ମହିଳା ସରକାରୀ ଅଧିକାରୀଙ୍କ ୧.୧୮ଲକ୍ଷ ଚଳୁକଲା ସାଇବର ଠକ

ଭୁବନେଶ୍ବର: ଗୁଗୁଲ୍‌ରେ ଏସ୍‌ବିଆଇ କଷ୍ଟମର୍ କେୟାର୍ ନମ୍ବର ଖୋଜିବା ମହଙ୍ଗା ପଡ଼ିଛି। ବ୍ୟାଙ୍କ୍‌କୁ କ୍ରେଡିଟ୍ କାର୍ଡ ଫେରସ୍ତ କରିବାକୁ ଯାଇ ସାଇବର ଠକ ହାବୁଡ଼ରେ ପଡ଼ି ମହିଳା ସରକାରୀ ଅଧିକାରୀ ପ୍ରାୟ ଲକ୍ଷେ ୧୮ହଜାର ଟଙ୍କା ହରାଇଛନ୍ତି। ଏନେଇ ମହିଳା ଅଧିକାରୀ ଜଣଙ୍କ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଖବର ଅନୁଯାୟୀ, ମହିଳା ଅଧିକାରୀ ସଚିବାଳୟରେ କ୍ଲାସ-ବି ଅଫିସର୍ ଭାବେ କାର୍ଯ୍ୟରତ। ସେ ଏସ୍‌ବିଆଇ ସହିଦନଗର ଶାଖାରୁ କ୍ରେଡିଟ୍ କାର୍ଡ ଆଣିଥିଲେ। ତେବେ କ୍ରେଡିଟ୍ କାର୍ଡ ବିଶେଷ ବ୍ୟବହାରରରେ ଆସୁନଥିବାରୁ ସେ ତାହାକୁ ଫେରସ୍ତ କରିବା ପାଇଁ ବ୍ୟାଙ୍କ୍‌କୁ ଯାଇଥିଲେ। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏଥିପାଇଁ ବକେୟା ଥିବା ୬ହଜାର ଟଙ୍କା ପଇଠ କରିବାକୁ କହିଥିଲେ। ସେ ୬ହଜାର ଟଙ୍କା ପଇଠ କରିଥିଲେ ବି କ୍ରେଡିଟ୍ କାର୍ଡ ଫେରସ୍ତ ହୋଇନଥିଲା। ସେ ଘରକୁ ଆସି ଗୁଗୁଲ୍‌ରେ କ୍ରେଡିଟ୍ କାର୍ଡ ଫେରସ୍ତ କରିବା ପାଇଁ କଣ ପ୍ରକ୍ରିୟା ରହିଛି ବୋଲି ଖୋଜିଥିଲେ। ଏହା ପରେ ଏସ୍‌ବିଆଇର ଏକ କଷ୍ଟମର୍ କେୟାର ନମ୍ବର୍‌ ଗୁଗୁଲ୍‌ରେ ଦେଖାଇଥିଲା।

ଉକ୍ତ ନମ୍ବରକୁ ଯୋଗାଯୋଗ କରିବାରୁ ଏସ୍‌ବିଆଇ କର୍ତ୍ତୃପକ୍ଷଙ୍କ ଭଳି ସାଇବର ଠକ ତାଙ୍କୁ ପ୍ରଥମେ କ୍ରେଡିଟ୍ କାର୍ଡର ଲାଭ ବାବଦରେ ପ୍ରାୟ ଦେଢ଼ଘଣ୍ଟା କାଳ ବୁଝାଇଥିଲା। ଏହା ସହିତ କ୍ରେଡିଟ୍ କାର୍ଡ ନ ଫେରାଇବା ପାଇଁ କହିଥିଲା। ମାତ୍ର ମହିଳା ଅଧିକାରୀ ସାଇବର ଠକର ଚାଲାକି ବୁଝିନପାରି ତାଙ୍କୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ବୋଲି ଭାବି ନେଇଥିଲେ। ତେଣୁ କ୍ରେଡିଟ୍ କାର୍ଡ ଯେମିତି ହେଉ ଫେରସ୍ତ ପାଇଁ ଉପରିସ୍ଥ କର୍ମଚାରୀ କହିବାକୁ ମହିଳା ଅଧିକାରୀ ସାଇବର୍ ଠକକୁ କହିଥିଲେ। ଏହା ପରେ ସାଇବର ଠକ କ୍ରେଡିଟ୍ କାର୍ଡ ଫେରସ୍ତ ପାଇଁ ତାଙ୍କ ମୋବାଇଲ୍‌କୁ ଓଟିପି ଯାଇଥିବା କହିଥିଲା। ଉକ୍ତ ଓଟିପି ଦେବା ପରେ କ୍ରେଡିଟ୍ କାର୍ଡ ଫେରସ୍ତ ପାଇଁ ପ୍ରକ୍ରିୟା କରାଯିବ ବୋଲି ବୁଝାଇଥିଲା। ଏହି କ୍ରମରେ ସାଇବର ଠକ ତାଙ୍କ ମୋବାଇଲ୍‌କୁ ଯାଇଥିବା ଓଟିପି ମାଗିଥିଲା। ପ୍ରାୟ ୩ରୁ ୪ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟ୍‌ରୁ ଲକ୍ଷେ ୧୮ହଜାର ଟଙ୍କା ଲୁଟିନେଇଥିଲା। ଅଭିଯୋଗକୁ କେନ୍ଦ୍ର କରି ଭୁବନେଶ୍ବର ସାଇବର ଥାନା ତଦନ୍ତରୁ ଜାଣିଛି, ମହିଳାଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟି ପ୍ରାୟ ୩ଟି ଆକାଉଣ୍ଟ୍‌କୁ ଯାଇଛି। ତେଣୁ ଉକ୍ତ ଆକାଉଣ୍ଟ୍‌କୁ ଅଚଳ କରି ଟଙ୍କା ଫେରସ୍ତ ଆଣିବାକୁ ଉଦ୍ୟମ କରାଯାଉଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର