‘ସଡ଼କ ସୁରକ୍ଷା ଓ ଶୃଙ୍ଖଳା ସମ୍ପର୍କିତ’ ଆଲୋଚନାଚକ୍ର, ବୁଦ୍ଧିଜୀବୀମାନଙ୍କ ଯୁକ୍ତି ଆଗ ଲୋକଙ୍କୁ ସଚେତନ କରାଅ

ଭୁବନେଶ୍ବର: ଲୋକଙ୍କୁ ସଚେତନ ନ କରି ସଂଶୋଧିତ ମୋଟର ଯାନ ଆଇନକୁ ସରକାର ଯେଭଳି ତରବରିଆ ଭାବେ କଡ଼ାକଡ଼ି ଲାଗୁ କଲେ, ତାହାକୁ ନେଇ ସାରା ଦେଶରେ ଅସନ୍ତୋଷର ବହ୍ନି ଜଳୁଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପୁଲିସ-ଜନତା ମୁହାଁମୁହିଁ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଲୋକଙ୍କୁ ପ୍ରଥମେ ଟ୍ରାଫିକ୍‌ ନିୟମ ଉପରେ ସଚେତନ କରାଯାଉ। ସୋମବାର ସିୱାଇଏସ୍‌ଡିଠାରେ ଆୟୋଜିତ ‘ସଡ଼କ ସୁରକ୍ଷା ଓ ଶୃଙ୍ଖଳା ସମ୍ପର୍କିତ’ ଆଲୋଚନାଚକ୍ରରେ ଯୋଗ ଦେଇଥିବା ବୁଦ୍ଧିଜୀବୀମାନେ ଏଭଳି ମତ ପ୍ରକାଶ କରିଛନ୍ତି।

ବୁଦ୍ଧିଜୀବୀମାନେ ଯୁକ୍ତି ବାଢ଼ିଥିଲେ ଯେ ଆଜିର ବ୍ୟସ୍ତବହୁଳ ଜୀବନରେ ସବୁ ଲୋକ ଟିଭି ଦେଖୁ ନାହାନ୍ତି କି ଖବରକାଗଜ ପଢ଼ୁନାହାନ୍ତି। ତେଣୁ ନୂଆ ଟ୍ରାଫିକ୍‌ ନିୟମ ସଂପର୍କରେ ସେମାନଙ୍କୁ ସଚେତନ କରାଯିବା ଆବଶ୍ୟକ। ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସଭା ସମିତିରେ ଟ୍ରାଫିକ୍‌ ସଚେତନତାକୁ ବାଧ୍ୟତାମୂଳକ କରାଯାଉ। ଏହାଦ୍ବାରା ଲୋକମାନଙ୍କ ମଧ୍ୟରେ ନିଶ୍ଚିତ ଭାବେ ଏକ ପରିବର୍ତ୍ତନ ଆସିପାରିବ। ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ଲୋକ ଦୁର୍ଘଟଣା ଘଟାଇ ଧନଜୀବନ ହାନି କରୁଛନ୍ତି। ପୁଲିସ ଏବେ ସେମାନଙ୍କୁ ଅଟକାଇ ଜରିମାନା ଆଦାୟ କରୁଛି। କିନ୍ତୁ ସରକାର ଯଦି ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା କରନ୍ତେ, ତେବେ ଏ ସମସ୍ୟା ଆଦୌ ରହନ୍ତା ନାହିଁ। ଏହାସହ ଅପରାଧ ମଧ୍ୟ ବହୁମାତ୍ରାରେ କମି ଯାଆନ୍ତା। ପୁଲିସ କେବଳ ଜରିମାନା ଆଦାୟ କରି ନିଜ ମୁଣ୍ଡରୁ ଦୋଷ ନ ଖସାଉ। ଲୋକ କେମିତି ଆଉ ଭୁଲ୍‌ ନ କରିବେ, ସେଥିପାଇଁ ବ୍ୟବସ୍ଥା କରୁ। ଯେଉଁ ଲୋକର ପ୍ରଦୂଷଣ ନିୟନ୍ତ୍ରଣ ସାଟିଫିକେଟ୍‌ କିମ୍ବା ଇନସ୍ୟୁରାନ୍ସ ନାହିଁ, ସ୍ପଟ୍‌ରେ ସେମାନଙ୍କୁ ସାର୍ଟିଫିକେଟ୍‌ ଦେବାର ବ୍ୟବସ୍ଥା କରୁ।

ଆଜି ମଧ୍ୟ ଟ୍ରାଫିକ୍‌ ବ୍ୟବସ୍ଥାରେ ଅନେକ ତ୍ରୁଟି ରହିଛି। ରାସ୍ତାରେ ମାଳମାଳ ଗୋରୁ ଓ କୁକୁର ବୁଲୁଛନ୍ତି। ଗଳି ରାସ୍ତା ତ ଦୂରର କଥା, ମୁଖ୍ୟ ରାସ୍ତାରେ ବି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ। ବସ୍‌ ଓ ଅଟୋ ମଧ୍ୟ ବିଭିନ୍ନ ଟ୍ରାଫିକ୍‌ରେ ଅଟକ ଜାମ୍‌ ସୃଷ୍ଟି କରୁଛନ୍ତି। ହେଲେ ଏହା ଉପରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳସ୍ବରୂପ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଥିପ୍ରତି ପ‌ଦକ୍ଷେପ ନେବାକୁ ଦାବି ହୋଇଥିଲା। କାର୍ଯ୍ୟକ୍ରମରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ କହିଲେ, ଆମେ ଆଇନକୁ କଡ଼ାକଡ଼ି ଲାଗୁ କରିବା ଅର୍ଥ ନୁହେଁ ଲୋକଙ୍କଠାରୁ ଜରିମାନା ଆଦାୟ କରିବା। ଦୁର୍ଘଟଣାକୁ ରୋକିବା ଆମର ମୂଳ ଲକ୍ଷ୍ୟ। ତେବେ ଏହି ନୂଆ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ଆଗାମୀ ଦିନରେ କଟକ-ଭୁବନେଶ୍ବର ଭିତରେ ଲେନ୍‌ ଡ୍ରାଇଭି˚କୁ ଗୁରୁତ୍ବ ଦିଆଯିବ। ପରିବହନ କମିସନର ସଞ୍ଜୀବ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ‌, ଓଡ଼ିଶାରେ ସଡ଼କ ଦୁର୍ଘଟଣା‌ରେ ବର୍ଷକୁ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ତେଣୁ ନିୟମ ଉଲଂଘନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ସମାଜସେବୀ ଚିଦାତ୍ମିକା ଖଟୁଆ ଉପସ୍ଥିତ ରହି ମତ ରଖିଥିଲେ। ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବହୁ ବରିଷ୍ଠ ନାଗରିକ, ସମାଜସେବୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର