ଫ୍ଲାଟ୍‌ ଦେବା ନାଁରେ ୧.୭୨ କୋଟି ଚଳୁ, ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍‌ ଥିବା ଜଣେ ବିଲ୍ଡରକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ ଊର୍ଧ୍ବ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଠକେଇରେ ସମ୍ପୃକ୍ତ ଥିବା ମନୋଜଙ୍କ ପତ୍ନୀ ସୁଚିତ୍ରା ବିଶୋଇ ଓ ଅନ୍ୟ କିଛି ସହଯୋଗୀ ଫେରାର ଅଛନ୍ତି।

ସୂଚନା ମୁତାବକ, ୨୦୧୬ ମସିହାରେ ମନୋଜଙ୍କ ସଂସ୍ଥା ଭୁବନେଶ୍ବର ସିଜୁଆଠାରେ ବାସେରା ଫ୍ରେସ୍‌କୋ ନାମକ ଏକ ଆପାର୍ଟମେଣ୍ଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଲୋକଙ୍କୁ ସୁଲଭ ମୂଲ୍ୟରେ ଫ୍ଲାଟ୍‌ ଦେବାକୁ କହି ପ୍ରଲୋଭିତ କରିଥିଲା। ପଳାସୁଣୀସ୍ଥିତ ଅଫିସ୍‌ରେ ଏଥିପାଇଁ ବୁକିଂ ହୋଇଥିଲା। ‌ଜ୍ୟୋତି ଶଙ୍କର ପଣ୍ଡା, ତାଙ୍କ ଭାଇ ସୁବାସ ଶଙ୍କର ପଣ୍ଡା ଏବଂ ସେମାନଙ୍କ ଅନ୍ୟ ଜଣେ ବନ୍ଧୁ ୩ଟି ଫ୍ଲାଟ୍‌ ବୁକିଂ କରିଥିଲେ। ୨୦୧୭ ଜୁନ୍‌ରେ ମନୋଜଙ୍କ ସଂସ୍ଥା ଫ୍ଲାଟ୍‌ ହସ୍ତାନ୍ତର କରିବା କଥା। ମାତ୍ର ଦିନ ଗଡ଼ି ଚାଲିବା ସତ୍ତ୍ବେ ଫ୍ଲାଟ ମିଳିଲା ନାହିଁ କି ଗ୍ରାହକମାନେ ଟଙ୍କା ଫେରସ୍ତ ମାଗିଲେ ବି ମିଳିଲା ନାହିଁ।

ଏହି ତିନିଜଣଙ୍କ ବା‌ଦ୍‌ ଏମିତି ବହୁ ଗ୍ରାହକ ଫ୍ଲାଟ୍‌ କିଣିବା ପାଇଁ ଟଙ୍କା ଜମା କରିଥିଲେ ଓ ସଂସ୍ଥା ସେମାନଙ୍କୁ ଠକିଥିଲା। ପରେ ମନୋଜ ପଳାସୁଣି କାର୍ଯ୍ୟାଳୟକୁ ବନ୍ଦ କରି ସମସ୍ତ ସହଯୋଗୀଙ୍କ ସହ ଫେରାର୍‌ ହୋଇଯାଇଥିଲେ। ଏହାପରେ ଗ୍ରାହକମାନେ ଠକାମିର ଶିକାର ହୋଇଥିବା ଜାଣି ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ। ଗୋଟିଏ ପରେ ଗୋଟିଏ ଅଭିଯୋଗ ବଢ଼ି ଚାଲିଥିଲା। ଆଜି ମନୋଜଙ୍କୁ ଗିରଫ କରାଯାଇ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ‌ ମନୋଜ ଏବଂ ତାଙ୍କର ସହଯୋଗୀମାନେ ବାସେରା ବ୍ରିନ୍ଦାବନ, ବାସେରା ଇମ୍ପ୍ରେସନ୍‌ ପ୍ଲସ୍‌, ବାସେରା ହାର୍‌ମୋନି, ବାସେରା ଆଙ୍ଗନ୍‌ ଭଳି ଭିନ୍ନ ଭିନ୍ନ ଆପାର୍ଟମେଣ୍ଟ ପ୍ରୋଜେକ୍ଟ ନାଁରେ ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି।

ସମ୍ବନ୍ଧିତ ଖବର