ଭୁବନେଶ୍ବର: ସିମ୍ ଛତିଶଗଡ଼ର, ଫୋନ୍ ପଶ୍ଚିମବଙ୍ଗର, ଫୋନ୍ର ଲୋକେସନ୍ ଜମ୍ମୁକଶ୍ମୀରରେ, ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟପ୍ରଦେଶରେ ଏବଂ ଆକାଉଣ୍ଟଧାରୀ ଗୁଜୁରାଟର...। ଏଭଳି ବିଚିତ୍ର ତଥ୍ୟ ମିଳିବା ପରେ କୋଉଠୁ ତଦନ୍ତ ଆରମ୍ଭ କରିବ, କୋଉ ରାଜ୍ୟକୁ ଯିବ ଓ କାହାକୁ ଧରିବ; କିଛି ଜାଣିପାରୁନି ଭୁବନେଶ୍ବର ସାଇବର ଥାନା ପୁଲିସ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଯୁବତୀ ସାଇବର୍ ଠକେଇର ଶିକାର ହୋଇଥିଲେ। କେଵାଇସି ଅପଡେଟ୍ କରାଇବା ନାଁରେ ଠକ ଯୁବତୀଙ୍କୁ କଲ୍ କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲା। ଏ ସଂପର୍କରେ ଯୁବତୀଜଣଙ୍କ ଭୁବନେଶ୍ବର ସାଇବର ସେଲ୍ରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗର ତଦନ୍ତ କରୁ କରୁ ପୁଲିସ ଏବେ ହରଡ଼ଘଣାରେ ପଡ଼ି ଯାଇଛି। ତଦନ୍ତରୁ ଜଣାପଡ଼ିଥିଲା, ଯେଉଁ ନମ୍ବରରୁ ସାଇବର୍ ଠକ ଯୁବତୀଙ୍କୁ ଫୋନ୍ କରିଥିଲା, ଉକ୍ତ ନମ୍ବରର ଲୋକେସନ୍ ଜମ୍ମୁ କାଶ୍ମୀରରେ।
ମାତ୍ର ଏହି ସିମ୍ ଛତିଶଗଡ଼ରୁ ଆକ୍ଟିଭେଟ୍ କରାଯାଇଛି। ସେହିଭଳି ଯେଉଁ ସ୍ମାର୍ଟଫୋନ୍ ବ୍ୟବହାର କରି ଠକେଇ କରାଯାଇଛି, ତାହା ପଶ୍ଚିମବଙ୍ଗରୁ କିଣାଯାଇଛି। ଯୁବତୀଙ୍କ ଆକାଉଣ୍ଟ୍ରୁ ସ୍ଥାନାନ୍ତର ହୋଇଥିବା ଦେଢ଼ଲକ୍ଷ ଟଙ୍କା ମଧ୍ୟପ୍ରଦେଶର ଏକ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଯାଇଥିବା ବେଳେ ସେ ଆକାଉଣ୍ଟର ମାଲିକ ଗୁଜରାଟର ଜଣେ ବ୍ୟକ୍ତି ଓ ସେ ଗୁଜରାଟରେ ରହନ୍ତି।
ଏଭଳି ବିଭ୍ରାନ୍ତିକର ତଥ୍ୟ ସାମ୍ନାକୁ ଆସିବା ପରେ ସାଇବର୍ ଥାନା ପୁଲିସକୁ କେଉଁ ରାଜ୍ୟକୁ ଯାଇ ଚଢ଼ଉ କରିବ ଏବଂ କାହାକୁ ଧରି ତଦନ୍ତ ଆରମ୍ଭ କରିବ, ତାହା ସ୍ଥିର କରିପାରୁନି। ଏପରିକି ମଧ୍ୟପ୍ରଦେଶର ଯେଉଁ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ଯାଇଛି, ଉକ୍ତ ବ୍ୟକ୍ତିଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିବା ପରେ ତାଙ୍କ ନାଁରେ ଏଭଳି କୌଣସି ବ୍ୟାଙ୍କ୍ ଆକାଉଣ୍ଟ ନାହିଁ ବୋଲି ସେ ସ୍ପଷ୍ଟ ମନା କରିଦେଇଛନ୍ତି। ତାଙ୍କ ଅଗୋଚରରେ ଏଭଳି ଆକାଉଣ୍ଟ ଖୋଲାଯାଇଥିବା ସେ ପୁଲିସକୁ ସୂଚନା ଦେଇଛନ୍ତି।
ଅପରପକ୍ଷେ, ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ସାଇବର ଠକ ଠକେଇ ପାଇଁ ବ୍ୟବହାର କରୁଥିବା ଫୋନ୍ଠୁ ଆରମ୍ଭ କରି ବ୍ୟାଙ୍କ୍ ଆକାଉଣ୍ଟ୍ ସବୁ ଜାଲିଆତି କରି ବିଭିନ୍ନ ଲୋକଙ୍କ ନାଁରେ ଖୋଲିଥା’ନ୍ତି। ଯେଉଁଥିପାଇଁ ପୁଲିସ ଠକେଇର ତଦନ୍ତ କରିବା ସମୟରେ ଦ୍ବନ୍ଦ୍ବରେ ପଡ଼େ ଏବଂ ସେମାନେ ସହଜରେ ଧରାପଡ଼ନ୍ତି ନାହିଁ। ତେଣୁ ଏହି ତଥ୍ୟ ହାସଲ କରିବା ପାଇଁ ଠକମାନେ ଅନେକ ସମୟରେ ଫେକ୍ ୱେବସାଇଟ୍ ମଧ୍ୟ ଖୋଲିଥା’ନ୍ତି। ଏହି ୱେବସାଇଟ୍ ମାଧ୍ୟମରେ ସେମାନେ ଲୋକଙ୍କ ଆଧାରକାର୍ଡ, ଫୋନ୍ ନମ୍ବର, ଘର ଠିକଣା, ପ୍ୟାନ୍ କାର୍ଡ ଓ ଭୋଟର୍ କାର୍ଡ ଭଳି ବ୍ୟକ୍ତିଗତ ତଥ୍ୟ ନେବାକୁ ଉଦ୍ୟମ କରନ୍ତି। ଏହା ପରେ ଉକ୍ତ ତଥ୍ୟକୁ ବ୍ୟବହାର କରି ଜାଲ୍ ବ୍ୟାଙ୍କ୍ ଆକାଉଣ୍ଟ୍, ସିମ୍, ଫୋନ୍ ଆଦି ବ୍ୟବହାର କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/32-1.jpg)
