ଜୀବନ ରଙ୍ଗ: ମେନ୍ୟୁରେ ମିଲେଟ୍‌

ଭୁବନେଶ୍ବର: ଦିନ ଥିଲା ମିଲେଟ୍‌ଜାତୀୟ ଖାଦ୍ୟକୁ ଗରିବ, ଆଦିବାସୀଙ୍କ ଖାଦ୍ୟ କହି ଧନୀ, ସ୍ବଚ୍ଛଳ ମଧ୍ୟବିତ୍ତ ବର୍ଗର ଲୋକେ ନାକ ଟେକୁଥିଲେ। ବାଧ୍ୟବାଧକତାରେ ଦେଶୀୟ ଔଷଧ ଭାବେ କାଁ ଭାଁ ସ୍ବଚ୍ଛଳ ବର୍ଗର ଲୋକେ ମାଣ୍ଡିଆ ଖାଉଥିଲେ। ତେଣୁ ଏହାର ବଜାର ନଥିଲା। ଏବେ ସମୟ ବଦଳିଛି। ସହରିଆଙ୍କ ଖାଦ୍ୟ ମେନ୍ୟୁରେ ମିଲେଟ୍‌ର ପ୍ରାଧାନ୍ୟ ବଢ଼ିଛି। ପ୍ରଦୂଷିତ ପରିବେଶରେ ବିଭିନ୍ନ ରୋଗରେ ପୀଡ଼ିତ ମଣିଷ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ହେବା ପରେ ମିଲେଟ୍‌ର ଚାହିଦା ବଢ଼ିଛି। ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ମଣିଷ ମିଲେଟ୍‌ ଜାତୀୟ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନ ହୋଇଛି। ତେଣୁ ଏବେ ମିଲେଟ ତିଆରି ଜୁସ୍, ସେକ୍‌, ଜାଉ, ପିଠା, ସ୍ନାକ୍ସ ଓ ବିଭିନ୍ନ ସଂରକ୍ଷିତ ଖାଦ୍ୟ ସହରିଆଙ୍କ ପସନ୍ଦରେ ସାମିଲ ହୋଇଛି। ମେଳା, ‌ମହୋତ୍ସବରେ ଏବେ ମିଲେଟ୍‌ କାଫେ ଆଗରେ ଲମ୍ବା ଧାଡ଼ି। ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁ, ବାଜରା, ସୁଆଁ, କ୍ଷୀରା ଓ ଯବାର ଭଳି ୯ଟି ପୋଷଣଯୁକ୍ତ ଖାଦ୍ୟ ବା ମିଲେଟ୍‌ ଜାତୀୟ ଶସ୍ୟ ଏବେ ସହରୀ ଲୋକଙ୍କ ଅନ୍ୟତମ ମୁଖ୍ୟ ଖାଦ୍ୟ ପାଲଟିଛି। ପୋଷକଯୁକ୍ତ ମିଲେଟ୍‌ ଖାଦ୍ୟକୁ ନେଇ ଏଥର ଆମର ସ୍ୱତନ୍ତ୍ର ଉପସ୍ଥାପନା।

