ହୃଦୟର ଅନ୍ତର୍ଲିପି ଉନ୍ମୋଚିତ

ଭୁବନେଶ୍ବର: ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ କବି ଡାକ୍ତର ପଞ୍ଚାନନ ସାହୁଙ୍କ ଦ୍ବିତୀୟ କବିତା ସଂକଳନ ‘ହୃଦୟର ଅନ୍ତର୍ଲିପି’ ଆଜି ହୋଟେଲ୍‌ କ୍ରାଉନ୍‌ଠାରେ ଉନ୍ମୋଚିତ ହୋଇଯାଇଛି। ହୃଦ୍‌ରୋଗ ବିଶେଷଜ୍ଞ ଡା. ଜେପି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ରମାକାନ୍ତ ରଥ ଉଦ୍‌ଘାଟକ ଭାବେ ଯୋଗଦେଇ କହିଲେ, ରୋଗୀ ଓ ଡାକ୍ତର ଭିତରେ ଥିବା ପରସ୍ପର ନିର୍ଭରଶୀଳ ସମ୍ପର୍କ ବାହାରେ ହୃଦୟ ସମସ୍ତଙ୍କ ପାଇଁ ସମାନ। ହୃଦୟର ସ୍ବର ଓ ଆବେଦନ ଏକାପ୍ରକାର। ଏହା କବିତା ପାଇଁ ଜରୁରୀ ବୋଲି ଶ୍ରୀ ରଥ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ହରପ୍ରସାଦ ଦାସ ଯୋଗଦେଇ କହିଲେ ଯେ ବିଶ୍ବ ସାହିତ୍ୟରେ ଅନେକ ଲେଖକ ହୃଦ୍‌ରୋଗ ବିଶେଷଜ୍ଞ। ଏମାନେ କଳ୍ପନା ଓ ବିଜ୍ଞାନର ସମ୍ମିଶ୍ରଣ କରିଥାଆନ୍ତି। ମୁଖ୍ୟବକ୍ତା କଥାକାର ଅଜୟ ସ୍ବାଇଁ କହିଲେ, ପ୍ରତି କବିର ଅନ୍ତରାଳରେ ଜଣେ ଅନ୍ତର୍ଦେବତା ଥାଆନ୍ତି। ସେମାନେ କବିତା ଲେଖିବା ପାଇଁ କବିକୁ ପ୍ରେରିତ କରିଥାନ୍ତି। କବି ଡା. ପଞ୍ଚାନନ ସାହୁ ନିଜ ଲେଖକୀୟ ଅଭିବ୍ୟକ୍ତିରେ କହିଲେ, ବୃତ୍ତିର ଦାୟରେ ହୃଦୟର ଗଠନାତ୍ମକ କାର୍ଯ୍ୟକାରିତା ଅନୁଶୀଳନ କରି ତ୍ରୁଟି ବିଚ୍ୟୁତିର ଚିକିତ୍ସା କରିବାରେ ଜଣେ ଡାକ୍ତର ହିସାବରେ ତାଙ୍କର ସାରାଦିନ ବିତିଯାଏ। କିନ୍ତୁ ରାତିରେ ଏକ ସରଳ ନିଷ୍ପାପ ଓ ସମ୍ପର୍କ ପାଇଁ ଉଦ୍‌ବେଳିତ ହେଉଥିବା ହୃଦୟର ନିସର୍ତ ସ୍ବର ଓ ନିର୍ବିକାର ଆହ୍ବାନ କାନରେ ବାଜେ। କଲମ ଆପେ ଚାଲେ। କବି ପ୍ରିୟରଂଜନ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନା କରିଥିବା ବେଳେ ମିଲନ ଖଣ୍ଡୁଆରି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର