ଗୃହରେ ଉଠିଲା ସରକାରୀ ସମ୍ପତିକୁ ଘରୋଇ କମ୍ପାନୀର ବଜ୍ୟାପ୍ତି ପ୍ରସଙ୍ଗ, ବିରୋଧୀ ଗର୍ଜିଲେ

ଭୁବନେଶ୍ବର: ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ (ଏଲ୍‌ ଆଣ୍ଡ୍‌ ଟି) ବଜ୍ୟାପ୍ତି କରିବା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ସମାଲୋଚନା କରିଛନ୍ତି। ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ‘ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀ ପୂର୍ତ୍ତ ବିଭାଗଠାରୁ ୨୦ କୋଟି ଟଙ୍କା ପାଇବାର ଥିଲା। ଯାହାକୁ ପୈଠ କରିନଥିଲେ ସରକାର। ଏହାଦ୍ବାରା ସରକାର ବିଶ୍ଵସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି। ମନ୍ତ୍ରୀଙ୍କ ପାଖରେ ଖବର ନ ରହିବା ମଧ୍ୟ ଦୁର୍ଭାଗ୍ୟଜନକ। କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ପର୍ଦ୍ଦାଫାଶ ହେଉ। ଏହି ଘଟଣାକୁ ନେଇ ବିଜେପି ଚୁପ୍ ବସିବନି।’

ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି କି ‘ଯଦି ସରକାରଙ୍କ ସମ୍ପତ୍ତି ଗୋଟେ ଘରୋଇ କମ୍ପାନୀ ବାଜ୍ୟାପ୍ତ କରୁଛି।  ଏଥିରୁ ପ୍ରମାଣିତ ହେଉଛି ଯେ କେମିତି ସରକାର ଚାଲିଛି। ଦୁଃଖର ବିଷୟ ଏପରି ସ୍ଥିତିରେ ଆମେ ଅଛୁ ଯେ ସରକାରୀ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ପାଖରେ ଏ ଖବର ନାହିଁ ଯେ ଗୋଟିଏ ବେସରକାରୀ କମ୍ପାନୀ ସରକାରଙ୍କ ସମ୍ପତ୍ତି ଉପରେ ଅଧିକାର ଜାହିର କରୁଛି।

ତେବେ ଏନେଇ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ‘ ମୁଁ ପୂର୍ବରୁ ଏ ନେଇ ପ୍ରତିକ୍ରିୟା ଦେଇସାରିଛି। ବିରୋଧୀ ଗୃହରେ ପ୍ରସଙ୍ଗ ଉଠାଇବା ପୂର୍ବରୁ ଉତ୍ତର ରଖିସାରିଛି।’

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଘରୋଇ ସଂସ୍ଥା ଏଲ୍‌ ଆଣ୍ଡ୍‌ ଟିର ବକେୟା ୧୨୦ ଟଙ୍କା ପଇଠ କରୁ ନଥିବା ଯୋଗୁ ଖୋର୍ଦ୍ଧା ବାଣିଜ୍ୟକର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ କର୍ମଚାରୀମାନେ ନିର୍ମାଣ ସୌଧରୁ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି। ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଉପରେ ଏଲ ଏନ ଟିର ୧୨୦ କୋଟି ଟଙ୍କା ବାକି ପଡ଼ିଛି। ୨୦୦୪ରେ ସମ୍ବଲପୁରରୁ ରାଉରକେଲା ଯାଏ କରାଯାଇଥିବା ରାଜପଥ ନିର୍ମାଣ ପାଇଁ ଏଲ ଏନ ଟିକୁ ୨୦ କୋଟି ଟଙ୍କା ଆର ଆଣ୍ଡ ବି ବିଭାଗ ଦେବା ପାଇଁ ଫଇସଲା ହୋଇଥିଲା । କିନ୍ତୁ ଟଙ୍କା ନ ଦେବା ପାଇଁ ସରକାର ଜିଲ୍ଲା ଜଜଙ୍କଠାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। ହେଲେ ସୁପ୍ରିମକୋର୍ଟ ମାମଲା ଖାରଜ କରିଥିଲେ। ଫଳରେ ସୁଧ ମୂଳ ମିଶି ୧୨୦ କୋଟି ହେବା ପରେ ମଧ୍ୟ ସରକାର ଟଙ୍କା ନ ଦେବାରୁ ଖୋର୍ଦ୍ଧା ବାଣିଜ୍ୟକର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ କର୍ମଚାରୀମାନେ ନିର୍ମାଣ ସୌଧକୁ ଆସି ୯ଟି ଏ ସି , ୧୮ଟି କମ୍ପ୍ୟୁଟର , ୧୫ଟି ଆଲମିରା ଓ ୯ଟି ଟେବୁଲ ଜବତ କରିଛନ୍ତି। ରାତି ୨ଟା ସୁଦ୍ଧା ଏସବୁ ସାମଗ୍ରୀ ଜବତ କରାଯାଇଛି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର