ସ୍ମାର୍ଟ ଜନପଥ ପାଇଁ ଫସିଗଲା ‘ଶ୍ରମ ଶକ୍ତି ଭବନ’

ଶ୍ରମ ବିଭାଗର ସବୁ କାର୍ଯ୍ୟାଳୟ ଗୋଟିଏ କୋଠାରେ ରହିଥାନ୍ତା
୮ମହଲା କୋଠା ପାଇଁ ଖର୍ଚ୍ଚ ହୋଇଥାନ୍ତା ୬୦କୋଟି
ପ୍ରସ୍ତାବକୁ ଖାରଜ କଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର : ଶ୍ରୀୟା ଛକରେ ଥିବା ଶ୍ରମ ଭବନ କ୍ୟାମ୍ପସରେ ଶ୍ରମ ଶକ୍ତି ଭବନ ନିର୍ମାଣ ହୋଇଥାନ୍ତା। ଏଠାରେ ଶ୍ରମ ବିଭାଗର ସମସ୍ତ ନିର୍ଦ୍ଦେଶାଳୟ, ବୋର୍ଡ କାର୍ଯ୍ୟାଳୟ, ରାଜଧାନୀରେ ଶ୍ରମ ଓ ଇଏସ୍‌ଆଇ ବିଭାଗ ଅଧୀନରେ ଥିବା ସମସ୍ତ ପ୍ରତିଷ୍ଠାନ ଗୋଟିଏ କୋଠାରେ କାର୍ଯ୍ୟ କରିଥାନ୍ତା। ୮ମହଲାର ଏହି କୋଠା ପାଇଁ ଶ୍ରମ ବିଭାଗ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେଇଥିଲା। ହେଲେ ଏବେ ଏହି କୋଠା ନିର୍ମାଣ ହେବନି ବୋଲି ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟିର ବୈଠକରେ ଆପାତତଃ ନିଷ୍ପତ୍ତି ହୋଇଛି।

ସ୍ମାର୍ଟ ଜନପଥ କଡ଼ରେ ଶ୍ରମ ଭବନ ଥିବାବେଳେ ଏଠାରେ ଏକ ନୂଆ କୋଠାର ଯୋଜନା ହୋଇଥିଲା। ଶ୍ରମ ଭବନ କୋଠା ବହୁ ପୁରୁଣା ହୋଇଥିବାରୁ ଏବଂ ରାଜଧାନୀରେ ବିକ୍ଷିପ୍ତ ହୋଇ ବହୁ କାର୍ଯ୍ୟାଳୟ ରହିଥିବାରୁ ଗୋଟିଏ କୋଠା ତଳେ ସବୁ କାର୍ଯ୍ୟାଳୟ ରଖିବାକୁ ଶ୍ରମ ଶକ୍ତି ଭବନର ଯୋଜନା ହୋଇଥିଲା। ଏଠାରେ ବି+ଜି+୭ କୋଠା ନିର୍ମାଣ ହୋଇଥାନ୍ତା। ଏଥିପାଇଁ ୬୦କୋଟି ଖର୍ଚ୍ଚ ହୋଇଥାନ୍ତା। ପ୍ରାୟ ଦେଢ ଲକ୍ଷ ବର୍ଗଫୁଟର ଏହି କୋଠାର ବେସ୍‌ମେଣ୍ଟ କେବଳ ପାର୍କିଂ ପାଇଁ ରହିଥାନ୍ତା। ବାକି ୮ମହଲାରେ ଶ୍ରମ ବିଭାଗର ସବୁ କାର୍ଯ୍ୟାଳୟ ରହିଥାନ୍ତା। ଏନେଇ ଅର୍ଥ ଦେବାକୁ ଯେତେବେଳେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଗଲା ସେତେବେଳେ ଏହି କୋଠା ନିର୍ମାଣ ହେବ ନା ନାହିଁ ସେନେଇ ଆଲୋଚନା ହେଲା। ନିକଟରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅର୍ଥ ବିଭାଗ ଏବେ ଟଙ୍କା ଦେଇପାରିବନି ବୋଲି କହିଥିଲା। ଏହାସହ ସ୍ମାର୍ଟ ଜନପଥ କଡ଼ରେ ସରକାରୀ କ୍ବାର୍ଟର୍ସ ଓ ସରକାରୀ କାର୍ଯ୍ୟାଳୟକୁ ଭାଙ୍ଗି ବିଏସ୍‌ସିଏଲ୍‌ ନୂଆ କୋଠା ନିର୍ମାଣ କରିବାର ଯୋଜନା ଥିବାରୁ ଏଠାରେ ଶ୍ରମ ବିଭାଗ ପାଇଁ ଶ୍ରମ ଶକ୍ତି ଭବନ କରିହେବନି ବୋଲି କୁହାଯାଇଥିଲା। ଶ୍ରମ ବିଭାଗକୁ ଖାରବେଳ ଭବନ ନିକଟରେ ନିର୍ମାଣ ହେବାକୁ ଥିବା ନୂତନ କୋଠାରେ ଦୁଇଟି ମହଲା କିମ୍ବା ଡେଲ୍‌ଟା ଛକ ନିକଟରେ ଏହି ପ୍ରସ୍ତାବିତ କୋଠା ନିର୍ମାଣ କରିବାକୁ ଆଲୋଚନା ହୋଇଥିଲା। ଏହାପରେ ନିଷ୍ପତ୍ତି ହୋଇଛି ଯେ, ଖାରବେଳ ଭବନ ନିକଟରେ ନୂଆ କୋଠା ନିର୍ମାଣ ହେଲେ ସେଠାକୁ ଶ୍ରମ ବିଭାଗକୁ ସ୍ଥାନାନ୍ତର କରାଯିବ। ଶ୍ରୀୟା ଛକ ନିକଟରୁ ଶ୍ରମ ବିଭାଗର ସମସ୍ତ କାର୍ଯ୍ୟାଳୟ ଉଠିଯିବ।

labdirodisha.gov.in

ସୂଚନାଯୋଗ୍ୟ ଯେ, ଶ୍ରମ ଭବନ ପରିସରରେ ଫ୍ୟାକ୍ଟ୍ରିଜ୍ ଆାଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଗୋଟିଏ ମହଲାରେ ଚାଲିଥିବାବେଳେ ଏଠାରେ ଏହି ନିର୍ଦ୍ଦେଶାଳୟ ପାଇଁ ତିନି ମହଲା ବିଶିଷ୍ଟ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ବାନ କରିଥିଲା। ସାସ୍‌ କନଷ୍ଟ୍ରକସନ୍ ନାମକ ଏକ ସଂସ୍ଥାକୁ ପ୍ରାୟ ୬କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସଂସ୍ଥା ମଧ୍ୟ କାମ ଆରମ୍ଭ କରିବାକୁ ଶ୍ରମ ଭବନ ପରିସରରେ ଥିବା ପୁରୁଣା କୋଠାକୁ ଭାଙ୍ଗିଥିଲା। ହେଲେ ଶ୍ରମ ଶକ୍ତି ଭବନ ହେବ ବୋଲି ନିଷ୍ପତ୍ତି ହେବାରୁ ଏହି ଟେଣ୍ଡର ବାତିଲ୍ ହୋଇଥିଲା। ଏବେ ଶ୍ରମ ଶକ୍ତି ଭବନ ନିର୍ମାଣ ଯୋଜନା ବି ଅଟକି ଯାଇଛି।

ଅପରପକ୍ଷେ ବିଏସ୍‌ସିଏଲ୍‌, ପୂର୍ତ୍ତ ବିଭାଗ ସ୍ମାର୍ଟ ଜନପଥ କଡ଼ରେ ବିଜିନେସ୍‌ ସେଣ୍ଟର ଓ ଆବାସିକ କଲୋନି ନିର୍ମାଣ ପାଇଁ ଯେଉଁ ଯୋଜନା କରିଛନ୍ତି ସେନେଇ ଆଜି ପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନିଆଯାଇନି। ଗୋଟିଏ ଯୋଜନାର ବିନ୍ଦୁ ବିସର୍ଗ ନଥିବାବେଳେ ତାହା ପାଇଁ ଶ୍ରମ ବିଭାଗର ଆକାଂକ୍ଷିତ ‘ଶ୍ରମ ଶକ୍ତି ଭବନ’ ପ୍ରକଳ୍ପ ଏବେ ବଳି ପଡ଼ିଛି।

ସମ୍ବନ୍ଧିତ ଖବର