୪ ବର୍ଷ ହେଲା ମିଳିନାହିଁ ସରକାରୀ ଅନୁଦାନ, ବିନା ଆର୍ଥିକ ସହାୟତାରେ ଚାଲିଛି ଓପନ୍ ସେଲ୍ଟର୍‌

ଖୋର୍ଦ୍ଧା: କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୁଃସ୍ଥ ଓ ସାମାଜିକ ଭାବେ କ୍ଷତିଗ୍ରସ୍ତଙ୍କ ସୁରକ୍ଷା ନିମନ୍ତେ ଯୋଜନା କରୁଛନ୍ତି। କିନ୍ତୁ ଜିଲ୍ଲାରେ ଥିବା ୧୯ଟି ଓପନ୍ ସେଲ୍ଟର, ଜରାଶ୍ରମ, ଶିଶୁ ଯତ୍ନ ଅନୁଷ୍ଠାନ, ପୋଷ୍ୟ ସଂସ୍ଥା ଆଦି ମଧ୍ୟରୁ ୧୦ଟି ସଂସ୍ଥା ଗତ ଦଶନ୍ଧି ଧରି ସରକାରୀ ଅନୁଦାନକୁ ଚାହିଁ ବସିଛନ୍ତି। ଓପନ୍ ସେଲ୍ଟର, ଜରାଶ୍ରମ, ଶିଶୁ ଯତ୍ନ ଅନୁଷ୍ଠାନ, ପୋଷ୍ୟ ସଂସ୍ଥା ଆଦିକୁ କେନ୍ଦ୍ର ସରକାର ଅନୁଦାନ ଦେଇଥାନ୍ତି। ପୂର୍ବେ ଏହି ଅନୁଷ୍ଠାନଗୁଡ଼ିକର ପଞ୍ଜୀକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଉଥିଲା। କିନ୍ତୁ ବର୍ତ୍ତମାନ ଅନୁଷ୍ଠାନ ସିଧାସଳଖ ଅନ୍‌ଲାଇନ୍‌ରେ ଅନୁଦାନ ପାଇଁ ଆବେଦନ କରିବା ବ୍ୟବସ୍ଥା ରହିଛି। ନିୟମାନୁସାରେ, ପ୍ରତ୍ୟେକ ସଂସ୍ଥା ସର୍ବାଧିକ ୨୫ ଜଣ ଅନ୍ତେବାସୀଙ୍କୁ ରଖିପାରିବେ। ଏନେଇ ଆବଶ୍ୟକ ଭିତ୍ତିଭୂମି ଆଦି ରହିବା ଆବଶ୍ୟକ। ଆବେଦନ ପରେ କେନ୍ଦ୍ର ସରକାର ଅନୁଷ୍ଠାନର ସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗକୁ ଦାୟିତ୍ବ ଦେଇଥାନ୍ତି। ଏହା ପରେ ଆବେଦନଗୁଡ଼ିକ ମଧ୍ୟରୁ ପ୍ରତିବର୍ଷ ଗୋଟିଏ ଅନୁଷ୍ଠାନକୁ ସରକାରୀ ଅନୁଦାନ ନିମନ୍ତେ ଚୟନ କରାଯାଇଥାଏ। ତେବେ ମିଳିଥିବା ସୂଚନାନୁସାରେ, ୨୦୧୬–୧୭ରେ ଶେଷଥର ପାଇଁ ଆବେଦନ ଗ୍ରହଣ କରାଯାଇଥିଲା।

ଏହାପରେ ୪ ବର୍ଷ ବିତିଯାଇଛି କିନ୍ତୁ ଜିଲ୍ଲାର କୌଣସି ଅନୁଷ୍ଠାନକୁ ସରକାରୀ ଅନୁଦାନ ମିଳିନାହିଁ। ଜିଲ୍ଲାରେ ଥିବା ୧୯ଟି ଓପନ୍ ସେଲ୍ଟର, ଜରାଶ୍ରମ, ଶିଶୁ ଯତ୍ନ ଅନୁଷ୍ଠାନ, ପୋଷ୍ୟ ସଂସ୍ଥା ମଧ୍ୟରୁ ଜଟଣୀର ଭୈରବୀ କ୍ଲବ, ବାଣପୁର ନେହରୁ ସେବା ସଂଘ ବ୍ୟତୀତ ଅନ୍ୟ ୧୨ଟି ବାଳାଶ୍ରମ ଭୁବନେଶ୍ବରରେ ରହିଛି। ଏହା ମଧ୍ୟରୁ ଗୋଟିଏ ପୋଷ୍ୟ ସଂସ୍ଥା ଓ ୩ଟି ଓପନ୍ ସେଲ୍ଟର। କେବଳ ୨୦୧୭–୧୮ରେ ଜିଲ୍ଲାରେ ୧୩୨୬ଜଣ ଦୁଃସ୍ଥଙ୍କୁ ଉଦ୍ଧାର କରାଯାଇ ଜିଲ୍ଲାର ବିଭିନ୍ନ ଓପନ୍ ସେଲ୍ଟରରେ ରଖାଯାଇଥିଲା। ଅର୍ଥାତ୍ ଜିଲ୍ଲାରେ ଥିବା ୧୯ଟି ସେଲ୍ଟର ହୋମ୍ ବା ଓପନ୍ ସେଲ୍ଟରରେ ହାରାହାରି ୬୯ଜଣଙ୍କୁ ରଖାଯାଇଥିଲା। ଭୈରବୀ କ୍ଲବ୍‌ର ପରିଚାଳକ ବୈକୁଣ୍ଠନାଥ ମାର୍ଥାଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଯେହେତୁ ଏହା ଓପନ୍ ସେଲ୍ଟର, ଏଥିରେ ଅନ୍ତେବାସୀଙ୍କ ସଂଖ୍ୟାରେ ସ୍ଥିର ନଥାଏ। ପ୍ରତିଦିନ ଏହା କମ୍ କିମ୍ବା ବେଶି ହୋଇଥାଏ। କିନ୍ତୁ ସରକାରଙ୍କ ସ୍ଥିରୀକୃତ ଅନ୍ତେବାସୀଙ୍କ ସଂଖ୍ୟା ୨୫। ସରକାର ପ୍ରତିବର୍ଷ ଶେଷରେ ୨୫ଜଣ ଅନ୍ତେବାସୀଙ୍କ ନିମନ୍ତେ ଅନୁଦାନ ଦେଇଥାନ୍ତି। ଫଳରେ ବର୍ଷତମାମ ଆଶ୍ରମର ଆବଶ୍ୟକତା ମେଣ୍ଟାଇବାକୁ ଜନସାଧାରଣଙ୍କ ଅନୁଦାନ ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ। ସେହିଭଳି ଡମଣାରେ ଥିବା ଶ୍ରୀଶ୍ରୀ ମା’ ଆନନ୍ଦ ଆଶ୍ରମର ପରିଚାଳକ ପ୍ରିୟବ୍ରତ ସାମଲ କହିଛନ୍ତି ଯେ ସରକାରଙ୍କ ଅନୁଦାନ ପାଇଁ ଆଶ୍ରମ ତରଫରୁ ୨୦୧୬–୧୭ରେ ଦାଖଲ କରାଯାଇଥିଲା। କିନ୍ତୁ ସରକାରଙ୍କ ଅନୁଦାନ ଏଯାଏଁ ମିଳିନାହିଁ। କେବଳ ତାଙ୍କରି ସଂସ୍ଥା ନୁହେଁ ୧୫–୧୬ ବର୍ଷର ପୁରୁଣା ସଂସ୍ଥାଗୁଡ଼ିକକୁ ମଧ୍ୟ ସରକାରୀ ଅନୁଦାନ ଏଯାଏଁ ମିଳିନାହିଁ। ଗୋଟିଏ ପଟେ ପୁଲିସ୍‌, ସାମାଜିକ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ ବିଭାଗ ପକ୍ଷରୁ ଅନେକ ସ୍ଥାନରୁ ଶିଶୁ ଶ୍ରମିକ, ଦୁଃସ୍ଥ ମହିଳା, ବୃଦ୍ଧ–ବୃଦ୍ଧା ଆଦିଙ୍କୁ ଉଦ୍ଧାର କରି ସେଲ୍ଟର ହୋମ୍‌କୁ ପଠାଇ ଦିଆଯାଇଥାଏ।

ଅନେକ ସମୟରେ ସରକାରୀ ଅନୁଦାନ ପାଇନଥିବା ସଂସ୍ଥା ସେମାନଙ୍କୁ ଆଶ୍ରୟ ଦେଉଥିଲେ ମଧ୍ୟ ସେମାନଙ୍କ ପାଇଁ ଖାଇବା ଆଦି ନିମନ୍ତେ ସାମାନ୍ୟ ଚାଉଳର ବ୍ୟବସ୍ଥା ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇ ନଥାଏ। ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର କହିଛନ୍ତି ଯେ ଜିଲ୍ଲାରେ ଥିବା ସମସ୍ତ ଜରାଶ୍ରମଗୁଡ଼ିକୁ କେନ୍ଦ୍ର ସରକାର ସିଧାସଳଖ ଅନୁଦାନ ଦେଉଛନ୍ତି। ଆମର ଦାୟିତ୍ବ କେବଳ ସେଗୁଡ଼ିକର ତଦାରଖ କରିବା। ବର୍ତ୍ତମାନ ନିୟମିତ ଭାବେ ଓପନ୍ ସେଲ୍ଟର, ଜରାଶ୍ରମ ଆଦି ପାଇଁ ଆବେଦନ ଆସୁଛି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଗୁଡ଼ିକୁ ଅନୁମୋଦନ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଉନାହିଁ। ଏଭଳି ନୂତନ ଆଶ୍ରମକୁ ଅନୁମତି ନଦେବାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ସମାଜ ସୁରକ୍ଷା ବିଭାଗ ନିକଟରେ ଆବଶ୍ୟକ ମାନବ ସମ୍ବଳ କିମ୍ବା ଭିତ୍ତିଭୂମି ନାହିଁ। ଏଣୁ ଅନୁମୋଦିତ ଆଶ୍ରମଗୁଡ଼ିକର ନିୟମିତ ତଦାରଖ କରିବା କଷ୍ଟକର। ବିନା ତଦାରଖରେ ଆଶ୍ରମଗୁଡ଼ିକରେ ଅନେକ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି। ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ସହ ଯୋଗାଯୋଗ କରିବାରେ ଜଣାଯାଇଛି ଯେ ସେମାନେ ନିୟମ ମୁତାବକ ଅନୁମୋଦନ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରତିବର୍ଷ ପଠାଉଛନ୍ତି। ଉଦ୍ଧାର ହେଉଥିବା ଶିଶୁ ଓ ମହିଳାଙ୍କୁ ଆଶ୍ରମଗୁଡ଼ିକରେ ଥଇଥାନ କରାଯାଉଥିଲେ ମଧ୍ୟ ନିୟମ ନଥିବାରୁ ସେମାନଙ୍କ ପାଇଁ କୌଣସି ଖାଇବା ଆଦି ବାବଦରେ ସରକାରୀ ଭାବେ ଆର୍ଥିକ କିମ୍ବା ଅନ୍ୟ ସହାୟତା ଦିଆଯାଇପାରୁନାହିଁ।

ସମ୍ବନ୍ଧିତ ଖବର