ଋଣ ଦେବା ନାଁରେ କୋଟିଏ ଟଙ୍କା ଠକେଇ

ନକଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ, ୨ ବ୍ୟାଙ୍କ ଆକାଉଣ୍ଟ ଅଚଳ, ଓଡ଼ିଶାରୁ ଦିଲ୍ଲୀ ଯାଏ ଲମ୍ବିଛି ଚେର

ଭୁବନେଶ୍ବର: ଲୋକଙ୍କୁ‌ କୋଟି ‌କୋଟି ଟଙ୍କାର ଋଣ କରାଇଦେବାର ଲୋଭ ଦେଖାଇ କୋଟିଏ ଟଙ୍କା ଠକି ନେଇଥିବା ଜଣେ ନକଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟକୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିଛି। ସେ ହେଲା, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ସୁଶାନ୍ତ କୁମାର ତ୍ରିପାଠୀ(୪୨)। ପୁଲିସ ସୁଶାନ୍ତର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ଆର୍ଥିକ କାରବାର ଉପରେ ଯାଞ୍ଚ କରୁଛି।
ସୂଚନା ମୁତାବକ, ୨୦୧୯ମସିହାରେ ଖଣ୍ଡଗିରି ଅଞ୍ଚଳର ପ୍ରତ୍ୟୁଷ ତ୍ରିପାଠୀ ନାମକ ଜଣେ ବ୍ୟବସାୟୀଙ୍କୁ ସୁଶାନ୍ତ ଜଣେ ଚାର୍ଟାର୍ଡ ଆକାଉଟାଣ୍ଟ(ସିଏ)ର ପରିଚୟ ଦେଇଥିଲା। କିଛି ଦିନ ପରେ ତାଙ୍କ ମେଡିସିନ୍‌ ହୋଲ୍‌ସେଲ ବ୍ୟବସାୟକୁ ବଢ଼ାଇବା ପାଇଁ ସୁଶାନ୍ତଙ୍କୁ କହିଥିଲେ।

ଏଥିପାଇଁ ତାଙ୍କୁ ୨କୋଟି ଟଙ୍କାର ଋଣ ଆବଶ୍ୟକ ଥିଲା। ସୁଶାନ୍ତ ତାଙ୍କୁ ଦୁବାଇର ଏକ ଘରୋଇ ବ୍ୟାଙ୍କରୁ ୨କୋଟି ଟଙ୍କାର ଋଣ କରାଇଦେବ ବୋଲି କହିଥିଲା। ଦିଲ୍ଲୀରେ ଥିବା ତାଙ୍କର ଜଣେ ବରିଷ୍ଠ ସିଏ ଇନ୍ଦ୍ରଜିତ ସିଂଙ୍କ ସହ କଥା କରାଇଥିଲା। ଆଲୋଚନା ପରେ ପ୍ରତ୍ୟୁଷ ସମସ୍ତ ଡକ୍ୟୁମେଣ୍ଟ ଦେଇଥିଲେ। ଅଧିକ ବିଶ୍ବାସ ଜନ୍ମାଇବା ପାଇଁ ଇନ୍ଦ୍ରଜିତ, ସୁଶାନ୍ତ ଏବଂ ପ୍ରତ୍ୟୁଷ ମିଶି ଦୁବାଇ ଯାଇଥିଲେ। ସେଠାରେ ଏକ ତାରକା ହୋଟେଲ୍‌ରେ ଜଣେ ବ୍ୟକ୍ତିଙ୍କୁ ସାକ୍ଷାତ କରାଇ ତାଙ୍କୁ ବ୍ୟାଙ୍କର ବରିଷ୍ଠ ଅଧିକାରୀ ବୋଲି ପରିଚିତ କରାଇଥିଲେ। କିଛିଦିନ ପରେ ସୁଶାନ୍ତ ବ୍ୟାଙ୍କରେ‌ ଲୋନ୍‌ ପାଇଁ ପ୍ରୋସେସ୍‌ ହୋଇଯାଇଥିବା କହି କେତେକ ଜାଲ ଡକ୍ୟୁମେଣ୍ଟ ଦେଖାଇଥିଲେ। ଏହାପରେ ସିକ୍ୟୁରିଟି ବାବଦକୁ ତାଙ୍କଠାରୁ ୨୦ଲକ୍ଷ ଟଙ୍କା ନେଇଥିଲା। ଟଙ୍କା ନେବାର ବର୍ଷ ବର୍ଷ ବିତିଯାଇଥିଲେ ବି ଋଣ ହେବା ତ ଦୂରର କଥା ତାଙ୍କୁ ଟଙ୍କା ଫେରାଇଲା ନାହିଁ। ପାଲଟା ଧମକ ଚମକ ଦେଇଥିଲା। କେବଳ ପ୍ରତ୍ୟୁଷ ନୁହନ୍ତି, ଏମିତି ଏକାଧିକ ଲେକାଙ୍କୁ ଋଣ କରାଇଦେବା ପାଇଁ କୋଟି କୋଟି ଟଙ୍କା ଚୂନ ଲଗାଇଥିଲା।

ଏପର୍ଯ୍ୟନ୍ତ ସୁଶାନ୍ତ ନାଁରେ ତମାଣ୍ଡୋ ଥାନାରେ ୪ଟି ଅଭିଯୋଗ ହୋଇଛି। ଆଗକୁ ଅଭିଯୋଗ ସଂଖ୍ୟା ବଢ଼ିପାରେ ବୋଲି ଥିବା ପୁଲିସ କହିଛି। ଦରକାର ପଡ଼ିଲେ ତାକୁ ରିମାଣ୍ଡରେ ଆଣି ପୁଲିସ ଜେରା କରିପାରେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର