ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଆଉ ୧୦ ଶଯ୍ୟା ବିଶିଷ୍ଟ ହାଇ ଡିପେଣ୍ଡାନ୍ସି ୟୁନିଟ୍(ଏଚ୍ଡିୟୁ) ନିର୍ମାଣ ହେବ। ଏହାକୁ ପରେ ଆଇସିୟୁରେ ପରିବର୍ତ୍ତନ କରାଯିବ। କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଛନ୍ତି। ଦୈନିକ ୫ ହଜାରରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଗୁରୁତର ରୋଗୀଙ୍କ ପାଇଁ ଅବଶ୍ୟକ ସଂଖ୍ୟକ ଆଇସିୟୁ ନାହିଁ। ସାଧାରଣ ଲୋକଙ୍କ ପାଇଁ ମାତ୍ର ୧୪ଟି ଆଇସିୟୁ ଥିବା ବେଳେ ସବୁବେଳେ ଏହି ଆଇସିୟୁ ୟୁନିଟ୍ ଭର୍ତ୍ତି ହୋଇରହୁଛି। ଗୁରୁତର ରୋଗୀମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏପରିକି ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀ ଗୁରୁତର ହୋଇଗଲେ ସେମାନଙ୍କୁ ଆଇସିୟୁ ବେଡ୍ ମିଳୁ ନାହିଁ। ଫଳରେ ସେମାନେ ଡିସଚାର୍ଜ ହୋଇ ଘରୋଇ ମେଡିକାଲ ନଚେତ୍ କଟକ ବଡ଼ ଡାକ୍ତରଖାନାକୁ ରେଫର ହେଉଥିଲେ। ଏହାସହିତ ହାର୍ଟ ସର୍ଜରି ପରେ ରୋଗୀମାନେ କ୍ୟାଥୋଲ୍ୟାବରୁ ବାହାରିବା ପରେ କିଛି ଘଣ୍ଟା ପାଇଁ ଆଇସିୟୁ ଆବଶ୍ୟକ ରହିଥାଏ। ସେମାନଙ୍କୁ ମଧ୍ୟ ଆଇସିୟୁରେ ବେଡ୍ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ତେଣୁ ଆଇସିୟୁର ଆବଶ୍ୟକତାକୁ ଲକ୍ଷ କରି ଗତ ରୋଗୀ କଲ୍ୟାଣ ସମିତି ବୈଠକରେ ଆଇସିୟୁ ଶଯ୍ୟା ସଂଖ୍ୟା ୪୦କୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଦୁଷ୍ଟିରେ ରଖି ଦଶ ଶଯ୍ୟା ବିଶିଷ୍ଟ ଏକ ଏଚ୍ଡିୟୁ ୟୁନିଟ୍ ତିଆରି କରାଯାଉଛି। ଏହି ୟୁନିଟ୍କୁ ଭବିଷ୍ୟତରେ ଆଇସିୟୁ ଭାବେ ଉନ୍ନୀତ କରାଯିବ। ଏହି ୟୁନିଟ୍ରେ ବିଶେଷ କରି ହାର୍ଟ ସର୍ଜରି ପରେ ରୋଗୀମାନଙ୍କୁ ଅବ୍ଜର୍ଭେସନ୍ରେ ରଖାଯିବ ବୋଲି ଜଣାପଡ଼ିଛି। ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ରୁପଭାନୁ ମିଶ୍ର କହିଛନ୍ତି ଯେ ଏଥିପାଇଁ କାମ ଆରମ୍ଭ ହୋଇଗଲାଣି। ଖୁବ୍ ଶୀଘ୍ର ଏହି ଏଚ୍ଡିୟୁକୁ କାର୍ଯ୍ୟକ୍ଷମ କରାଯିବ। ଏଚ୍ଡିୟୁ କାର୍ଯ୍ୟକ୍ଷମ ହେଲେ କ୍ୟାଥୋଲ୍ୟାବ୍ରୁ ବାହାରୁଥିବା ରୋଗୀମାନେ ବିଶେଷ ଉପକୃତ ହେବେ।
କ୍ୟାପିଟାଲ୍ ହସ୍ପିଟାଲ୍ରେ ଖୋଲିବ ୧୦ ଶଯ୍ୟା ବିଶିଷ୍ଟ ଏଚ୍ଡିୟୁ
କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଆଉ ୧୦ ଶଯ୍ୟା ବିଶିଷ୍ଟ ହାଇ ଡିପେଣ୍ଡାନ୍ସି ୟୁନିଟ୍(ଏଚ୍ଡିୟୁ) ନିର୍ମାଣ ହେବ। ଏହାକୁ ପରେ ଆଇସିୟୁରେ ପରିବର୍ତ୍ତନ କରାଯିବ। କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଛନ୍ତି।
/sambad/media/media_files/2025/06/18/bnmkljh-879fb3f2.jpg)