ଭୁବନେଶ୍ବର: ରାଜଧାନୀରେ ବଢ଼ୁଛି ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା। ହେଲମେଟଠାରୁ ଆରମ୍ଭ କରି ବାଇକରେ ୩ଜଣ ବସିବା, ସିଟ୍‌ ବେଲଟ୍‌ ଭଳି ଏକାଧିକ ନିୟମ ରହିଛି କମିସନରେଟ୍‌ ପୁଲିସର। ଟ୍ରାଫିକ୍‌ ପୁଲିସ ପ୍ରତ୍ୟେକ ଦିନ ବିଭିନ୍ନ ଛକରେ ଠିଆ ହୋଇ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କରୁଛି। ପ୍ରତ୍ୟେକ ଦିନ ପାଖାପାଖି ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ ହେଉଛି। ଏହି ହିସାବରେ ଗତ ୩ ବର୍ଷ ମଧ୍ୟରେ ଟ୍ରାଫିକ ପୁଲିସ ୧୦ କୋଟି ଟଙ୍କା ଜରିମାନା ଆଦାୟ କରି ସାରିଲାଣି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହାର କାଣିଚାଏ ପ୍ରଭାବ ରାଜଧାନୀବାସୀଙ୍କ ଉପରେ ପଡ଼ୁନାହିଁ, ବରଂ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।

Advertisment

୨୦୦୮ ଜାନୁଆରିରେ ରାଜଧାନୀରେ କମିସନରେଟ ପୁଲିସ ବ୍ୟବସ୍ଥା ଲାଗୁ ହେବାର ବର୍ଷକ ପରେ ଏଜି ଛକଠାରେ ସ୍ବତନ୍ତ୍ର ଟ୍ରାଫିକ୍‌ ଥାନା ପ୍ରତିଷ୍ଠା ହେଲା। ଏହି ଥାନା ପ୍ରତିଷ୍ଠା ହେବା ପରେ ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ଯୋଜନା ହେଲା। ଏ ନେଇ ରାଜଧାନୀବାସୀଙ୍କୁ କ୍ରମାଗତ ଭାବେ ସଚେତନ କରାଯିବା ପରେ ବିଭିନ୍ନ ଛକରେ ଜରିମାନା ଆଦାୟ ଆରମ୍ଭ କରାଗଲା। ପରବର୍ତୀ ସମୟରେ ଏଜି ଛକ ଓ କଳିଙ୍ଗ ହସ୍ପିଟାଲ ଛକକୁ ନୋ’ ଟଲରାନ୍ସ ଜୋନ୍‌ରେ ପରିଣତ କରାଗଲା। ଅର୍ଥାତ ଏହି ଦୁଇ ଛକରେ କୌଣସି ପରିସ୍ଥିତିରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକୁ ବରଦାସ୍ତ କରାଯିବ ନାହିଁ ବୋଲି କମିସନରଟେ ପୁଲିସ ନିଷ୍ପତ୍ତି ନେଇଥିଲା। ସେହିପରି ରାଜଧାନୀରେ ଚନ୍ଦ୍ରଶେଖରପୁରରେ ଆଉ ଏକ ଟ୍ରାଫିକ୍‌ ଥାନା ମଧ୍ୟ ପ୍ରତିଷ୍ଠା ହୋଇ ସାରିଲାଣି।

ଏତେ ସବୁ‌ ସତ୍ତ୍ବେ ମଧ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା କମୁ ନାହିଁ। ରାଜଧାନୀରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ବର ସହ ନେଇ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥ ଏବେ ମରଣଯନ୍ତା‌ରେ ପରିଣତ ହୋଇଛି। କମିସନରେଟ ପୁଲିସ ଓ ପରିବହନ ବିଭାଗ ଜାତୀୟ ରାଜପଥରେ ୧୨ ବ୍ଲାକସ୍ପଟ୍ ଚିହ୍ନଟ କରି ସାରିଛନ୍ତି। ଦୁର୍ଘଟଣାରେ ଅଧିକାଂଶ ବାଇକ୍ ଚାଳକଙ୍କ ଜୀବନ ଯାଉଛି ବୋଲି ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି। ଏଥିପାଇଁ ଜାତୀୟ ରାଜପଥରେ ଥିବା ଓଭରବ୍ରିଜ ଉପରେ ବିନା ହେଲମେଟରେ ଯିବା ମନା ହୋଇଛି। ପ୍ରତ୍ୟେକ ଦିନ ଟ୍ରାଫିକ ପୁଲିସ ପକ୍ଷରୁ ଜରିମାନା ଆଦାୟ ହେଉଛି। କିନ୍ତୁ ଏ ସବୁ ସତ୍ତ୍ବେ ଚାଳକମାନେ ସଚେତନ ହେଉନାହାନ୍ତି।

ଏ ସମ୍ପର୍କରେ ଟ୍ରାଫିକ ଏସିପି କିଶୋର ପାଣିଗ୍ରାହୀ କହିଛନ୍ତି, ଟ୍ରାଫିକ ନିୟମ ପାଳନ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଟ୍ରାଫିକ ସଚେତନତା ସପ୍ତାହ ପାଳନ ହେଉଛି। ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଟ୍ରାଫିକ୍‌ ନିୟମ ସମ୍ପର୍କରେ ଅବଗତ କରାଯାଉଛି। ସେହିପରି ଅଟୋ ଚାଳକ, ସ୍କୁଲ ବସ୍‌ ଚାଳକ, ହେଲପରମାନଙ୍କୁ ମଧ୍ୟ ସଚେତନ କରାଯାଉଛି। ତା’ ସତ୍ତ୍ବେ ଯେଉଁମାନେ ଟ୍ରାଫିକ୍‌ ନିୟମ ଉଲଂଘନ କରୁଛନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ସେହିପରି ରାଜଧାନୀରେ ଜନସଂଖ୍ୟା ଓ ଗାଡ଼ି ସଂଖ୍ୟା ମଧ୍ୟ ହୁହୁ ହୋଇ ବଢ଼ିଚାଲିଛି। ଯେପର୍ଯ୍ୟନ୍ତ ଲୋକେ ନିଜେ ସଚେତନ ନ ହେବେ ସେ ପର୍ଯ୍ୟନ୍ତ ଏହି ଫାଇନ ସଂଖ୍ୟା ବଢ଼ି ବଢ଼ି ଚାଲିବ ବୋଲି ଟ୍ରାଫିକ ଏସିପି ଶ୍ରୀ ପାଣିଗ୍ରାହୀ କହିଛନ୍ତି।