ଭୁବନେଶ୍ବର: ଟଙ୍କା ନିବେଶ ନାଁରେ ଲୋକଙ୍କୁ ଚୂନ ଲଗାଉଥିବା ୩ ସାଇବର୍ ଠକଙ୍କୁ ଭୁବନେଶ୍ବର ସାଇବର୍ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସିଦ୍ଧାର୍ଥ ପୂଜାରୀ, ଅବିନାଶ ସାହୁ ଓ ବିବେକ ସିଂ। ଏହି ୩ ସାଇବର ଠକ ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବେଳେ ସେମାନଙ୍କ ଆକାଉଣ୍ଟରୁ ୫ ଲକ୍ଷ ୩୦ ହଜାର ଟଙ୍କା ଫ୍ରିଜ୍ କରାଯାଇଛି। ସେମାନଙ୍କଠାରୁ ଏକାଧିକ ଏଟିଏମ୍ କାର୍ଡ ଓ ପ୍ୟାନ୍ କାର୍ଡ, ୭ଟି ଚେକ୍ବୁକ୍, ଗୋଟିଏ ଲେଖାଏଁ ଆଇପ୍ୟାଡ୍ ଓ ଲାପଟପ୍ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ ହୋଇଛି।
ସୂଚନା ମୁତାବକ, କୋରାପୁଟ ଜୟପୁରର ସିଦ୍ଧାର୍ଥ ପୂଜାରୀ, ଖୋର୍ଦ୍ଧା ଦାଶରଥୀପୁରର ଅବିନାଶ ସାହୁ ଓ ବିବେକ ସିଂ ଜିପିଏନ୍ଏସ୍ ବିଜନେସ୍ ପ୍ରାଇଭେଟ୍ ଲିମିଟେଡ ଏବଂ ଆସ୍ପେ ଡିଜିଟାଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଦୁଇଟି ସଂସ୍ଥା ଖୋଲିଥିଲେ। ଉଭୟ ସଂସ୍ଥା ବେଙ୍ଗାଲୁରୁରେ ପଞ୍ଜୀକୃତ ହୋଇଥିବା ବେଳେ ସେଠାରୁ ପରିଚାଳନା କରାଯାଉଥିଲା। ନକଲି ଵେବସାଇଟ୍ ତିଆରି କରି ଏଜେଣ୍ଟମାନଙ୍କୁ ଚାକିରି ଦେଇଥିଲେ। ନାମୀଦାମୀ ହୋଟେଲ ଓ ମଲ୍ରେ ମିଟିଂ କରୁଥିଲେ। ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ୭% ସୁଧ ହାରରେ ମାସିକ ରିଟର୍ଣ୍ଣ ମଧ୍ୟ ଦେଉଥିଲେ। ବିଭିନ୍ନ ଲୋକଙ୍କୁ ଅଧିକ ଲୋଭ ଦେଖାଇ ଟଙ୍କା ନିବେଶ କରିବାକୁ କହୁଥିଲେ। ଏଥିରେ ପ୍ରଲୋଭିତ ହୋଇ ଲୋକେ ପୁଳାପୁଳା ଟଙ୍କା ବିନିଯୋଗ କରିଥିଲେ। ଭୁବନେଶ୍ବରର ସୌମ୍ୟ ନାୟକ ଏହି ନିବେଶ କମ୍ପାନି ଦ୍ବାରା ଠକେଇ ଶିକାର ହେବା ପରେ ସାଇବର୍ ଥାନାରେ ଅଭିଯୋଗ କରିଥିଲେ।
ଗତ ଜାନୁଆରି ୪ରେ ସୌମ୍ୟ ସାଇବର୍ ଥାନାରେ କରିଥିବା ଅଭିଯୋଗ ମୁତାବକ, ସେ ବେଙ୍ଗାଲୁରୁସ୍ଥିତ ଜିପିଏନଏସ୍ ବିଜନେସ୍ ପ୍ରାଇଭେଟ ଲିମିଟେଡ୍ ସଂସ୍ପର୍ଶରେ ଆସିଥିଲେ। ମାସିକ ୭% ସୁଧ ଲୋଭ ଜାଲରେ ସେ ଫସି ଯାଇଥିଲେ। ଅଭିଯୋଗକାରୀ ସୁନା ବନ୍ଧକ ରଖି ୧୦ ଲକ୍ଷ ଟଙ୍କା ନିବେଶ କରିବା ପରେ ଠକେଇ ଘଟଣା ଜଣାପଡ଼ିଥିଲା। ସୌମ୍ୟ ୨୦୨୪ ମସିହା ସେପ୍ଟେମ୍ବର ୨୬ରେ ୪ଲକ୍ଷ ୫୦ ହଜାର, ନଭେମ୍ବର ୧୧ରେ ୩ ଲକ୍ଷ ଓ ମାର୍ଚ୍ଚ ୨୯ରେ ୨ଲକ୍ଷ ୫୦ ହଜାର ଟଙ୍କା ନିଜ ଆକାଉଣ୍ଟରୁ ଉକ୍ତ ଠକ କମ୍ପାନି ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ। ହେଲେ ତାଙ୍କର ସୁଧ ମୂଳ ସବୁ ବୁଡ଼ି ଯାଇଥିଲା।
ଏଥିରେ ଆହୁରି କିଛି ଲୋକ ମଧ୍ୟ ଠକେଇ ଶିକାର ହୋଇଥିବା ଅନୁମାନ କରାଯାଉଛି। ଜାଲ୍ ଏଗ୍ରିମେଣ୍ଟ ଏବଂ ମାସିକ ଆୟ ଲୋଭ ଦେଖାଇ ଓଡ଼ିଶାର ଅନେକ ଜମାକାରୀଙ୍କୁ ଏମାନେ ଠକିଥିବା ତଦନ୍ତରୁ ଜଣାପଡ଼ିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ଡିସିପି ଜଗମୋହନ ମୀନା କହିଛନ୍ତି। ସେପଟେ ଅଭିଯୁକ୍ତଙ୍କ ସମ୍ପତ୍ତି ଆଟାଚ୍ ନେଇ ପକ୍ରିୟା ଜାରି ରହିଥିବା ସେ କହିଛନ୍ତି।
ସାଇବର୍ ଠକେଇ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ଠକାମୀଠାରୁ ଦୂରେଇ ରହିବା ଲାଗି ନିବଦେନ କରାଯାଇଛି। ଆର୍ଥିକ ନିବେଶ ପୂର୍ବରୁ ସଂସ୍ଥାଟି ସେବି ଅଧୀନରେ ପଞ୍ଜୀକୃତ କି ନାହିଁ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। ଠକେଇ ସମ୍ପର୍କିତ ସୂଚନା ଦେବା ଲାଗି ସାଇବର୍ ଥାନା ହେଲ୍ପ ଲାଇନ୍ ନମ୍ବର- ୭୪୪୦୦୦୬୭୦୯ରେ ଯୋଗଯୋଗ କରିବାକୁ ସୂଚନା ଦିଆଯାଇଛି।