ସ୍ୟାଟ୍‌ରେ ଖାଲି ପଡ଼ିଥିବା ପଦ ପୂରଣ ମାମଲା: ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ

କଟକ: ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌)ରେ ଖାଲି ପଡିଥିବା ଅଧୢକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସ˚ଗକୁ ନେଇ ହାଇକେର୍ଟରେ ବିଚାରାଧୀନ ମାମଲାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। କେନ୍ଦ୍ର ସରକାରଙ୍କ ସହିତ ଏହି ପ୍ରସଂଗରେ ଯୋଗାଯୋଗ ରଖାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସ୍ୟାଟ୍‌ ବାର‌୍‌ ଆସୋସିଏସନ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ମାନସ ରଂଜନ ମହାପାତ୍ର, ଆଇନଜୀବୀ ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ, ଶଶୀଭୂଷଣ ଜେନା, ରବି ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ୨୦୧୪, ଫେବ୍ରୁଆରି ୧୮ରେ ଟ୍ରିବୁନାଲରେ ଅଧୢକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସ˚ପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥାୟୀ ଅଧୢକ୍ଷ ପଦ ସହିତ ବହୁ ସଦସ୍ୟ ପଦ ଖାଲି ପଡିଛି। ଏପରି ପରିସ୍ଥିତିରେ ଖାଲି ପଡିଥିବା ଅଧୢକ୍ଷ ପଦ ଓ ସଦସ୍ୟ ପଦ ପୂରଣ ହେବା ଜରୁରୀ ବୋଲି ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ଏପରି ନିଷ୍ପତ୍ତି ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ୟାଟ୍‌ ପ୍ରତି ସରକାରୀ ଅବହେଳା ବଢିଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର