୨୭ ସରକାରୀ ବିଭାଗର ୩୩‌ କୋଟି ବାକି

ଲୋକଙ୍କ ଘରକୁ କିନ୍ନର ଯାଉଛନ୍ତି, ସରକାରୀ ସଂସ୍ଥାକୁ କାହିଁକି ନୁହେଁ?

କେଉଁ ବିଭାଗର କେତେ ବାକି ତଥ୍ୟ ଦେବାକୁ ଡରୁଛି ବିଏମ୍‌ସି

ଭୁବନେଶ୍ବର : ରାଜଧାନୀରେ ୮୦୪ଜଣ ଖିଲାପକାରୀଙ୍କ ଉପରେ ୪୩କୋଟି ଟଙ୍କାର ହୋଲ୍‌ଡିଂ ଟିକସ ବାକି ଥିଲା। ଯେଉଁଥିପାଇଁ ଫେବ୍ରୁଆରି ୨ତାରିଖରେ ବିଏମ୍‌ସି ପକ୍ଷରୁ ବକେୟା ହୋଲ୍‌ଡିଂ ଟିକସ ଆଦାୟ କରିବାକୁ କିନ୍ନରମାନଙ୍କୁ ନିୟୋଜିତ କରାଗଲା। ଯେଉଁମାନଙ୍କର ୨୫ହଜାର ଟଙ୍କାରୁ ଅଧିକ ଟିକସ ବକେୟା ଥିଲା ବିଏମ୍‌ସି ପକ୍ଷରୁ ସେମାନଙ୍କର ନାଁ, ଘର ଠିକଣା କିନ୍ନରମାନଙ୍କୁ ଧରାଇ ଦିଆଗଲା। କୁହାଗଲା, ତୁମେ ଯେମିତି ହେଉ ସେମାନଙ୍କଠାରୁ ଟଙ୍କା ଆଦାୟ କର। କିନ୍ନରମାନେ ବି ଟିକସ ଖିଲାପକାରୀଙ୍କ ଘର ଆଗରେ ତାଳି ମାରି, ଅପମାନିତ କରି ଟଙ୍କା ଆଦାୟ କଲେ। ଯିଏ ବର୍ଷ ବର୍ଷ ଧରି ଦେଉନଥିଲେ ସେମାନେ ଦେଇଦେଲେ। ଏମିତିରେ ୪୩କୋଟିରୁ ପ୍ରାୟ ୩କୋଟି ଟଙ୍କା ଆଦାୟ ହେଲାଣି।

ହେଲେ ୩୩କୋଟି ବାକି ରଖିଥିବା ୨୭ଟି ସରକାରୀ ବିଭାଗରୁ ବିଏମ୍‌ସି ଟିକସ ଆଦାୟ କରିପାରୁନି। କେବଳ କମିସନରଙ୍କ ଦସ୍ତଖତ‌େର ସବୁ ବିଭାଗର ସଚିବଙ୍କୁ ଗୋଟିଏ ଲେଖାଏଁ ଚିଠି ଲେଖାଯାଇଛି। ଆଉ କେତେ ଟଙ୍କା ବାକି ଅଛି ତାହା ଦେବାକୁ କୁହାଯାଇଛି। ବିଏମ୍‌ସି ପ୍ରତିବର୍ଷ ଏମିତି ଚିଠି ଲେଖେ, ହେଲେ ଅଧିକାଂଶ ବିଭାଗ ବକେୟା ଟଙ୍କା ଦିଅନ୍ତିନି। ଫଳରେ ବିଏମ୍‌ସିର ସରକାରୀ ବିଭାଗ ଉପରେ ‌ବକେୟା ଟିକସ ବଢ଼ିବଢ଼ି ୩୩ କୋଟିରେ ପହଞ୍ଚିଛି। ଗତ ସୋମବାର ସୁଦ୍ଧା ଏଥିରୁ ମାତ୍ର ୫ଲକ୍ଷ ଟଙ୍କା ଆଦାୟ ହୋଇଛି।

ଅାଶ୍ଚର୍ଯ୍ୟର ବିଷୟ, ଯେଉଁ ସାଧାରଣ ଲୋକର ୨୫ହଜାର କି ୩୦ହଜାର ଟଙ୍କା ଟିକସ ବାକି ଅଛି ତା’ଘରକୁ କିନ୍ନରଙ୍କୁ ପଠାଇ ଦିଆଯାଉଛି। ହେଲେ ଯେଉଁ ସରକାରୀ ବିଭାଗ ୮/୧୦ବର୍ଷ ହେଲା ହୋଲଡିଂ ଟିକସ ଦେଉନାହାନ୍ତିି ଏବଂ ସେମାନଙ୍କ ଭିତରୁ କାହାର ୨୦ଲକ୍ଷ ତ କାହାର ୫୦ଲକ୍ଷ ଟଙ୍କା ଟିକସ ବାକି ଅଛି ସେମାନଙ୍କୁ କେ‌ବଳ ଗୋଟିଏ ଚିଠି ପଠାଯାଉଛି। ଯେଉଁ ସରକାରୀ ବିଭାଗ ବର୍ଷ ବର୍ଷ ଧରି ହୋଲଡିଂ ଟିକସ ବାକି ରଖିଛନ୍ତି ସେହି ବିଭାଗର ମନ୍ତ୍ରୀ କି ସଚିବଙ୍କ ଘରକୁ କାହିଁକି କିନ୍ନର ପଠାଯିବନି ବୋଲ ଏବେ ରାଜଧାନୀବାସୀ ପ୍ରଶ୍ନ କଲେଣି। ବିଏମ୍‌ସି କାହିଁକି ଦୋମୁହଁା ନୀତି କରୁଛି? ସରକାରୀ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ଟିକସ ଫାଙ୍କିଲେ ଖିଲାପକାରୀ ନୁହେଁ, ଅଥଚ ଜଣେ ସାଧାରଣ ଲୋକ ୨୫/୩୦ ହଜାର ଟଙ୍କା ବାକି ରଖିଥିଲେ ଖିଲାପକାରୀ?

ଏପରିକି ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କେଉଁ ସରକାରୀ ବିଭାଗ କେତେ ଟଙ୍କା ହୋଲଡିଂ ଟିକସ ବାକି ରଖିଛନ୍ତି ତା’ର ତଥ୍ୟ ମାଗିଲେ ବି ତଥ୍ୟ ଦେଉନାହାନ୍ତି। ସରକାରୀ ବିଭାଗ ଟିକସ ଫାଙ୍କୁଛନ୍ତି; କିନ୍ତୁ କିଏ କେତେ ଫାଙ୍କିଛନ୍ତି ତାହା କହିବାକୁ କର୍ତ୍ତୃପକ୍ଷ ଡରୁଛନ୍ତି।

ସବୁଠୁ ଅାଶ୍ଚର୍ଯ୍ୟର ବିଷୟ, ଏହି ସରକାରୀ ସଂସ୍ଥା ଖିଲାପକାରୀଙ୍କ ଉପରେ ବିଏମ୍‌ସିର ଅତୁଟ ବିଶ୍ବାସ ଅଛି। ସରକାରୀ ସଂସ୍ଥାମାନେ ଦିନେ ନା ଦିନେ ବକେୟା ଟଙ୍କା ଦେବେ। ‌େହଲେ ବାବୁ ବୁଝିବାକୁ ନାରାଜ ଯେ ଯେଉଁ ସଂସ୍ଥା ବର୍ଷ ବର୍ଷ ଧରି ହୋଲଡିଂ ଟିକସ ଫାଙ୍କି ଆସୁଛନ୍ତି, ଲକ୍ଷାଧିକ ଟଙ୍କା ବାକି ତାଲିକାରେ ଗଡ଼ିଲାଣି, ସେମାନେ ଆଗକୁ କେମିତି ଦେବେ? ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ସରକାରୀ ସଂସ୍ଥା ଟିକସ ଫାଙ୍କିବେନି। ସେମାନେ ଯେମିତି ହେଲେ ଦେବେ। ସାଧାରଣ ଲୋକ ଟିକସ ଫାଙ୍କୁଛନ୍ତି, ଟିକସ ମାଗିଲେ ବିକ୍ଷୋଭ କରୁଛନ୍ତି, କୋର୍ଟକୁ ଯାଉଛନ୍ତି। ତେଣୁ ସେମାନଙ୍କଠାରୁ ବକେୟା ଟିକସ ଆଦାୟ କରିବା ପାଇଁ ନୋଟିସ୍‌ କରୁଛୁ, ସାର୍ଟିଫିକେଟ୍ କେସ୍‌ କରୁଛୁ, କିନ୍ନର ପଠାଉଛୁ।

ରାଜ୍ୟ ସରକାରଙ୍କର ଏକ ବିଭାଗର ଲକ୍ଷାଧିକ ଟଙ୍କା ହୋଲଡିଂ ଟିକସ ବାକି ଥିବାବେଳେ ସେହି ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ହୋଲଡିଂ ଟିକସ ଦେବାକୁ ଆମର ବଜେଟ୍‌ ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଟଙ୍କା ମିଳୁଛି ତାକୁ ଖର୍ଚ୍ଚ କରିଦେଉଛୁ। ସରକାରୀ ସଂସ୍ଥା, ସରକାର ବୁଝିବେ। ବେଳ ପଡ଼ିଲେ ବକେୟା ବିଦ୍ୟୁତ୍ ବିଲ୍‌ ଛାଡ଼ ହେବା ପରି ବକେୟା ଟିକସ ବି ଛାଡ଼ ହୋଇପାରେ।

ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ବିଏମ୍‌ସିକୁ ଆୟ ବଢ଼ାଇବାକୁ କହୁଛନ୍ତି। ହେଲେ ବିଏମ୍‌ସି ଯେଉଁଥିରୁ ଆୟ କରିବ ସେମାନେ ଟଙ୍କା ଦେଉନାହାନ୍ତି। ଯଦି ବିଏମ୍‌ସି ପ୍ରତି ବିଭାଗର କାର୍ଯ୍ୟାଳୟ ପାଇଁ ପ୍ରତି ବର୍ଷ ହୋଲଡିଂ ଟିକସ ଆଦାୟ କରିବାର ନିୟମ ଅଛି; ତେବେ ଅର୍ଥ ବିଭାଗ ପ୍ରତି ବିଭାଗକୁ ଏଥିପାଇଁ ପ୍ରତିବର୍ଷ କାହିଁକି ଅର୍ଥ ଦେଉନି? ସରକାର ନିଜେ ବାକି ରଖି ସାଧାରଣ‌ ଲୋକଙ୍କୁ ତାଗିଦ୍‌ କଲେ କ’ଣ ହେବ?

ସମ୍ବନ୍ଧିତ ଖବର