କଟକ: ଅଣ୍ଡର୍‌ଵାର୍ଲଡ୍‌ ଡନ୍ ଦାଉଦ୍ ଇବ୍ରାହିମ୍‌ ଓ ନୱାଜ୍‌ ମଲ୍ଲିକ ସହ ଭୁବନେଶ୍ବରର ଜଣେ ବୈଜ୍ଞାନିକଙ୍କ ନାଁକୁ ଯୋଡ଼ିବା ସହ ଡିଜିଟାଲ୍‌ ଆରେଷ୍ଟ ଭୟ ଦେଖାଇ ସାଇବର ଠକ ତାଙ୍କଠୁ ୧ କୋଟି ୬ ଲକ୍ଷ ଟଙ୍କା ଲୁଟିନେଲେ। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ପୁଲିସ ଗୁଜରାଟ ଭବନଗରରୁ ୨ ସାଇବର ଠକ ବାଘେଲା ଅରବିନ୍ଦ ସିହ୍ନା(୨୪) ଓ ଗୋହଲି ବିଶଭ୍‌ରାଜ ସିହ୍ନା ଓରଫ୍ ଭରତ ସିହ୍ନା(୨୪)କୁ ଗିରଫ କରିଛି। ୨୦୨୪ ଅଗଷ୍ଟ ୨୦ରେ ହୋଇଥିବା ଏହି ମାମଲାରେ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ୍‌ କେରଳ ଓ ତାମିଲନାଡ଼ୁରୁ ୨ ଠକଙ୍କୁ ବାନ୍ଧିଥିଲା। ପୁଲିସ ସୂଚନାନୁଯାୟୀ ୨୦୨୪ ଅଗଷ୍ଟ ୯ରେ ଅଭିଯୋଗକାରୀ ବୈଜ୍ଞାନିକଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି(ସାଇବର ଠକ ଗ୍ୟାଙ୍ଗ୍‌ର ସଦସ୍ୟ) ନିଜକୁ ଡିଏଚ୍‌ଏଲ୍ କୋରିୟର୍‌ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ତାଙ୍କ ନାଁ ଓ ଆଧାରକାର୍ଡକୁ ବ୍ୟବହାର କରି ୫ଟି ପାସ୍‌ପୋର୍ଟ, ୩ଟି କ୍ରେଡିଟ୍ କାର୍ଡ, ୨୦୦ ଗ୍ରାମ୍‌ ଡ୍ରଗସ୍, ୪ କେଜି କପଡ଼ା, ଗୋଟିଏ ଲାପ୍‌ଟପ୍‌ ଓ ୩୫ ହଜାର ଟଙ୍କା ଜାପାନ ଯାଉଛି ବୋଲି ସେ କହିଥିଲା। ଡ୍ରଗସ୍‌ ଓ ପାସ୍‌ପୋର୍ଟ ଥିବାରୁ ପାର୍ସଲକୁ ନାର୍କୋଟିକ୍‌ ବିଭାଗ ସହ କଷ୍ଟମସ୍‌ ବିଭାଗ ଜବତ କରିଛି ବୋଲି ସେ କହିଥିଲା। ପରେପରେ ସେହି ବ୍ୟକ୍ତି ଫୋନ୍‌ କଲ ଡାଇଭର୍ଟ କରିଥିଲା ଏବଂ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀ କଥା ‌ହେବେ ବୋଲି କହିଥିଲା। ସେପଟୁ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀ କହିଥିଲେ ଯେ ଜବତ ପାସ୍‌ପୋର୍ଟରୁ ଜଣାପଡ଼ିଛି କି ଅଣ୍ଡର୍‌ୱାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଓ ନୱାଜ ମଲ୍ଲିକ ସହ ତାଙ୍କର ସମ୍ପର୍କ ଥିବା ପ୍ରମାଣ ମିଳିଛି। ତେଣୁ ତାଙ୍କୁ ଡିଜିଟାଲ୍‌ ଆରେଷ୍ଟ କରାଗଲା। ଏସବୁ ଶୁଣିବା ପରେ ବୈଜ୍ଞାନିକଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସେ ଭୟଭୀତ ହୋଇପଡ଼ିଥିଲେ ଏବଂ ସବୁ ମିଛ ବୋଲି କହିଥିଲେ। ଏହାପରେ ତାଙ୍କୁ ବ୍ୟାଙ୍କ୍‌ ଆକାଉଣ୍ଟର ତଥ୍ୟ ମଗାଯାଇଥିଲା ଏବଂ ଅଣ୍ଡର୍‌ୱାର୍ଲଡ୍‌ ସହ ତାଙ୍କର କିଛି ସମ୍ପର୍କ ଅଛି କି ନାହିଁ, ତଦନ୍ତ କରାଯିବ ବୋଲି କୁହାଯାଇଥିଲା। ତଦନ୍ତରେ ସହଯୋଗ କଲେ, ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ନକଲି କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀ କହିଥିଲା। ବିଶ୍ବାସକରି ବୈଜ୍ଞାନିକ ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ଦେଇଦେବା ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଡ଼ିଯାଇଥିଲା।