ଆମାଜନ୍ ଇ-ଗିଫ୍ଟ ଭାଉଚର୍ ନାଁରେ ୧.୪ ଲକ୍ଷ ଚୂନ

ଭୁବନେଶ୍ବର: ଦିନକୁ ଦିନ ନୂଆ ଧରଣର ସାଇବର ଠକେଇ ସାମ୍ନାକୁ ଆସିବାରେ ଲାଗିଛି। ସାଇବର ଅପରାଧୀମାନେ ନୂଆ ନୂଆ କୌଶଳ ପ୍ରୟୋଗ କରି ଠକେଇ କରି ଚାଲିଛନ୍ତି। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଆମାଜନ୍ ଇ-ଗିଫ୍ଟ ଭାଉଚର ନାଁରେ ଲକ୍ଷାଧିକ ଟଙ୍କା ଠକେଇ ନେଇ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ ପହଞ୍ଚିଛି। ଅନ୍ୟ ମାମଲା ଠାରୁ ଠକେଇ ଅର୍ଥ ପରିମାଣ କମ୍ ହୋଇଥିଲେ ମଧ୍ୟ ନୂଆ ଧରଣର ହୋଇଥିବାରୁ ସାଇବର ଥାନା ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ଏ ନେଇ ତନାଘନା ଆରମ୍ଭ ହୋଇଛି। ଠକେଇର ଶିକାର ହୋଇଛନ୍ତି ନ୍ୟୁ ସରକାରୀ କଲୋନିରେ ରହୁଥିବା ସନ୍ତୋଷ କୁମାର ସୁଆର।

ଅଭିଯୋଗରୁ ଜଣାପଡ଼ିଛି, ଗତ ୧୨ ତାରିଖ ସକାଳେ ସନ୍ତୋଷଙ୍କ ମୋବାଇଲ ଫୋନକୁ ଏକ ଅଜଣା ନମ୍ବରରୁ ହ୍ବାଟ୍‌ସଆପରେ ମେସେଜ୍ ଆସିଥିଲା। ସେଥିରେ ଲେଖା ଥିଲା ‘ହେଲୋ ସନ୍ତୋଷ, ହାଓ ଆର୍ ୟୁ’। ସନ୍ତୋଷ ସାଙ୍ଗର ମେସେଜ୍ ଭାବି ଏହାର ଉତ୍ତର ରଖିଥିଲେ। ଏହା ପରେ ତାଙ୍କ ପାଖକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲଗାତାର୍ ମେସେଜ୍ ଆସିଥିଲା। ମେସେଜ୍ ପଠାଇଥିବା ବ୍ୟକ୍ତି ସାହାଯ୍ୟ ମାଗିବା ସହ ୧୦ଟି ଆମାଜନ୍ ଇ-ପେ ଗିଫ୍ଟ ଭାଉଚର କାର୍ଡ କିଣିବା ଲାଗି କହିଥିଲା। ଗୋଟିଏ କାର୍ଡର ମୂଲ୍ୟ ୧୦ ହଜାର ଟଙ୍କା ଥିଲା।

କ୍ରାଇମବ୍ରାଞ୍ଚରେ ମାମଲା, ତନାଘନା ଆରମ୍ଭ
ହ୍ବାଟ୍‌ସଆପରେ ଆସିଥିଲା ମେସେଜ୍‌
ନୂଆଧରଣର ସାଇବର ଠକେଇ

ସନ୍ତୋଷ ୧ ଲକ୍ଷ ଟଙ୍କାର କାର୍ଡ କିଣିଥିଲେ। ସେହିପରି କିଛି ସମୟ ପରେ ଆଉ ଗୋଟିଏ ନମ୍ବରରୁ ତାଙ୍କ ପାଖକୁ ସମାନ ଧରଣର ମେସେଜ୍ ଆସିଥିଲା। ୧୫ଟି ଗିଫ୍ଟ ଭାଉଚର କାର୍ଡ କିଣିବା ପାଇଁ କୁହାଯାଇଥିଲା। ବିନା ଯାଞ୍ଚରେ ସନ୍ତୋଷ ଆଉ ୪ଟି କାର୍ଡ କିଣିଥିଲେ। ମୋଟ ୧ ଲକ୍ଷ ୪୦ ହଜାର ଟଙ୍କା ବିନିମୟରେ ୧୪ଟି ଇ-ଗିଫ୍ଟ ଭାଉଚର କିଣିଥିଲେ। ଏହା ପରେ ସେ ଜାଣିବାକୁ ପାଇଥିଲେ ସାଇବର ଅପରାଧୀ ଏହି ଠକେଇ କରିଛନ୍ତି। ଏ ନେଇ ସେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଆଇପିସି ଦଫା-୪୧୯, ୪୨୦ ଓ ଆଇଟି ଆଇନର ଧାରା-୬୬(ସି) ଓ ୬୬(ଡି) ଅନୁସାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର