ଜୟଦେବ ପୀଠ, କୋଟିଏ ଟଙ୍କାର ସମ୍ପତ୍ତି ନଷ୍ଟ

ପର୍ଯ୍ୟଟନ ବିଭାଗ ରିପୋର୍ଟ

ବାଲିଅନ୍ତା: ବାତ୍ୟା ଫନି ମାଡ଼ରେ କେନ୍ଦୁବିଲ୍ବ ସ୍ଥିତ ଜୟଦେବ ପୀଠରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାସକ ପରେ ଆଜି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇଛି। ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପର୍ଯ୍ୟଟନ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଓଟିଡିସି ସହକାରୀ ଯନ୍ତ୍ରୀ ସୁବ୍ରତ ଜେନା ସୂଚନା ପ୍ରଦାନ କରିଛନ୍ତି। ଜୟଦେବ ପୀଠର ତୁରନ୍ତ ପୁନରୁଦ୍ଧାର ପାଇଁ ଗତ ମାସ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ସଚିବାଳୟରେ ସଂପୃକ୍ତ ବିଭାଗର ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ବିଭାଗ ଏମଡି ଓ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟର ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ସହିତ ଜୟଦେବ ସରପଞ୍ଚ ଓ ବନ ବିଭାଗ କର୍ତୃପକ୍ଷ ଉପସ୍ଥିତ ଥିଲେ। ବୈଠକରେ ପୀଠ ପୂର୍ବ ଓ ଦକ୍ଷିଣ ପାର୍ଶ୍ବରେ ଭାଙ୍ଗିପଡ଼ିଥିବା ୫୦୦ ମିଟର ପଥର ପାଚେରି ସମେତ ଭାଙ୍ଗିପଡ଼ିଥିବା ୬୦୦୦ରୁ ଅଧିକ ବୃକ୍ଷର ସବୁଜ ଆବର୍ଜନା ପ୍ରଥମେ ସଫା କରିବା ଲାଗି ନିଷ୍ପତ୍ତି ହୋଇଥିଲା। ହେଲ ଏଯାଏ ଏସବୁ ହଟିପାରିନି। ଗଛପଡ଼ି ଭାଙ୍ଗିଯାଇଥିବା ୪୫୦ ମିଟର ପାଥ୍‌ୱେର ନବୀକରଣ କାର୍ଯ୍ୟ କରାଯିବା ଲାଗି ମଧ୍ୟ ସ୍ଥିର ହୋଇଥିଲା। ଗେଷ୍ଟ ହାଉସ୍‌ ଓ ରୋଷେଇ ଘର ମରାମତି କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା। ପାଣିଫୁଆରା, ହାଇମାଷ୍ଟ ଲାଇଟ, ମ୍ୟୁଜିୟମ, ବିଭିନ୍ନ କୁଞ୍ଜ ପିଲର୍‌, ଛାତ ଓ ଚଟାଣ ମରାମତି ହେବ। ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟଙ୍କା କେବେ ମଂଜୁର ହେବ ଏବଂ ନିର୍ମାଣ କାର୍ଯ୍ୟ ଚାଲିବ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଜିଲ୍ଲା ଅଧିକାରୀମାନଙ୍କ ବୈଠକରେ ହୋଇଥିବା ଆଲୋଚନା କେବଳ ସେହି ବୈଠକରେ ସୀମିତ ରହିଛି। ଅନ୍ୟପକ୍ଷରେ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ସଂପାଦକ ଶ୍ରୀ ତ୍ରିପାଠୀଙ୍କ କହିବାନୁଯାୟୀ ଲୋକେ କାଠଗଣ୍ଡି ସହିତ ଜିଅନ୍ତା ଗଛ କାଟି ଲୁଟି ନେଉଛନ୍ତି। ଏନେଇ ବାଲିଅନ୍ତା ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଅନ୍ଧାରର ସୁଯୋଗ ନେଇ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଛି। ହେଲେ ପ୍ରଶାସନ ଚୁପ୍‌ ବସିଛି ।

ସମ୍ବନ୍ଧିତ ଖବର