ଜୁଲାଇରେ ୧.୩୮କୋଟି ସାଇବର ଲୁଟ୍‌

ଭୁବନେଶ୍ବର: ସାଇବର ଠକଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିମାସ ସାଇବର ଠକ ରାଜଧାନୀବାସୀଙ୍କ ପାଖରୁ କୋଟି କୋଟି ଟଙ୍କା ଲୁଟିନେଉଥିବା ଥାନାରେ ଅଭିଯୋଗ ହେଉଛି। ମାତ୍ର ସେହି ତୁଳନାରେ ଟଙ୍କା ଫେରିପାରୁନାହିଁ କି ଅଭିଯୁକ୍ତ ଗିରଫ ମଧ୍ୟ ହେଉନାହାନ୍ତି। ଏହି କ୍ରମରେ ଜୁଲାଇ ମାସରେ ରାଜଧାନୀରୁ ୩୨୧ଜଣଙ୍କ ଠାରୁ ପ୍ରାୟ ୧କୋଟି ୩୮ଲକ୍ଷ ୬୪ହଜାର ୬ଶହ ୯୪ଟଙ୍କା ଠକେଇ ହୋଇଥିବା ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହୋଇଛି।

ସେଥିମଧ୍ୟରୁ ୧୪୮ଜଣଙ୍କ ଠାରୁ ୟୁପିଆଇ ଦ୍ବାରା ଠକେଇ କରାଯାଇଥିବା ବେଳେ ୭୧ଜଣଙ୍କୁ କ୍ରେଡିଟ୍/ଡେବିଟ୍ କାର୍ଡ ଦ୍ବାରା ଏବଂ ୧୦୨ଜଣଙ୍କୁ ଅନଲାଇନ୍‌ରେ ଠକେଇ କରାଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଭୁବନେଶ୍ବର ସାଇବାର ଥାନା ପୁଲିସ ମାତ୍ର ୧୧ଲକ୍ଷ ୩୯ହଜାର ୯ଶହ ୪୧ଟଙ୍କା ଫେରସ୍ତ କରିଥିବା ବେଳେ ପ୍ରାୟ ୧୯ଲକ୍ଷ ଟଙ୍କା ବ୍ଲକ୍ କରିଥିବା କମିସନରେଟ୍ ପୁଲିସ ସୂଚନା ଦେଇଛି। ସେହିଭଳି ଗତ ୭ମାସ ମଧ୍ୟରେ ରାଜଧାନୀରୁ ପ୍ରାୟ ୭କୋଟି ୭୯ଲକ୍ଷ ଟଙ୍କା ଠକେଇ କରାଯାଇଛି। ଅପରପଟେ ୭ମାସରେ ୩୦ଟି ସାଇବର୍ ମାମଲା ରୁଜୁ ହୋଇଥିବା ବେଳେ ୩୦ଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଫେରିଛି ୧୧ଲକ୍ଷ, ବ୍ଲକ୍ ହୋଇଛି ୧୯ଲକ୍ଷ

ସେକ୍ସଟର୍ସନ, ଓଏଲ୍‌ଏକ୍ସ୍, ବିଦ୍ୟୁତ୍ ଦେୟ ଓ

ଏନି ଡେସ୍କ୍ ଆପ୍ ପ୍ରତି ସତର୍କ କରାଇଲେ ଡିସିପି

ଏ ସଂକ୍ରାନ୍ତରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି, ସାଇବର ଅପରାଧୀମାନେ ବିଶେଷ କରି ନ୍ୟୁଡ୍ କଲ୍ ସ୍କାମ୍ ବା ସେକ୍ସଟର୍ସନ, ଜିନିଷ କିଣାବିକା ନାଁରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ତଥା ଆପ୍ ମାଧ୍ୟମରେ ଠକେଇ ଏବଂ ଏନି ଡେସ୍କ୍ ବା ରିମୋଟ୍ କଣ୍ଟ୍ରୋଲ୍ ଆପ୍ ମୋବାଇଲ୍‌ରେ ଇନଷ୍ଟଲ୍ କରାଇ ଲୋକଙ୍କୁ ଠକୁଛନ୍ତି। ଏହା ବ୍ୟତୀତ ସାଇବର ଠକ ଏବେ ବିଦ୍ୟୁତ୍ ଦେୟକୁ ନେଇ ନୂଆ ଶୈଳୀରେ ଠକେଇ କରୁଥିବା ଅଭିଯୋଗ ଆସୁଛି। ମୋବାଇଲକୁ ଅଜଣା ନମ୍ବରରୁ ମେସେଜ ଆସୁଛି, ଆପଣଙ୍କ ବିଦ୍ୟୁତ୍ ଦେୟ ବକେୟା ଅଛି।

ଏହି ନମ୍ବରରେ ଫୋନ୍ କରି ଟଙ୍କା ନ ପଠାଇଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ। ପରେ ଉକ୍ତ ନମ୍ବରକୁ ଫୋନ୍ କଲେ ଚଞ୍ଚକତା କରି ଆକାଉଣ୍ଟରୁ ଟଙ୍କା ଠକିନେଉଥିବା ସାଇବର ଥାନାକୁ ଅଭିଯୋଗ ଆସୁଛି ବୋଲି ଡିସିପି ସୂଚନା ଦେଇଛି। ଅପରପଟେ ନ୍ୟୁଡ୍ କଲ୍ ସ୍କାମ୍ ମଧ୍ୟ ବ୍ୟାପକ ମାତ୍ରାରେ ବଢ଼ିବାରେ ଲାଗିଛି। ଲୋକଲଜ୍ଜା ଭୟରେ ଠକେଇର ଶିକାର ବ୍ୟକ୍ତି ଥାନାକୁ ଅଭିଯୋଗ କରିବାକୁ ଆସୁନାହାନ୍ତି। ଯାହାକୁ ନେଇ ଡିସିପି ଶ୍ରୀ ସିଂହ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନ୍ୟୁଡ୍ କଲ୍ ସ୍କାମ୍ ଜରିଆରେ ଠକେଇର ଶିକାର ହେଲେ ତୁରନ୍ତ ଥାନାରେ ଅଭିଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଅଭିଯୋଗକାରୀଙ୍କର ପରିଚୟ ଗୋପନୀୟ ରଖାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର