣ ପାଇଁ ବିଭିନ୍ନ ଅବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ‌ଫୋରମର କାର୍ଯ୍ୟକାରୀ ଅଧ୍ୟକ୍ଷ ଇଂ ବିମଳ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସିଇଟିର ଅଧ୍ୟକ୍ଷ ପ୍ରଫେସର ପ୍ରଶ‌ାନ୍ତ କୁମାର ପାତ୍ର ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ। ଆଇଏମଆଇଟିର ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢ଼ୀ ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଫୋରମର ସାଧାରଣ ସଂପାଦକ ଇଂ ଶିଶିର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ଭକ୍ତକବି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ପ୍ରଫେସର ଅଶୋକ କୁମାର ତ୍ରିପାଠୀ, ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ, ଇଂ ଅଶୋକ କୁମାର ଚୌଧୁରୀ, ସ୍ଥପତି ଆଦିଶ ନାର୍ଗୁଣ୍ଡେ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉଦ୍‌ଯାପନ ଅଧିବେଶନରେ ପ୍ରଫେସର ସଂଜୟ କୁମାର ସାମନ୍ତରାୟଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ହାଇଦ୍ରାବାଦସ୍ଥିତ ବିଟି.ବିଟିର ନିର୍ଦେଶକ ଡ. ସୁବାସ ରାସ୍ତୋଗି, ଇଂ ଯୁଗଳ କିଶୋର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଫୋରମର ଉପସଭାପତି ଇଂ ସୁଶୀଲ କୁମାର ମହାପାତ୍ର, ପ୍ରଫେସର ପି.କେ ଶତପଥୀ ଏବଂ ଇଂ. ରମାକାନ୍ତ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର