ଜ‌ାମ୍‌ ନେଲା ଜୀବନ: ଚାରି ବର୍ଷରେ ମଲେଣି ୪ ତଥାପି ଚେତୁନାହାନ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ତା’ ସାଙ୍ଗକୁ ରାସ୍ତାରୋକ, ବିକ୍ଷୋଭ, ରୢାଲି ଏହି ସମସ୍ୟାକୁ ଅଧିକ ଜଟିଳ କରୁଛି। ଏଥିପାଇଁ ସାଧାରଣ ଲୋକ ନିତି ହନ୍ତସନ୍ତ ହେଉଥିଲେ ହେଁ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହିଁ। ସୋମବାର ଟ୍ରାଫିକ ଜାମରେ ଫସି ନୀଳାଚଳ ହସ୍ପିଟାଲ ନିକଟରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିବା ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ହସ୍ପିଟାଲରେ ପହଞ୍ଚି ନ ପାରି ଆମ୍ବୁଲାନ୍ସ ଭିତରେ ନାବାଳିକାର ମୃତ୍ୟୁ ଘଟିବା ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥାର ପରିଚାଳନା କରୁଥିବା କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସୋମବାରର ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟି ସାରିଛି, ତଥାପି ପୁଲିସ ଚେତୁନି। ରାଜଧାନୀରେ ଗତ ୪ବର୍ଷ ମଧ୍ୟରେ ଏଭଳି ଅଘଟଣରେ ୪ଟି ଜୀବନ ଅକାଳରେ ଝଡ଼ି ପଡ଼ିଛି। ୨୦୧୫ ସେପ୍ଟେମ୍ବର ୨୭ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରମାନେ ଜାତୀୟ ରାଜପଥରେ ଗାଡ଼ିମୋଟର ବନ୍ଦ କରି ଆନ୍ଦୋଳନ କରୁଥିଲେ। ଯିଏ ସେମାନଙ୍କ କଥା ମାନୁ ନଥିଲେ, ସେମାନଙ୍କୁ ଆକ୍ରମଣ କରି ଗାଡ଼ି ମୋଟର ଭଙ୍ଗାରୁଜା କରୁଥିଲେ। ଏହି ସମୟରେ ସୁମନ ଶର୍ମା ନାମକ ଜଣେ ମହିଳା ନିଜ କାର୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଚାଲି ଆସିଥି‌ଲେ। ବିକ୍ଷୋଭ କରୁଥିବା କେତେକ ଛାତ୍ର ତାଙ୍କ ଆଡ଼କୁ ମାଡ଼ି ଆସିବାରୁ ଭୟଭୀତ ହୋଇ ସୁମନ କାର୍‌ ଭିତରେ ଚେତା ହରାଇଥିଲେ। କାର୍‌ ଭିତରୁ ଲକ୍‌ ହୋଇ ଯିବାରୁ ପୁଲିସ କାଚ ଭାଙ୍ଗି ସୁମନଙ୍କୁ ଉଦ୍ଧାର କରିଥିଲା। ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ଉତ୍କଳ ବିଶ୍ବବିଦ୍ୟାଳୟର ଆନ୍ଦୋଳନ କରୁଥିବା ସେହି ଛାତ୍ର ଓ କମିସନରେଟ ପୁଲିସକୁ ତୀବ୍ର ସମାଲୋଚନା କରାଯାଇଥିଲା। ପରବର୍ତୀ ସମୟରେ ସୁମନଙ୍କ ପରିବାରଲୋକ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ହାଜର ହୋଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଗଲା, ହୃଦ୍‌ଘାତ ଓ ବ୍ରେନ ଷ୍ଟ୍ରୋକ କାରଣରୁ ସୁମନଙ୍କ ମୃତ୍ୟୁ ହୋଇଛି ବୋଲି।

ସେହିପରି ୨୦୧୬ ମେ’ ୭ତାରିଖରେ ଷ୍ଟେସନ୍‌ରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ହୋଇ ଲୋୟର୍‌ ପିଏମ୍‌ଜିକୁ ଏକ ବିଶାଳ ରୢାଲି ଯାଉଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୧ଟା ପାଖାପାଖି ସମୟରେ ରାମ ମନ୍ଦିର ପଟୁ ରାମଗୋବିନ୍ଦ ସାହୁ(୫୭) ନାମକ ଜଣେ ବୟସ୍କ ବ୍ୟକ୍ତି ନିଜ ଘର ଅଶୋକ ନଗରକୁ ସାଇକେଲ ଯୋଗେ ଫେରିବାକୁ ଚାହିଁଥିଲେ। କିନ୍ତୁ ରୢାଲି ଯାଉଥିବା କାରଣରୁ ତାଙ୍କୁ ଅଶୋକନଗର ପଟକୁ ଛଡ଼ା ଯାଇ ନଥିଲା। ଦୀର୍ଘ ୪୫ ମିନିଟ ପର୍ଯ୍ୟନ୍ତ ସେ ସେମିତି ରାସ୍ତା ଉପରେ ଖରାରେ ଅପେକ୍ଷା କରିଥିଲେ। ପରେ ସେ ରୢାଲି ପାରି ହେବା ପରେ ଅଶୋକନଗର ବାହାରିଥିଲେ। କିନ୍ତୁ ରୟାଲ ମିଡ୍‌ ଟାଉନ୍‌ ନିକଟରେ ସେ ସାଇକେଲରୁ ଗଳି ପଡ଼ିଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଅନେକ ଉଦାହରଣ ଅଛି। ରାଜଧାନୀରେ ଅନୁଷ୍ଠିତ ଏହି ରୢାଲି ଓ ବିକ୍ଷୋଭର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। କିଏ କୌଣସି ବ୍ୟକ୍ତିଗତ କାମରେ ଯାଇ ଏହି ରୢାଲି‌ରେ ଫସି ଯାଉଛି ତ କିଏ ଚାକିରି ପାଇଁ ପରୀକ୍ଷା କିମ୍ବା ସାକ୍ଷାତକାର ଦେଇପାରୁନାହିଁ। ଏପରିକି ଆମ୍ବୁଲାନ୍ସ ମଧ୍ୟ ଏହି ଭିଡ଼ ଭିତରେ ଘଣ୍ଟା ଘଣ୍ଟା କାଳ ଫସି ଯାଉଛି।

ଭୁବନେଶ୍ବର: ସୋମବାର ଜନପଥରେ ସୃଷ୍ଟି ହୋଇଥିବା ଜାମ ଯୋଗୁଁ ଜଣେ ନାବାଳିକାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ବିକ୍ଷୋଭକାରୀ ନା ରାଜ୍ୟ ସରକାର ନା କମିସନରେଟ ପୁଲିସ; ଏଭଳି ପ୍ରଶ୍ନ ଏବେ ରାଜଧାନୀବାସୀ ପଚାରିବା ଆରମ୍ଭ କରିଛନ୍ତି। କାରଣ ଲୋୟର ପିଏମ୍‌ଜି‌ରେ ରୢାଲି ଓ ଧାରଣା ଯୋଗୁଁ ରାଜଧାନୀବାସୀ ଜନପଥରେ ଗଲା ବେଳେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ରାମ ମନ୍ଦିର ଛକରୁ ରାଜମହଲ ଛକ ମଧ୍ୟ‌ରେ ଏକପ୍ରକାର ଚକାଜାମ ପରିସ୍ଥିତି ସୃଷ୍ଟି ହେଉଛି। ଲୋକେ ହନ୍ତସନ୍ତ ହେଉଛନ୍ତି। ପିଲାଙ୍କ ସ୍କୁଲ୍‌ ଯିବା ଆସିବାଠାରୁ କର୍ମଚାରୀ ଅଫିସ୍‌ ଯିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଘଣ୍ଟା ଘଣ୍ଟା ଧରି ଲୋକେ‌ ରାସ୍ତାରେ ଠିଆ ହେଉଛନ୍ତି। କିନ୍ତୁ ଏତେ ପରେ ବି ରାଜ୍ୟ ସରକାର ଓ କମିସନରେଟ୍‌ ପୁଲିସର ଚେତା ପଶୁନି। ସୋମବାର ଗୋଟିଏ ଦିନରେ ଆଠ ଆଠଟି ସଂଗଠନକୁ ଧାରଣା ଓ ରୢାଲି ପାଇଁ ଅନୁମତି ଦିଆଯିବା ଏହାର ଜ୍ବଳନ୍ତ ଉଦାହରଣ। ବିଭିନ୍ନ ସଂଗଠନର ହଜାର ହଜାର ଆନ୍ଦୋଳନକାରୀ ଏକାଠି ହୋଇ ସିଧା ମାଷ୍ଟରକ୍ୟାଣ୍ଟିନ ଛକ ଉପରେ ବସି ପଡ଼ିଲେ। ଯାହାକି ପୁଲିସ ଅଡ଼ୁଆ ପରିସ୍ଥିତି ସୃ୍ଷ୍ଟି କଲା। ଘଣ୍ଟା ଘଣ୍ଟା ଧରି ରାଜଧାନୀବାସୀ ୟୁନିଟ-୩, ମାଳିସାହି, ଶ୍ରୀୟା ଗଳି, ୟୁନିଟ୍‌-୨, କେଶରୀ ହଲ ଗଳିରେ ଫସି ଯାଇଥିବା ବେଳେ ଟ୍ରାଫିକ୍‌ ପୁଲିସର ଅଧିକାରୀମାନେ କିନ୍ତୁ ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ।‌ ରୢାଲି, ବିକ୍ଷୋଭ ଯୋଗୁଁ ଅଧିକାଂଶ ଦିନ ରାଜଧାନୀରେ ଏଭଳି ଅଭାବନୀୟ ଘଟଣା ଘଟୁଥିବା ସତ୍ତ୍ବେ ସରକାର, ପ୍ରଶାସନ କି ପୁଲିସ କାହାରି ଚେତା ପଶୁନି। ଓଲଟି ଆନ୍ଦୋଳନକାରୀଙ୍କୁ ସେଠାରେ ଆନ୍ଦୋଳନ କରିବାକୁ ସ୍ଥାନ ଦିଆଯାଉଛି। ଆଗକୁ ମଧ୍ୟ ଅନେକ ସଂଗଠନକୁ ଧାରଣା ରୢାଲି ପାଇଁ ଅନୁମତି ଦିଆଯାଇଛି। ଏ ପର୍ଯ୍ୟନ୍ତ ଏହାର ବିକଳ୍ପ ବ୍ୟବସ୍ଥା ହୋଇ ପାରୁନାହିଁ କିମ୍ବା ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ଫୋର୍ସ ନିଯୋଜିତ କରାଯାଉନାହିଁ। ଯଦି ଟ୍ରାଫିକ୍‌ ନିୟନ୍ତ୍ରଣରେ ସମସ୍ୟା ଉପୁଜୁଛି, ତେବେ ଗୋଟିଏ ଦିନରେ ଏକା ସଙ୍ଗେ ଏକାଧିକ ସଂଗଠନକୁ ରୢାଲି କରିବାକୁ ଅନୁମତି ଦିଆଯାଉଛି କାହିଁକି? ଏକାଧିକ ସଂଗଠନ ବଦଳରେ ଗୋଟିଏ ଗୋଟିଏ ସଂଗଠନକୁ ଅନୁମତି ଦେଇ ଲୋକସଂଖ୍ୟା ଉପରେ କଟକଣା ଲଗା ଯାଉନାହିଁ କାହିଁକି? ଏଭଳି କେତେକ ପ୍ରଶ୍ନ ଏବେ ସ୍ଥାନୀୟ ବାସିନ୍ଦା ପଚାରିଛନ୍ତି। ପୁଲିସର ଏଭଳି ଖାମଖିଆଲି ପାଇଁ ସମଗ୍ର କମିସନରେଟ ପୁଲିସ ମଧ୍ୟ ବଦନାମ ହେଉଛି। ଏ ସମ୍ପର୍କରେ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ଉତ୍ତର ମଧ୍ୟ ଅଜବ। ନ୍ୟାୟାଳୟର ଆଳ ଦେଖାଇ ପୁଲିସ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରୁଛି। ଓଲଟି ଆନ୍ଦୋଳନକାରୀଙ୍କୁ ପୁଲିସ ସହାୟତା ଯୋଗାଇ ଦେଉଛି। ଯଦି ଏହାର ବିକଳ୍ପ ବ୍ୟବସ୍ଥା କରାନଯାଏ, ଆଗାମୀ ଦିନରେ ଏଭଳି ଅନେକ ଅଘଟଣ ଘଟିବାର ଆଶଙ୍କା ରହିଛି।

ହଟିଲେ ଉଠାଦୋକାନୀ
ଲୋୟର ପିଏମ୍‌ଜିରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅସମ୍ଭାଳ ଭିଡ଼ ଜମୁଛି। ଏହି ଅଞ୍ଚଳରେ ଯେପରି ଅଯଥା ଭିଡ଼ ନ ଜମିବ, ସେଥିପାଇଁ ଏଠାରେ ବସିଥିବା ଉଠା ଦୋକାନୀମାନଙ୍କୁ ଆଜି ହଟାଯାଇଛି। କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ଆଜି ଏହି ଉଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର