ଭୁବନେଶ୍ବର: ଗତବର୍ଷ ଏପ୍ରିଲ ୯ ତାରିଖରେ ପ୍ରଥମ ମହିଳା ମେୟର୍ ଭାବେ ସୁଲୋଚନା ଦାସ ଦାୟିତ୍ବ ନେଇଥିଲେ। ଏହି ନୂଆ କର୍ପୋରେସନ୍କୁ ଆସନ୍ତାକାଲି ବର୍ଷେ ପୂରୁଛି। ଏହି ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ବିଏମ୍ସି ଯୋଜନା କରିଛି। ଆସନ୍ତାକାଲି ଏକାମ୍ର ସମ୍ମିଳନୀ କକ୍ଷରେ ଏନେଇ ଏକ ଉତ୍ସବର ଆୟୋଜନ କରାଯାଇଛି। ମେୟର୍ ଓ କମିସନରଙ୍କ ସହ ପ୍ରତ୍ୟେକ କର୍ପୋରେଟର୍ ଏଥିରେ ଯୋଗଦେଇ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ପରସ୍ପରର ପିଠି ଥାପୁଡ଼େଇବେ ଏବଂ ଆଉ କିଛି କରିବାକୁ ଶପଥ ନେବେ। ତେବେ ବିଏମ୍ସି ବସ୍ତିବାସିନ୍ଦାଙ୍କ ପାଇଁ ଅନେକ କିଛି କରିଛି। ବଡ଼ବଡ଼ିଆ ବି ସୁରକ୍ଷିତ ଅଛନ୍ତି। ହେଲେ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ।
ନଳା ସମସ୍ୟାଠାରୁ ଆରମ୍ଭ କରି ଜଳବନ୍ଦୀ ପର୍ଯ୍ୟନ୍ତ, ମଶା ନିୟନ୍ତ୍ରଣଠାରୁ ଆରମ୍ଭ କରି ପରିମଳ ପର୍ଯ୍ୟନ୍ତ ସବୁଠି ବିଏମ୍ସି ବଦନାମ ହୋଇଛି। ଜନସାଧାରଣଙ୍କ ପାଇଁ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରୁ କରୁ ମଧ୍ୟବିତ୍ତଙ୍କ ଅଧିକାର ଛଡ଼ାଇ ନେଇଛି। ୧୯୭୭ ମସିହାରେ ଭୁବନେଶ୍ବର ମ୍ୟୁନିସିପାଲିଟି ଅଫିସ ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ୪୫ ବର୍ଷ ହେଲା ସେହି ସେହି କୋଠା ଏବେ ବି ମୁଣ୍ଡ ଟେକି ଛିଡ଼ା ହୋଇଛି ଓ ବିଏମ୍ସିର ସେବାରେ ଲାଗିଛି। ଏହାର ଢେର୍ ପଛରେ ନିର୍ମାଣ ହୋଇଥିବା ନୂଆପଲ୍ଲୀ କଲ୍ୟାଣ ମଣ୍ଡପକୁ ୨୦୧୬ ମସିହାରେ ବିଏମ୍ସି ଅଫିସ୍ କରିବା ନାଁରେ ଭାଙ୍ଗିଦେଲେ।
କର୍ମଜୀବୀ ମହିଳା ନିବାସରେ ବୁଲା କୁକୁର ବନ୍ଧ୍ୟାକରଣ
ହାତଗଣ୍ଠି ଜାଗାରେ ପଡ଼ୁଛି ହାତକଡ଼ି
କିନ୍ତୁ ସତ୍ୟନଗରରେ ବଡ଼ କୋଠା ତିଆରି କରି ବିଏମ୍ସି ଅଫିସ କଲେ। ନୂଆ କର୍ପୋରେସନ ଆସିବା ପରେ ଲୋକଙ୍କର ଭରସା ଥିଲା ନୂଆ କଲ୍ୟାଣମଣ୍ଡପ ହେବ, ଗରିବ ତଥା ମଧ୍ୟବିତ୍ତ ପରିବାରର ଲୋକେ ବାହାଘର ବ୍ରତ ଘର କରିବେ। ହେଲେ ନୂଆ କର୍ପୋରେସନ ଏଥିରେ ମନ ଦେଲା ନାହିଁ। ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଏକ ଦକ୍ଷିଣ ଚଣ୍ଡୀ କଲ୍ୟାଣ ମଣ୍ଡପ ରହିଥିଲା। ଏଠାରେ ମଧ୍ୟ ଗରିବ ମଧ୍ୟବିତ୍ତ ପରିବାରର ଲୋକମାନେ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିଲେ। ବିଏମ୍ସି ସେଥିରୁ କିଛି ରାଜସ୍ବ ପାଉଥିଲା। ହେଲେ ୨୦୨୦ ମସିହାରୁ ଏଠାରେ ଲିଙ୍ଗରାଜ ଥାନା ଚାଲିଛି। ଯେଉଁ କୋଠାରେ ବର-କନ୍ୟାଙ୍କ ହାତଗଣ୍ଠି ପଡ଼ୁଥିଲା, ସେଠାରେ ଅଭିଯୁକ୍ତଙ୍କ ହାତରେ ହାତକଡ଼ି ପଡ଼ୁଛି। ଜନସାଧାରଣଙ୍କ ମଙ୍ଗଳ ପାଇଁ ନିର୍ମାଣ ହୋଇଥିବା ଏହି ବହୁମୁଖୀ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କେବେ ଥାନା ଏଠାରୁ ହଟିବ ଓ ଲୋକଙ୍କ କାମରେ ଲାଗିବ, କାହା ପାଖରେ ଉତ୍ତର ନାହିଁ ବା ନୂଆ କର୍ପୋରେସନର ଏ ବାବଦରେ କୌଣସି ଯୋଜନା ନାହିଁ।
ଗରିବ ତଥା ମଧ୍ୟବିତ୍ତ ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ଯାତ୍ରୀ ନିବାସକୁ ଅଚଳ କରିଦେଲେ। କେତେବେଳେ ଅସ୍ଥାୟୀ କାର୍ଯ୍ୟାଳୟ କଲେ ତ’ କେତେବେଳେ ସିମେଣ୍ଟ ଓ ବିଦ୍ୟୁତ ଯନ୍ତ୍ରପାତି ଷ୍ଟୋର୍ କଲେ। ତିନିବର୍ଷ ଅଫିସର ରାଜ୍ ଚାଲିବା ପରେ ଲୋକେ ଭାବୁଥିଲେ ନୂଆ କର୍ପୋରେସନ ଆସିଲେ ଏହି ଯାତ୍ରୀନିବାସ ପୁଣି ଲୋକଙ୍କ ସେବାରେ ଲାଗିବ। ମହରଗ ସହରରେ କମ୍ ପଇସାରେ ରହିବା ପାଇଁ ଲୋକଙ୍କୁ ସୁବିଧା ମିଳିବ। ହେଲେ ଏହାକୁ ପୁନରୁଦ୍ଧାର କରିବେ କ’ଣ, ନୂଆ କର୍ପୋରେସନ୍ ଏହାକୁ ହୋଟେଲ କରିବାକୁ ଯୋଜନା କରିଛି। ଏହାକୁ ବିଲ୍ଡର୍ଙ୍କ ହାତରେ ଟେକି ଦେବା ପାଇଁ ଜିଏ ବିଭାଗକୁ ଜମି ପାଇଁ ଆବେଦନ କରିଛି।
ମଞ୍ଚେଶ୍ବରରେ ବିଏମ୍ସିର ଏକ କର୍ମଜୀବୀ ମହିଳା ନିବାସ ରହିଥିଲା। କମ୍ ଦରରେ ମହିଳାମାନଙ୍କୁ ରହିବାକୁ ସୁଯୋଗ ଦିଆଯାଉଥିଲା। ଛୋଟମୋଟ କାମ କରି ପେଟ ପୋଷୁଥିବା ମହିଳାମାନେ ଆକାଶଛୁଆଁ ଦରର ଘରଭଡ଼ା ଦେଇନପାରି ଏଥିରେ ରହିପାରୁଥିଲେ। ଏହାକୁ ଅଚଳ କରିଦିଆଯିବା ପରେ ଭୂତ କୋଠି ହୋଇ ପଡ଼ି ରହିଥିଲା। ଏବେ ଏଠାରେ ବୁଲା କୁକୁର ରହିବେ। କୁକୁରଙ୍କୁ ଏଠାରେ ରଖି ବନ୍ଧ୍ୟାକରଣ କରାଯିବ। ବିଏମ୍ସି ଏଥିପାଇଁ ଅନୁମତି ଦେଇଛି। ସେହିଭଳି ୟୁନିଟ୍-୬ ଅଞ୍ଚଳରେ କର୍ମଜୀବୀ ମହିଳାଙ୍କ ରହଣୀ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ନିବାସ ଏବେ ମହିଳା ଓ ଶିଶୁ ବିକାଶ ବିଭାଗର ଏକ କାର୍ଯ୍ୟାଳୟ ଏଠାରେ ଖୋଲିବାକୁ ଯାଉଛି।
ଚୌଧୁରୀ ମାର୍କେଟକୁ ଭାଙ୍ଗି ଦିଆଯାଇଛି। ଏହାର ଜମିକୁ ବିଏମ୍ସି କିଣି ମାର୍କେଟ ନିର୍ମାଣ କରିଥିଲା। ସେଥିପ୍ରତି ମଧ୍ୟ କର୍ପୋରେସନର ନିଘା ନାହିଁ। ନାଗେଶ୍ୱର ଟାଙ୍ଗିରେ ରହିଥିବା ହନୁମାନ ମନ୍ଦିରର ଜମି ସାଧାରଣ ପ୍ରଶାସନ ବିଭାଗକୁ ହାତକୁ ଫେରି ଯାଇଛି। ତାହା ମଧ୍ୟ ଉଦ୍ଧାର ହେଲା ନାହିଁ, ବରଂ ଜଣେ ବିଏମ୍ସି କର୍ମଚାରୀ ସେହି ମନ୍ଦିରର ସମସ୍ତ ଆୟ ଆତ୍ମସାତ କରୁଥିବା ଅଭିଯୋଗ ରହିଛି। ମନ୍ଦିର ପରିସରରେ ଏକ ଘର ତିଆରି କରି ଘରଭଡ଼ା ନେଉଛନ୍ତି। ଏ ବାବଦରେ ମଧ୍ୟ କର୍ପୋରେସନ୍ର କୌଣସି ଯୋଜନା ନାହିଁ।