ସର୍ଭେ, ସାନିଟେସନ୍ କାମ ନାଁରେ କୋଟିଏ ଟଙ୍କା ଠକେଇ: କର୍ମଚାରୀଙ୍କୁ ଅପହରଣରୁ ପର୍ଦ୍ଦାଫାସ୍‌

ଭଦ୍ରକରୁ ଅପହୃତଙ୍କୁ ଉଦ୍ଧାର, ୪ ଗିରଫ

ଭୁବନେଶ୍ବର: ଚାକିରି ନାଁରେ ବେକାର ଯୁବକଯୁବତୀଙ୍କଠାରୁ ପ୍ରାୟ କୋଟିଏ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ୍ କରିଛି ଭରତପୁର ଥାନା ପୁଲିସ। ଏକ ଅପହରଣ ମାମଲାର ତଦନ୍ତ କରିବା ସମୟରେ ବଡ଼ଧରଣର ଠକେଇ ପଦାକୁ ଆସିଛି। ଅପହୃତ ଯୁବକଙ୍କୁ ପୁଲିସ ଭଦ୍ରକରୁ ଉଦ୍ଧାର କରିଥିବା ବେଳେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭଦ୍ରକ ଧୁଷୁରି ଅଞ୍ଚଳର ଆର୍ଯ୍ୟବ୍ରତ ତ୍ରିପାଠୀ(୨୭), ସୁଶାନ୍ତ ପଣ୍ଡା(୩୯), ବାଲେଶ୍ବର ନୀଳଗିରି ଅଞ୍ଚଳର ଜୟଦେବ ବେହେରା(୨୪) ଓ ଭଦ୍ରକ ଧାମନଗର ବିଦେଇପୁର ଅଞ୍ଚଳର ରାମଚନ୍ଦ୍ର ମିଶ୍ର।

ପୁଲିସ ସୂଚନା ଅନୁସାରେ, ଅପହର୍ତ୍ତାମାନେ ଭଦ୍ରକର ଏକ ଏନ୍‌ଜିଓରେ କାମ କରନ୍ତି। କୋଳଥିଆ ଅଞ୍ଚଳର ବିରଞ୍ଚି ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ରାସନ୍ କାର୍ଡ, ଆବାସ ଯୋଜନା ଭଳି ସର୍ଭେ ଓ ଗାଁ ଗାଁରେ ସର୍ଭେ କରିବା ପାଇଁ ବିଜ୍ଞାପନ ବାହାର କରିଥିଲେ। ବେକାର ଯୁବକଯୁବତୀମାନେ ଏଥିରେ ଆବେଦନ କରିପାରିବେ ଓ ଏଥିପାଇଁ ସେମାନଙ୍କୁ ମାସକୁ ଭଲ ଦରମା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହା ଯାଇଥିଲା। ବିଭିନ୍ନ ପଦ ପଦବି ପାଇଁ ବିଜ୍ଞାପନ ବାହାରିଥିଲା। ସର୍ଭେୟର, ସୁପରଭାଇଜର ଭଳି ପଦବି ରହିଥିଲା। ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତ ଚାକିରି ପାଇଁ ୮ ଲକ୍ଷ ଟଙ୍କା ଦେଇଥିଲେ। ବିରଞ୍ଚିଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଦ୍ବାରା ଏହି ସବୁ କାରବାର ହୋଇଥିଲା। କିନ୍ତୁ ସେମାନଙ୍କୁ ଚାକିରି ମିଳି ନ ଥିଲା। ସେମାନଙ୍କ ଜରିଆରେ ମଧ୍ୟ ଅନେକ ବେକାର ଯୁବକଯୁବତୀ ଚାକିରି ପାଇଁ ଟଙ୍କା ଦେଇ ନିରାଶ ହୋଇଥିଲେ। ଶେଷରେ ନିରାଶ ହେବା ପରେ ଅପହର୍ତ୍ତାମାନେ ବିରଞ୍ଚିଙ୍କ କାର୍ଯ୍ୟାଳୟର ଯେଉଁ କର୍ମଚାରୀଙ୍କ ଜରିଆରେ ଟଙ୍କା କାରବାର ହୋଇଥିଲା ତାଙ୍କୁ ଟେକି ନେଇଥିଲେ। ଭଦ୍ରକରେ ଏକ ଘରେ ରଖିଥିଲେ।

ଏ ନେଇ ବିରଞ୍ଚିଙ୍କ ପୁଅ ଭରତପୁର ଥାନାରେ ଅପହରଣ ଏତାଲା ଦାୟର କରିଥିଲେ। ପୁଲିସ ମାମଲାର ତଦନ୍ତ କରି ଭଦ୍ରକକୁ ଅପହୃତ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଅଭିଯୁକ୍ତମାନେ ବିରଞ୍ଚିଙ୍କ ଠକେଇର ଗୁମର ଖୋଲି ଦେଇଥିଲେ। ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଠକେଇ ସଂକ୍ରାନ୍ତରେ ମାମଲା ରୁଜୁ କରି ବିରଞ୍ଚିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଶହ ଶହ ସଂଖ୍ୟାରେ ଅଭିଯୋଗ ଆସିବ ବୋଲି ଅନୁମାନ କରୁଛି ପୁଲିସ। ରାଜଧାନୀରେ ଏହିଭଳି ଠକେଇ, ଠକେଇକୁ ନେଇ ଅପହଣର ଏବେ ନୂଆ ଟ୍ରେଣ୍ଡ ପାଲଟି ଯାଇଛି।

ସମ୍ବନ୍ଧିତ ଖବର