ଭୁବନେଶ୍ୱର: ଦେଢ଼ କୋଟି ଟଙ୍କା ଠକେଇ କରିଥିବା ଜଣେ ମହିଳାଙ୍କ ବିରୋଧରେ ମଞ୍ଚେଶ୍ବର ଥାନା ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପ୍ରତିବାଦରେ ଆଜି ରାତିରେ ସମେଇଗାଡ଼ିଆ ଅଞ୍ଚଳର ୫୦ରୁ ଊର୍ଧ୍ବ ମହିଳା ଡିସିପି ଅଫିସ୍ ଘେରାଉ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା, ଠକେଇ କରିଥିବା ମହିଳାଙ୍କୁ ଗିରଫ କରିବା ବଦଳରେ ମଞ୍ଚେଶ୍ବର ପୁଲିସ୍ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛି। ତେଣୁ ଡିସିପି ଏହାର ସମାଧାନ କରିବାକୁ ସେମାନେ ଅଡ଼ି ବସିଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଜୋନ୍ ଏସିପି ସେମାନଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଅଭିଯୋଗ ଅନୁଯାୟୀ, ଧୂର୍ତ୍ତ ମହିଳାଜଣଙ୍କ ସମେଇଗାଡ଼ିଆ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ପରେ ଏକ ଗ୍ରୁପ୍ କରି ଟଙ୍କା ଜମା ରଖୁଥିଲେ। ଏଥିରୁ ସଦସ୍ୟମାନେ ଋଣ ନେଇ ଶୁଝୁଥିଲେ। ମିଳୁଥିବା ସୁଧ ପଇସା ସମସ୍ତଙ୍କ ଭିତରେ ବଣ୍ଟା ହେଉଥିଲା। କିଛି ବର୍ଷ ଏଭଳି ଚାଲିବା ପରେ ମହିଳାଜଣକ ଚଞ୍ଚକତା କରି ଅନ୍ୟ ସଦସ୍ୟଙ୍କ ନାମରେ ବ୍ୟାଙ୍କରୁ ଦେଢ଼ କୋଟି ଟଙ୍କାର ଋଣ ଉଠାଇଥିଲେ। ସେମାନଙ୍କ ଭିତରୁ କିଛି ମହିଳା ପରେ ନିଜ ଆକାଉଣ୍ଟ ଚେକ୍ କରିବା ପରେ ଏହି ଘଟଣା ପଦାକୁ ଆସିଥିଲା। ମଧୁସ୍ମିତା ଦାସଙ୍କର ୧୪ଲକ୍ଷ, ସରିତା ପ୍ରଧାନଙ୍କର ଲକ୍ଷେ୮୦, ପୁଷ୍ପମଞ୍ଜରୀ ରଥଙ୍କର ୬ଲକ୍ଷ ଏଭଲି ଦେଢ଼ କୋଟି ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳାମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ଜୁନ୍ ୩୦ ସୁଧା ସେ ସବୁତକ ଟଙ୍କା ଦେଇଦେବେ ବୋଲି ଆପୋସ ବୁଝାମଣା ହୋଇଥିଲା। ହେଲେ ପରେ ମହିଳାଜଣଙ୍କ ସେଠାରୁ ଘର ଛାଡ଼ି ପାଣ୍ଡରା ପଳାଇଥିଲେ। ଆଜି ରାତିରେ କିଛି ମହିଳା ପାଣ୍ଡରାସ୍ଥିତ ତାଙ୍କ ଘରେ ପହଞ୍ଚି ଟଙ୍କା ଦେବାକୁ ଅଡ଼ି ବସିବାରୁ ସେଠାରେ ଜଣେ ଯୁବକ ସେମାନଙ୍କୁ ମାଡ଼ ମାରିଥିଲା। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲେ ହେଁ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ମହିଳାମାନଙ୍କୁ ଗାଳି କରିଥିଲା। ଏହାର ପ୍ରତିବାଦରେ ମହିଳାମାନେ ଡିସିପି ଅଫିସ୍ ଘେରାଉ କରିଥିଲେ।