ପାଟି ସୁଆଦିଆ ମାଣ୍ଡିଆ ମିକ୍ସଚର

ଚା’ ସାଙ୍ଗକୁ ମୁଢ଼ି, ମିକ୍ସଚର ଆମ ଓଡ଼ିଆଙ୍କ ଏକ ନିତିଦିନିଆ ଖାଦ୍ୟ। ପାଟି ସୁଆଦିଆ ଓ କମ୍‌ ଦାମ୍‌ ପାଇଁ ବିଭିନ୍ନ ମେଳା, ଯାତ୍ରା ମହୋତ୍ସବରେ ଏହାର ବିକ୍ରି ଜମେ। କିନ୍ତୁ ମାତ୍ରାଧିକ ଖାଇବା ଦ୍ୱାରା ଗ୍ୟାସ୍‌, ପେଟ ଯନ୍ତ୍ରଣା ବଢ଼େ। ଭୋକ ମଧ୍ୟ କମିଯାଏ। ସାଧାରଣ ମିକ୍ସଚର୍‌ରେ ବେସନ ପରିମାଣ ଅଧିକ ଥାଏ ଓ ବିଶେଷ କିଛି ଜରୁରୀ ପୋଷକ ନଥାଏ। ମାତ୍ର ମାଣ୍ଡିଆରୁ ପ୍ରସ୍ତୁତ ମିକ୍ସଚରରେ ଏଭଳି ସମସ୍ୟା ନଥାଏ। ତେଣୁ ଏବେ ମାଣ୍ଡିଆ ମିକ୍ସଚର୍‌ର ଚାହିଦା ବଢ଼ିବାରେ ଲାଗିଛି। ମାଣ୍ଡିଆକୁ ସେଓ ଛାଞ୍ଚରେ ପକାଇ ମାଣ୍ଡିଆ ସେଓ ତିଆରି କରାଯିବା ପରେ ସେଥିରେ ବାଦାମ, ଗ୍ରିନ୍‌ ମଟର ସାଙ୍ଗକୁ ଭୃସଙ୍ଗ ପତ୍ର, ଆମ୍‌ଚୂର ପାଉଡର, ଜିରା, ଲଙ୍କା ଗୁଣ୍ଡ ପ୍ରଭୃତି ପ୍ରାକୃତିକ ମସଲା ବ୍ୟବହାର କରାଯାଉଛି। ଏହାର ମୂଲ୍ୟ କେଜି ପ୍ରତି ୨୨୦ ଟଙ୍କା ରହିଛି। ପ୍ୟାରିସରେ ମିଲେଟ୍‌ ମିସନକୁ ପ୍ରତିନିଧିତ୍ୱ କରୁଥିବା ‘ଶକ୍ତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀ’ର ପଦ୍ମାଳୟା ମହାନ୍ତିଙ୍କ ମତରେ ଆଜିକାଲି ସହରିଆଙ୍କ ଭିତରେ ମାଣ୍ଡିଆ ମିକ୍ସଚରର ଆଦର ବଢ଼ିଛି। ଦିନକୁ ପ୍ରାୟ ୩୦ରୁ ୪୦ କିଲୋ ଏହି ମିକ୍ସଚର ବିକ୍ରି ହେଉଛି।

ସ୍ଲିମ୍ ଚେହେରା ପାଇଁ ବାଜରା ରୁଟି

swadeshibandhu

ସୁନ୍ଦର ଓ ଉତ୍ତମ ସ୍ୱାସ୍ଥ୍ୟ କାହାକୁ ବା ଦରକାର ନାହିଁ! ସେଥିପାଇଁ ତ ସହରରେ ଛତୁ ଫୁଟିଲା ପରି ବ୍ୟାୟାମଶାଳା ଖୋଲିଲାଣି। ଏପରିକି ଅଧିକାଂଶ ପାର୍କରେ ଜିମ୍‌ ସରଞ୍ଜାମ ରହିଛି ଏବଂ ପାର୍କ ପାଲଟିଛି ବ୍ୟାୟାମାଶାଳା। ବିଶେଷକରି ମୋଟାପଣ କମାଇ ସ୍ଲିମ୍‌ ଚେହେରା ପାଇଁ ଏସବୁ ଲୋଡ଼ାପଡ଼ିଛି। ତେବେ ଏଥିପାଇଁ ବ୍ୟାୟାମ ଯେତିକି ଆବଶ୍ୟକ ପୁଷ୍ଟିଯୁକ୍ତ ଖାଦ୍ୟ ମଧ୍ୟ ସମପରିମାଣରେ ଆବଶ୍ୟକ। ଗହମ ଅଟା ଓ ମଇଦାଯୁକ୍ତ ଖାଦ୍ୟରେ ଶର୍କରା ପରିମାଣ ଅଧିକ ଯୋଗୁଁ ମଧୁମେହ, ମେଦବହୁଳତା ଓ ହୃଦ୍‌ଜନିତ ସମସ୍ୟା ବଢ଼ୁଛି। ମାତ୍ର ବାଜରା ରୁଟିରେ ଏଭଳି ସମସ୍ୟା ନାହିଁ। ବାଜରାରେ ଶର୍କରା ପରିମାଣ କମ୍‌ ରହିବା ସହିତ କ୍ୟାଲସିୟମ୍‌, ବିଭିନ୍ନ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ୍‌ ଓ ଉପକାରୀ ଖଣିଜ ଆଦି ପୋଷକର ମାତ୍ରା ଅଧିକ ରହିଥିବାରୁ ସ୍ଲିମ୍ ଚେହେରା ପାଇଁ ଏହାର ଚାହିଦା ବଢ଼ୁଛି ଏବଂ ବିକ୍ରି ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ମିଲେଟ୍‌ କାଫେ ଓ ଷ୍ଟଲ୍‌ରେ ଏହା କେଜି ପିଛା ୮୦ ଟଙ୍କା ହିସାବରେ ବିକ୍ରି ହେଉଛି। ମୋଟାପଣ କମାଇବାରେ ସାହାଯ୍ୟ କରୁଥିବାରୁ ଏବେ ଅଧିକାଂଶ ସେଲିବ୍ରିଟି ଗହମ ରୁଟି ବଦଳରେ ବାଜରା ରୁଟି ବା ମଲ୍ଟି‌ଗେନ୍‌ (ମିଲେଟ୍‌ଜାତୀୟ ଶସ୍ୟ)ରେ ପ୍ରସ୍ତୁତ ରୁଟି ଖାଇବାକୁ ପସନ୍ଦ କରୁଛନ୍ତି।

ହୃଦ୍‌ରୋଗରୁ ରକ୍ଷା କରେ, ତ୍ବଚାରେ ଚମକ ଆଣେ

ପୋଷଣ ବିଶେଷଜ୍ଞ ସୁଚିସ୍ମିତା ମହାରଣାଙ୍କ ମତରେ ଅଧିକାଂଶ ମିଲେଟ୍‌ ଆଣ୍ଟିଅକ୍ସିଡାଣ୍ଟ୍‌ଯୁକ୍ତ ଓ ଶର୍କରାମୁକ୍ତ। ତେଣୁ ଏହା ଆମକୁ ବିଭିନ୍ନ ପ୍ରକାର ଆଲର୍ଜିରୁ ରକ୍ଷା କରିଥାଏ। ପ୍ରତି ୧୦୦ଗ୍ରାମ୍‌ ମିଲେଟ୍‌ରେ ୭ରୁ ୧୨% ପୁଷ୍ଟିସାର, ୨ରୁ ୫% ସ୍ନେହସାର, ୬୫ ରୁ ୭୫% ଶ୍ୱେତସାର ୧୬ ରୁ ୨୦% ତନ୍ତୁଜାତୀୟ ପୋଷଣ ରହିଛି। ଏହି ଜାତୀୟ ସବୁଶସ୍ୟରେ ଗୁରୁତ୍ୱପୂର୍ଣ୍ଣ ଆମିନୋଏସିଡ୍‌ ରହିଥାଏ। ଏଥିରେ ପୁଷ୍ଟିସାର ପରିମାଣ କମ୍‌ ରହିଲେ ମଧ୍ୟ ଏହା ଶରୀର ପାଇଁ ଲାଭଦାୟକ ଅଟେ। ମିଲେଟ୍‌ରେ କ୍ୟାଲ୍‌ସିୟମ, ଫସ୍‌ଫରସ ଓ ମ୍ୟାଗ୍ନେସିୟମ୍‌ର ମଧ୍ୟ ବହୁଳମାତ୍ରାରେ ଥାଏ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ବିଷେଷକରି ହୃଦ୍‌ଜନିତ ରୋଗ ପ୍ରତିରୋଧ କରିବା ପାଇଁ ମିଲେଟ୍‌ ଜାତୀୟ ଶସ୍ୟ ସହାୟକ ହୋଇଥାଏ। ଏତଦ୍‌ବ୍ୟତୀତ ଏହା ଶରୀରରେ କୋଲାଜେନ୍‌ ବୃଦ୍ଧି କରେ। ଯାହା ତ୍ୱଚାକୁ କୁଞ୍ଚୁକୁଞ୍ଚିଆକୁ ହେବାରୁ ରକ୍ଷା କରେ ଓ ତ୍ବଚାକୁ ମସୃଣ ରଖେ। ଏଣୁ ସହରୀ ଝିଅମାନେ ମଧ୍ୟ ଏବେ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।

ସମସ୍ତଙ୍କ ପସନ୍ଦ ମାଣ୍ଡିଆ ଓ ସରଗମ୍‌ ସୁପ୍‌

hi-in.facebook.com

ଶୀତ ହେଉ କି ବର୍ଷା। ଏସବୁ ଋତୁରେ ସୁପ୍‌ର ଚାହିଦା ରହିଥାଏ। ସ୍ବାଦିଷ୍ଟ ଏବଂ ବିଭିନ୍ନ ପ୍ରକାର ଦରକାରୀ ପୋଷକର ମିଶ୍ରଣ ରହୁଥିବାରୁ ଲୋକେ ସୁପ୍‌ ପିଇବାକୁ ଭଲ ପାଆନ୍ତି। ଡାକ୍ତରମାନେ ମଧ୍ୟ ବିଭିନ୍ନ ସମୟରେ ରୋଗୀମାନଙ୍କୁ ସୁପ୍‌ ପିଇବାକୁ ପରାମର୍ଶ ଦେଇଥା’ନ୍ତି। ଅଧୁନା ସ୍ୱାସ୍ଥ୍ୟ ସଚେତନ ଯୁବପିଢିଙ୍କର ସୁପ୍‌ ପ୍ରଥମ ପସନ୍ଦ ପାଲଟିଛି। ବର୍ତ୍ତମାନ ମାଣ୍ଡିଆ ଓ ସରଗମ୍‌ ସୁପ୍‌ର ଚାହିଦା ବଢ଼ିବାରେ ଲାଗିଛି। ବିଭିନ୍ନ ପ୍ରକାର ପରିବା ସହିତ ଏଥିରେ ଅଦା କୋରା, ରସୁଣ, ଗୋଲମରିଚ ଗୁଣ୍ଡ ଆଦି ପ୍ରାକୃତିକ ମସଲା ସହିତ ସରଗମ୍ ଓ ମାଣ୍ଡିଆର ମିଶ୍ରଣ କରି ମାଣ୍ଡିଆ ଓ ସରଗମ୍‌ ସୁପ୍‌ ପ୍ରସ୍ତୁତ କରାଯାଉଛି। ମିଲେଟ୍‌ କାଫେ ଓ ଆଉଟ୍‌ଲେଟ୍‌ରେ ଏହାର କପ୍ ପ୍ରତି ୧୫ ଟଙ୍କା ହିସାବରେ ବିକ୍ରୟ ହେଉଛି। ଆଚାର୍ଯ୍ୟବିହାରସ୍ଥିତ ମାଇକେଲ୍‌ କିଚେନ୍‌ ରେସ୍ତୋରାଁରେ ମିଲେଟ୍‌ ପ୍ରସ୍ତୁତ ବହୁପ୍ରକାର ସୁପ୍‌ ଉପଲବ୍ଧ।

କାଙ୍ଗୁ, କାଦୋ ଚକୁଳି ଓ ଇଟିଲି

Yummy Tummy Aarthi

ଓଡ଼ିଆ ପରମ୍ପରାରେ ପିଠା ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଆସିଛି। ପ୍ରତ୍ୟେକ ପର୍ବପର୍ବାଣୀରେ ଘ‌ରେଘରେ ପିଠାପଣା ପ୍ରସ୍ତୁତ ହୋଇଥାଏ। ତେବେ ନିତିଦିନିଆ ଜଳଖିଆ ହିସାବରେ ବି ଚକୁଳି ଓ ଇଟିଲି ଖିଆଯାଏ। ସହରର ଅଧିକାଂଶ ଫୁଡ୍‌ ଷ୍ଟଲ୍‌‌ରେ ଏହା ମିଳିଥାଏ। ଏମିତିକି ଭଲ ହୋଟେଲ ଓ ଢାବାରେ ଚକୁଳି ମଟନ୍‌ ପସନ୍ଦର ଖାଦ୍ୟ। କିନ୍ତୁ ବର୍ତ୍ତମାନ ବିରି, ଚାଉଳଯୁକ୍ତ ପିଠା ଅପେକ୍ଷା କାଙ୍ଗୁ ଓ କାଦୋରୁ ପ୍ରସ୍ତୁତ ଚକୁଳି ଓ ଇଟିଲିର ଚାହିଦା ବଢ଼ୁଛି। ମିସନ ଶକ୍ତି ସହାୟତାରେ ଭୁବନେଶ୍ୱର ଖାରବେଳନଗର, କୃଷି ଭବନ ଆଦି ସ୍ଥାନରେ ମିଲେଟ୍‌ କାଫେ ଏବଂ ବିଭିନ୍ନ ସ୍ଥାନରେ ଆଉଟଲେଟ୍‌ର ବ୍ୟବସ୍ଥା ହୋଇଛି। ଗୋଟିଏକୁ ୧୦ଟଙ୍କା ହିସାବରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର