‌ୟୁନିଫର୍ମ ଟଙ୍କାକୁ ନେଇ ଦୁଇ ସ୍କୁଲ ମଧ୍ୟରେ ଟଣାଓଟରା, ବାକିରେ ଆସିଥିବା ପୋଷାକ ପିନ୍ଧୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବର: ୟୁନିଫର୍ମ ଟଙ୍କାକୁ ନେଇ ୟୁନିଟ୍‌-୪ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍‌-୯ ଗୋପବନ୍ଧୁ ନଗର ୟୁଜିୟୁପି ସ୍କୁଲ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ୨୦୧୯-୨୦ ଶିକ୍ଷାବର୍ଷରେ ଦୁଇ ସ୍କୁଲର ମିଶ୍ରଣ ପାଇଁ ଯୋଜନା ହେବା ସହ ସରକାରୀସ୍ତରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। କିନ୍ତୁ ୟୁନିଟ୍‌-୯ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଟ୍‌-୪ ବିଦ୍ୟାଳୟକୁ ଯିବା କଷ୍ଟକର ହେବା ନେଇ ଅଭିଭାବକ ଅଭିଯୋଗ କରିଥିଲେ। ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ପରାମର୍ଶକ୍ରମ‌େ ଉଭୟ ସ୍କୁଲ ଅଲଗା ରହିଲା। ପୂର୍ବଭଳି ନିଜ ନିଜ ସ୍କୁଲ ପରିସରରେ କାର୍ଯ୍ୟ କଲା। ତେବେ ଏସବୁ ପ୍ରକ୍ରିୟା ଭିତରେ ୟୁନିଟ୍‌-୯ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଟଙ୍କା ୟୁନିଟ୍‌-୪ ସ୍କୁଲକୁ ଆସି ଯାଇଥିଲା। ଯେହେତୁ ସ୍କୁଲ ଦୁଇଟି ଅଲଗା ଅଲଗା କାର୍ଯ୍ୟ କରୁଛନ୍ତି, ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବ ହୋଇଥିଲା। ତେଣୁ ଡିଇଓଙ୍କ ପରାମର୍ଶକ୍ରମେ ୟୁନିଟ୍‌-୯ ଗୋପବନ୍ଧୁନଗର ୟୁଜିୟୁପି ବିଦ୍ୟାଳୟ ପରିଚାଳନା କମିଟି ଦୋକାନୀଙ୍କଠାରୁ ବାକିରେ ୟୁନିଫର୍ମ କିଣି ପିଲାଙ୍କୁ ପ୍ରଦାନ କରିଥିଲେ। ୟୁନିଟ୍‌-୪ ସ୍କୁଲରୁ ଟଙ୍କା ଫେରସ୍ତ ହେବା ପରେ ବାକି ଟଙ୍କା ସୁଝି ଦିଆଯିବ ବୋଲି ସ୍ଥିର ହୋଇଥିଲା। ଇତିମଧ୍ୟରେ ପାଖାପାଖି ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ୟୁନିଟ୍‌-୪ ସ୍କୁଲ ଟଙ୍କା ଫେରସ୍ତ କରୁ ନାହିଁ। ଏହାକୁ ନେଇ ଦୁଇ ସ୍କୁଲ ମଧ୍ୟରେ ଟଣାଓଟରା ଜାରି ରହିଛି।

ଗୋପବନ୍ଧୁନଗର ୟୁଜିୟୁପି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ଯେ ବିଦ୍ୟାଳୟର ୧୦୮ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଟଙ୍କା ୟୁନିଟ୍‌-୪ ସରକାରୀ ବାଳିକା ସ୍କୁଲ ଆକାଉଣ୍ଟ୍‌କୁ ଆସିଥିଲା। ବର୍ଷେ ହେଲା ଉକ୍ତ ଟଙ୍କା ପଡ଼ି ରହିଛି। କମିଟି ପକ୍ଷରୁ ଏନେଇ ବିଇଓଙ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ କିଛି ଫଳ ମିଳୁ ନାହିଁ। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏନେଇ ବାରମ୍ବାର କହିବା ସତ୍ତ୍ବେ ସେ କର୍ଣ୍ଣପାତ କରୁ ନଥିବା କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ୟୁନିଟ୍‌-୪ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତି ମିଶ୍ରଙ୍କୁ ପଚରା ଯାଇଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଭୁବନେଶ୍ବର ବିଇଓ ସସ୍ମିତା ମାଳି କହିଛନ୍ତି ଯେ ଏ ଘଟଣା ଆମ ନଜରକୁ ଆସିବା ପରେ ପୋଷାକ ବାବଦ ଅର୍ଥ ୟୁନିଟ୍‌-୯ ଗୋପବନ୍ଧୁନଗର ବିଦ୍ୟାଳୟକୁ ଟ୍ରାନ୍‌ଫର୍‌ କରିବାକୁ ୟୁନିଟ୍‌-୪ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୁହାଯାଇଛି। ତେବେ ଟଙ୍କା ଟ୍ରାନ୍ସଫର୍‌ରେ ବିଳମ୍ବ ହେଉଥିବାରୁ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର