କ୍ୟାପିଟାଲ କ୍ରାଇମ: କାର୍‌ରୁ ୧ କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଗିରଫ

ବାଲିଅନ୍ତା: ଗତକାଲି ଅପରାହ୍ନରେ ପାହାଳ ଥାନା ପୁଲିସ ନଖରା-ନିଆଳି ରାସ୍ତାରେ ଚଢ଼ଉ କରି ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିବା ସହ ଦୁଇ ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ସଦର ଥାନା ଅଧୀନ କୋଲାବନଗର ଅଞ୍ଚଳର ଭେଙ୍କଟ ରାଓ ଖିଲା(୪୩) ଏବଂ ରଘୁନାଥ ଖସଲା (୨୮)। ଆଜି ଉଭୟ ଭେଙ୍କଟ ଓ ରଘୁନାଥଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ଖାରଜ ହୋଇଯିବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତକାଲି ଅପରାହ୍ନ ପ୍ରାୟ ୧ଟା ବେଳେ ପୁଲିସ ଉକ୍ତ ରାସ୍ତାରେ ଏକ ଇଣ୍ଡ‌ିଗୋ କାର୍‌କୁ ଅଟକାଇ ଯାଞ୍ଚ କଲା ବେଳେ ସେଥରୁ ୧ କ୍ବିଣ୍ଟାଲ୍‌ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଭେଙ୍କେଟ ଓ ରଘୁନାଥ କୋରାପୁଟ, ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ଆଣି ରାଜଧାନୀ ଉପକଣ୍ଠ ଅଞ୍ଚଳରେ କାରବାର କରୁଥିବା ମାନିଥିଲେ।

ଯୁବତୀଙ୍କୁ ପ୍ରତାରଣା, ଜଣେ ଗିରଫ

ବାଲିପାଟଣା: ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ବନମାଳୀପୁର ଫାଣ୍ଡି ପୁଲିସ୍‌ ଜାହାଙ୍ଗିରପାଟଣା ଗ୍ରାମର ମନୋରଞ୍ଜନ ବେହେରା (୩୨)ଙ୍କୁ ଗିରଫ କରିଛି। ଆସନ୍ତାକାଲି ତା’ର ଡାକ୍ତରୀମାଇନା କରାଯିବା ପରେ କୋର୍ଟଚାଲାଣ କରାଯିବ। ପୁଲିସ ସୂଚନା ଅନୁସାରେ, ମନୋରଂଜନ ସ୍ଥାନୀୟ ଅଞ୍ଚଳର ଜଣେ ୨୪ ବର୍ଷୀୟ ଯୁବତୀଙ୍କ ସହ ୮ବର୍ଷ ହେଲା ସଂପର୍କ‌ରେ ଥିଲେ। ଯୁବତୀଜଣଙ୍କ ବିବାହ କରିବାକୁ କହିବାରୁ ମନୋରଞ୍ଜନ ତାଙ୍କୁ ମନା କରିଦେଇଥିଲେ। ଏ ସଂପର୍କରେ ଯୁବତୀଜଣଙ୍କ ବନମାଳୀପୁର ଫାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ହରିକୃଷ୍ଣ ପ୍ରଧାନ ଆଜି ମନୋରଞ୍ଜନକୁ ଗିରଫ କରିଥିଲେ।

ପେଟ୍ରୋଲ ପମ୍ପ କାର୍ଯ୍ୟାଳୟ ଭାଙ୍ଗି ନେଇଗଲେ ୭୦ ହଜାର

ବାଲିଅନ୍ତା/ବାଲିଅନ୍ତା ବଜାର: ବେଣୁପୁରସ୍ଥିତ ରାୟ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟ ତାଲା ଭାଙ୍ଗି ୨ ଦୁର୍ବୃତ୍ତ ୭୦ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଏ ସଂପର୍କରେ ମାଲିକ ମହେଶ ରାୟ ଆଜି ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ନଂ ୪୨/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାର୍ଯ୍ୟାଳୟ ପାର୍ଶ୍ବକୁ ଲାଗି ବିଲ ଦେଇ ଦୁର୍ବୃତ୍ତମାନେ ଆସିଥିବା ସିସି କ୍ୟାମେରା ଫୁଟେଜ୍‌ରୁ ଜଣାପଡ଼ିଛି। ଦୁଇଜଣ ଲୁଟେରା କ୍ୟାସ୍‌-ଡ୍ର’ ତାଲା ଭାଙ୍ଗି ଲୁଟ୍‌ କରିଥିବା ଫୁଟେଜ୍‌ରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହେଲେ ଲୁଟେରାକୁ ଏଯାଏ କାବୁ କରିବାରେ ପୁଲିସ ସଫଳ ହୋଇପାରିନାହିଁ। ସୂଚନାନୁଯାୟୀ, ଗତ ରାତି ପ୍ରାୟ ୧୧ଟା ବେଳେ ମ୍ୟାନେଜର୍‌ ପ୍ରକାଶ ସୁନାରି କାର୍ଯ୍ୟାଳୟ‌ରେ ତାଲା ପକାଇ ପଳାଇଥିଲେ। ରାତି ପ୍ରାୟ ୨ଟା ବେଳେ ଦୁର୍ବୃତ୍ତଦ୍ବୟ କାର୍ଯ୍ୟାଳୟରେ ପଶି ଲୁଟ୍‌ପାଟ୍‌ କରିଥିଲେ।

 

ସମ୍ବନ୍ଧିତ ଖବର