ଧଉଳି ପାଦଦେଶରେ ହେବ ଉତ୍କର୍ଷ କେନ୍ଦ୍ର, ପୂରା ଗୁରୁକୂଳ ପରିବେଶ ସୃଷ୍ଟି କରାଯାଇ ଶିକ୍ଷା ଦିଆଯିବ

ଭୁବନେଶ୍ବର: ଧଉଳି ପାଦଦେଶରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର। ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ଗୁରୁକୁଳ ଶିକ୍ଷା ଦିଆଯିବ। ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଆଦି ବିଷୟରେ ସ୍ବଳ୍ପ ଅବଧିର ପାଠ୍ୟକ୍ରମରେ ପିଲାମାନଙ୍କୁ ତାଲିମ୍‌ ମିଳିବ। ରାଜ୍ୟ ତଥା ରାଜ୍ୟ ବାହାରର ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରିପାରିବା ସହ ସାର୍ଟିଫିକେଟ୍‌ ବି ହାସଲ କରିବେ। ରାଜ୍ୟ ସରକାରଙ୍କ ସହଯୋଗରେ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ର ପକ୍ଷରୁ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି।ପ୍ରାରମ୍ଭିକ ପର୍ଯ୍ୟାୟରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। କୃଷ୍ଣପୁର ମୌଜାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଖାପାଖି ଅଢ଼େଇ ଏକର ଜମି ଯୋଗାଇ ଦିଆଯିବ। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ପରେ ମେ’ ମାସରୁ କାର୍ଯ୍ୟ ଆରମ୍ଭ ହେବ।

ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ୧୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୫ କୋଟି ଟଙ୍କାରେ ଭିତ୍ତିଭୂମିର ବିକାଶ କରାଯିବ। ପରବର୍ତ୍ତୀ ସମୟ ଅର୍ଥାତ୍‌ ଆସନ୍ତା ୫ବର୍ଷ ମଧ୍ୟରେ ଧୀରେ ଧୀରେ ଏହାକୁ ରାଜ୍ୟର ଉନ୍ନତ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ବୋଲି ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ସଚିବ ସଜଳ କୋଶର ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ ଏଠାରେ ଗୁରୁକୁଳ ପରମ୍ପରା ରହିବ। ପୁରାତନ ସମୟରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଯେଉଁଭଳି ସମ୍ପର୍କ ରହିଥିଲା, ତାହା ଏଠାରେ ଦେଖିବାକୁ ମିଳିବ। ପ୍ରତିବର୍ଷ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀଙ୍କ ପଢ଼ିବା ଲାଗି ବ୍ୟବସ୍ଥା କରାଯିବ। ପରିବେଶ ଅନୁକୂଳ କ୍ୟାମ୍ପସ ହେବ। ସବୁଜିମା ସହ ଏହା ଭିତରେ ନଡ଼ା ଛପର ଘର ବି ନିର୍ମାଣ କରାଯିବ। ବୈଦ୍ୟୁତିକ ସାମଗ୍ରୀକୁ କ୍ୟାମ୍ପସରୁ ବାଦ୍‌ ଦିଆଯିବ। ସବୁଆଡ଼େ ପାରମ୍ପରିକ ସାମଗ୍ରୀ ଲାଗିବ। ଶିକ୍ଷାଦାନ ସାଙ୍ଗକୁ କର୍ମଶାଳା, ଆଲୋଚନାଚକ୍ର, ପ୍ରଦର୍ଶନୀ ଆଦିକୁ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ କୋଶର କହିଛନ୍ତି।

୧୨ରେ ଦୀକ୍ଷାନ୍ତ ସମାରୋହ
ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ଦୀକ୍ଷାନ୍ତ ସମାରୋହ ୧୨ ତାରିଖ (ରବିବାର) ଅନୁଷ୍ଠିତ ହେବ। ଭଞ୍ଜ କଳାମଣ୍ତପଠାରେ ହେବାକୁ ଥିବା ସମାରୋହରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଓ ସା˚ସଦ ରଘୁନାଥ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମାରୋହ ଅବସରରେ କବି ରକ୍ଷକ ନାୟକ, ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କର, ତବଲା ବାଦକ ପଣ୍ତିତ ଉମେଶ ଚନ୍ଦ୍ର କର, ଲେଖକ ହିମା˚ଶୁ ଖଟୁଆ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିସହ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ଓଡ଼ିଶାରେ ଥିବା ୨୮୦ଟି ସ୍ବୀକୃତିପ୍ରାପ୍ତ କେନ୍ଦ୍ରରୁ ବିଶାରଦ(ସ୍ନାତକ) ଓ ଭାସ୍କର(ସ୍ନାତକୋତ୍ତର)ରେ ପ୍ରାୟ ୬୦୦ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦିଆଯିବ। ବିଭିନ୍ନ ବିଷୟରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ସଚିବ ସଜଳ କୋଶର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଳାକେନ୍ଦ୍ରର ରେଜିଷ୍ଟ୍ରାର୍‌ ଶୋଭା କୋଶର, ଆଞ୍ଚଳିକ କାର୍ଯ୍ୟାଳୟର ସ˚ଯୋଜକ ବସନ୍ତ ମିଶ୍ର, ଉତ୍ତର ପୂର୍ବାଞ୍ଚଳ କର୍ଯ୍ୟାଳୟ, କୋଲକାତାର ସହାୟକ ରେଜିଷ୍ଟ୍ରାର ଆନନ୍ଦ ରଞ୍ଜନ ବରୁଆ, ସୁପରିନ୍‌ଟେଣ୍ତିଙ୍ଗ ଆକାଉଣ୍ଟାଣ୍ଟ ବ୍ୟୋମକେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର