ଅଳିଆରେ ଲୁଟ୍‌: ଆଖିରେ ଆଙ୍ଗୁଠି ଗେଞ୍ଜି ୧୦ କୋଟି ଚଳୁ

ଜାଣୁଛନ୍ତିି ଇଟା, ପଥର ମିଶୁଛି ତଥାପି ଚୁପ୍‌

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହର କରିବା ପାଇଁ ବିଏମ୍‌ସି ହାତ ଖୋଲା ଅର୍ଥ ଖର୍ଚ୍ଚ କରୁଛି। ବଜେଟ୍‌ର ସିଂହ ଭାଗ ବି ଏଥିପାଇଁ ଖର୍ଚ୍ଚ ହେଉଛି। ଦୁଇ ବର୍ଷରେ ସଫେଇ ବଜେଟ୍‌ ୪୫ କୋଟିରୁ ବଢ଼ି ୬୫କୋଟିରେ ପହଞ୍ଚିଛି। ହେଲେ ବହୁ ସ୍ଥାନରେ ଅଳିଆ ସପ୍ତାହ ସପ୍ତାହ ଧରି ଉଠୁନି। ଯେତିକି ଅଳିଆ ଉଠୁଛି ତାକୁ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ପକାଇବା ମଧ୍ୟରେ ବଡ଼ ଧରଣର ଘୋଟାଲା ହୋଇଯାଉଛି। ଅଳିଆ ପୃଥକ ପୃଥକ କରି ସଂଗ୍ରହ ହେଉ ନଥିବାରୁ ଏହାକୁ ଉଠାଇବା ଓ ପକାଇବା ଭିତରେ ଦିନକୁ ଲକ୍ଷ ଲକ୍ଷ ଟଙ୍କା ହେରଫେର୍‌ ହେଉଛି। ରାଜଧାନୀର ପରିମଳ ବ୍ୟବସ୍ଥା ଘରୋଇ ସଂସ୍ଥାଗୁଡ଼ିକୁ ଦେବା ଦିନଠାରୁ ଏହି ଘୋଟଲା ହେଉଛି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ୍‌ ହେଉଛି। ବିଏମ୍‌ସି ତିନିଟି ଘରୋଇ ସଂସ୍ଥାକୁ ବର୍ଷକୁ ପ୍ରାୟ ୫୦କୋଟି ପ୍ରଦାନ କରୁଥିବା ବେଳେ ଏହାର ୨୦% ଅର୍ଥାତ୍‌ ପ୍ରାୟ ୧୦ କୋଟି ଘୋଟାଲା ହୋଇଯାଉଛି। ଏଥିରେ ବିଏମ୍‌ସିର ଛୋଟରୁ ବଡ଼ ସବୁ ଶ୍ରେଣୀର ଅଧିକାରୀମାନେ ସାମିଲ୍‌ ଥିବାରୁ ଏନେଇ କେହି ପଦକ୍ଷେପ ନେବାକୁ ସାହସ କରୁନାହାନ୍ତି।

ଘୋଟାଲା ରୋକିବାକୁ ଡଷ୍ଟବିନ୍‌ ଓ ଗାଡ଼ିରେ ଜିପିଏସ୍‌ ଲାଗିବ: ବିଏମ୍‌ସି

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ଯେ, ଆମର ଅଳିଆ ଉଠିବା ଓ ଡମ୍ପିଂୟାର୍ଡରେ ପଡ଼ିବାରେ ବହୁ ଏପଟ ସେପଟ ହେଉଥିବା ଅଭିଯୋଗ ଆସିଛି। କେତେକ ସଫେଇ ସଂସ୍ଥା ଆବର୍ଜନାରେ ଇଟା, ମାଟି ଓ ପଥର ମିଶାଇ ଓଜନ କରୁଥିବାରୁ ଅଳିଆ ଓଜନ ଅଧିକ ହେଉଛି। ଆବର୍ଜନା ଯାଞ୍ଚ ସମୟରେ ଏହା ଧରାପଡ଼ୁଛି। ଦୈନିକ ପ୍ରାପ୍ୟ ବି କଟାଯାଉଛି। କିନ୍ତୁ କେତେକ ତଳିଆ କର୍ମଚାରୀଙ୍କ ସଂପୃକ୍ତି ଯୋଗୁଁ ଏହି ମହାଦୁର୍ନୀତିକୁ ରୋକି ହେଉନି। ଏହାକୁ ରୋକିବା ପାଇଁ ପ୍ରତ୍ୟେକ ଡଷ୍ଟବିନ୍‌ ଓ ଅଳିଆ ଉଠାଉଥିବା ଗାଡ଼ିରେ ଜିପିଏସ୍‌ ଲାଗିବ। ଏବେ କିଛି ଗାଡ଼ିରେ ଲାଗିଛି। ଏହାଦ୍ୱାରା ଡଷ୍ଟବିନ୍‌ରେ କେତେ ଅଳିଆ ପଡ଼ିଲା, କେଉଁ ସମୟରେ ଡଷ୍ଟବିନ୍‌ ଉଠିଲା, ଡଷ୍ଟବିନ୍‌ ବୋଝେଇ ଗାଡ଼ି କେଉଁ ରାସ୍ତା ଦେଇ ଡମ୍ପିଂୟାର୍ଡକୁ ଗଲା, କେଉଁଠି ଅଟକିଲା ତାହା ଜଣାପଡ଼ିଯିବ। ଡମ୍ପିଂୟାର୍ଡରେ ଚେକିଂ ଜୋରଦାର୍‌ କରି ଏହାକୁ ରୋକାଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ରେକର୍ଡ ଠିକ୍‌ ରଖିବାକୁ ମଝିରେ ମଝିରେ ପ୍ରାପ୍ୟ କଟାଯାଉଛି
ହିସାବ ଅନୁଯାୟୀ ରାଜଧାନୀରେ ସର୍ବାଧିକ ୫୦୦ଟନ୍‌ ଅଳିଆ ହେବ। ଏତେ ଅଧିକ ଅଳିଆ ଉଠିବାର କାରଣ ମଧ୍ୟ ବିଏମ୍‌ସି ଅଧିକାରୀ ଖଞ୍ଜିକିି ବସିଛନ୍ତି। ହାଟ, ବଜାର, ବିବାହ, ବ୍ରତଘର, ବିଭିନ୍ନ କାର୍ଯ୍ୟକ୍ରମ ଡ୍ରେନ୍‌ ସଫେଇ, କାଳବୈଶାଖୀ ବର୍ଷା ବିଭିନ୍ନ କାରଣ ଦର୍ଶାଇ ୬୦୦ରୁ ୭୦୦ଟନ୍‌ ମଧ୍ୟରେ ଆବର୍ଜନା ପହଞ୍ଚାଇ ଦେଉଛନ୍ତି। ବିଏମ୍‌ସି ଓ ଘରୋଇ ସଫେଇ ସଂସ୍ଥା ମଧ୍ୟରେ ଥିବା ସନ୍ଧି ଯେପରି ଜଣା ନପଡ଼ିବ, ଅଡିଟ୍‌ରେ ଯେପରି ଧରା ନପଡ଼ିବେ ସେଥିପାଇଁ ମଝିରେ ମଝିରେ ସଫେଇ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କେତେବେଳେ ଅଳିଆ ଉଠୁନି, ବିଳମ୍ବ ହେଲା କହି ସଫେଇ ସଂସ୍ଥାର ଦୈନିକ ପ୍ରାପ୍ୟରୁ ୧୦ରୁ ୨୦ପ୍ରତିଶତ କାଟି ଦିଆଯାଉଛି। ହେଲେ ପର ଦିନ ଏହାକୁ ଆଡଜଷ୍ଟ କରିଦିଆଯାଉଥିବା ଜାଣିବାକୁ ମିଳିଛି। ଏହି ୧୦ରୁ ୨୦ପ୍ରତିଶତ କାଟ୍‌ କେବଳ ରେକର୍ଡ ଠିକ୍‌ ରଖିବା ପାଇଁ ହେଉଛି। ଡମ୍ପିଂୟାର୍ଡରେ ଅଳିଆ କମ୍ପ୍ୟୁଟର୍‌ କଣ୍ଟାରେ ଓଜନ ହୋଇ ଯାଉଥିବାରୁ ଓଜନ ସମୟରେ ହେରଫେର ହେଉନି। ଓଜନ ବଢ଼ାଇବା ପାଇଁ ଏହା ପୂର୍ବରୁ ହିଁ ସବୁ କାରନାମା ହୋଇଯାଉଛି। ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାମଚନ୍ଦ୍ର ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯେଉଁ ଦିନ ଅଳିଆ ଉଠିବାରେ ବିଳମ୍ବ ହେଉଛି ବା ଦୀର୍ଘଦିନ ଅଳିଆ ଉଠୁନି ବା ଅଳିଆରେ କିଛି ମିଶିଥିବା ସନ୍ଦେହ ହେଉଛି ସେଦିନ ଅଳିଆ ଓଜନ ହେବା ସମୟରେ ମୋଟ୍‌ ଓଜନରୁ ୧୦ରୁ ୨୦ପ୍ରତିଶତ କାଟି ଦେଉଛୁ। ନିକଟରେ ତିନିଟି ଯାକ ଘରୋଇ ସଂସ୍ଥାର ୨୦% ଲେଖାଏଁ ପ୍ରାପ୍ୟ କଟାଯାଇଛି।

ତଥ୍ୟରୁ ବାହାରୁଛି ଦୁର୍ନୀତିର ଗନ୍ଧ
ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ୫ଟି ଜୋନ୍‌ରେ ବିଭକ୍ତ କରି ଅଳିଆ ଆବର୍ଜନା ଉଠୁଛି। ଏଥିପାଇଁ ତିନିଟି ଘରୋଇ ସଂସ୍ଥାକୁ ୪ଟି ଜୋନ୍‌ ଓ ବିଏମ୍‌ସିକୁ ଗୋଟିଏ ଜୋନ୍‌ ଦିଆଯାଇଛି। କିନ୍ତୁ ଘରୋଇ ସଂସ୍ଥାଙ୍କର ଅଳିଆ ଗଣିତରେ ବିଏମ୍‌ସି ଫସିଯାଇଛି। ବିଏମ୍‌ସିର ୧୫ଟି ଓ୍ଵାର୍ଡରେ ରାମ୍‌କି ସଫେଇ ଦାୟିତ୍ୱ ନେଇଥିବାବେଳେ ଏଥିରୁ ଦୈନିକ ପ୍ରାୟ ୧୩୦ଟନ୍‌ ଅଳିଆ ଉଠାଉଛି। ଏଥିପାଇଁ ଟନ୍‌ ପିଛା ୨୪୯୦ ଟଙ୍କା ନେଉଛି। ପିଏମ୍‌ଆର୍‌ ୧୪ଟି ଓ୍ଵାର୍ଡରୁ ଦୈନିକ ହାରାହାରି ୯୮ଟନ୍‌ ଅଳିଆ ଉଠାଉଥିବାବେଳେ ଏଥିପାଇଁ ଟନ୍‌ ପିଛା ୨୪୩୨ଟଙ୍କା ନେଉଛି। ଆଉ ଜାଗୃତି ଟନ୍‌ ପିଛା ୨୪୮୫ଟଙ୍କା ହିସାବରେ ୨୮ଟି ଓ୍ଵାର୍ଡରୁ ଦୈନିକ ପ୍ରାୟ ୩୧୦ଟନ୍‌ ଅଳିଆ ଉଠାଉଛି। ବାକି ୧୦ଟି ଓ୍ଵାର୍ଡରେ ବିଏମ୍‌ସି ନିଜେ ସଫା କରୁଛି। ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ ତିନି ମାସରେ ପିଏମ୍‌ଆର୍‌ ୯୪୬୭ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଥିବାବେଳେ ଏଥିରୁ ମାର୍ଚ୍ଚରେ ୨୯୬୨, ଏପ୍ରିଲରେ ୨୮୨୦ ଏବଂ ମେ’ରେ ୩୬୮୫ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଛି। ସେହିପରି ରାମ୍‌କି ତିନି ମାସରେ ୧୨,୨୪୧ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଥିବାବେଳେ ମାର୍ଚ୍ଚରେ ୪୦୨୬, ଏପ୍ରିଲରେ ୩୭୭୬ ଏବଂ ମେ’ରେ ୪୪୩୯ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଛି। ଜାଗୃତି ଦୁଇଟି ଜୋନ୍‌ରେ ଆବର୍ଜନା ଉଠାଇଥିବାବେଳେ ପ୍ରଥମ ଜୋନ୍‌ରେ ୧୭୨୦୦ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଥିବାବେଳେ ମାର୍ଚ୍ଚରେ ୫୪୧୫, ଏପ୍ରିଲରେ ୫୪୧୫ ଏବଂ ମେ’ରେ ୬୩୭୦ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଛି। ସେହିପରି ଜୋନ୍‌୨ରେ ୧୧,୨୯୪ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଛି। ଏଥିରୁ ମାର୍ଚ୍ଚରେ ୩୭୧୭, ଏପ୍ରିଲ୍‌ରେ ୩୫୨୨ ଏବଂ ମେ’ରେ ୪୦୫୫ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଛି। ଏହିପରି ଦୁଇଟି ଜୋନ୍‌ରେ ୨୮,୪୯୪ ମେଟ୍ରିକ ଟନ୍‌ ଆବର୍ଜନା ଉଠାଇଛି।

ଏଠାରେ ପ୍ରଶ୍ନ ଉଠୁଛି ଯଦି ପିଏମ୍‌ଆର୍‌ ୧୪ଟି ଓ୍ଵାର୍ଡରୁ ତିନି ମାସରେ ୯,୪୭୬ ମେଟ୍ରିକ ଟନ୍‌ ଆବର୍ଜନା ଉଠାଉଛି ସେତେବେଳେ ରାମ୍‌କି ୧୫ଟି ଓ୍ଵାର୍ଡରୁ କିପରି ୧୨,୨୪୧ ମେଟ୍ରିକ୍‌ ଟନ୍‌ ଆବର୍ଜନା ଉଠାଉଛି। ଆଉ ଜାଗୃତି ୨୮ଟି ଓ୍ଵାର୍ଡରୁ ପିଏମ୍‌ଆର୍‌ର ତିନି ଗୁଣା ରାମ୍‌କିରୁ ଦୁଇ ଗୁଣାରୁ ଅଧିକ ପ୍ରାୟ ୨୮,୪୯୪ ମେଟ୍ରିକ ଟନ୍‌ ଆବର୍ଜନା ଉଠାଉଛି। ଜାଗୃତି ଅଧୀନରେ ଦୁଇଟି କେତୋଟି ପ୍ରମୁଖ ହାଟ ରହିଥିଲେ ବି ଅନ୍ୟ ଦୁଇଟି ସଂସ୍ଥା ଅଧୀନରେ ବଡ଼ ନହେଲେ ବି ଛୋଟ ହାଟ/ବଜାର ୪ରୁ ୫ଟି ରହିଛି। ଏହି ପରିସଂଖ୍ୟାନ ଦେଖିଲେ ସଫେଇ ସଂସ୍ଥାଙ୍କ ଘୋଟାଲା ଜଳଜଳ ଦିଶୁଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ସବୁ ଜାଣି ନିରବ। ଘରୋଇ ସଂସ୍ଥାଙ୍କ ଅଳିଆ ଉଠା ହିସାବ ଦେଖିଲେ ଲାଗୁଛି କଟକ ରୋଡ୍‌ ଓ ରବିଟକିଜ୍‌ ଅଞ୍ଚଳରେ ରହୁଥିବା ଲୋକଙ୍କର ଯେତିକି ଅଳିଆ ବାହାରୁଛି ତା’ଠାରୁ ଅଧିକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବାହାରୁଛି। ସହିଦନଗରରୁ ରାଜମହଲ ଅଞ୍ଚଳରେ ତ ଅଳିଆ ଏହି ଦୁଇଟିଠାରୁ ବହୁ ଉପରେ। ଅଳିଆରେ ବାଲି, ପଙ୍କ, ଇଟା ଓ ପଥର ମିଶାଯାଇ ଅଣାଯାଉଥିବା ଜଣାପଡ଼ିବା ପରେ ବି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି ସେନେଇ ପ୍ରଶ୍ନ ଉଠିଲାଣି।

ହିସାବ କହୁଛି ଦିନକୁ ୫୦୦ ଟନ୍‌ , ଖାତା କହୁଛି ୬୦୦ ଟନ୍‌
ବିଏମ୍‌ସି ହିସାବ କହୁଛି ସହରାଞ୍ଚଳର ବାସିନ୍ଦାଙ୍କ ଜୀବନଶୈଳୀ ଯାହା ସେଥିରେ ଦିନକୁ ମୁଣ୍ଡ ପିଛା ସର୍ବାଧିକ ୫୦୦ଗ୍ରାମ୍‌ ଆବର୍ଜନା ବାହାରିବ। ଏଥିରେ ଭୁବନେଶ୍ୱରର ଜନସଂଖ୍ୟା ବିଏମ୍‌ସି ଆକଳନ ଅନୁଯାୟୀ ପ୍ରାୟ ୧୦ଲକ୍ଷ ହୋଇଥିବାବେଳେ ଏଥିରେ ୫୦୦ଟନ୍‌ ଆବର୍ଜନା ବାହାରିବ। ହେଲେ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ରେକର୍ଡ ଖାତାରେ ଦୈନିକ ହାରାହାରି ୬୦୦ ଟନ୍‌ ଅଳିଆ ଉଠୁଛି। ଏପରିକି ଏହା ଅଧିକାଂଶ ଦିନ ୬୫୦ରୁ ୭୦୦ଟନ୍‌ ଛୁଇଁଯାଉଛି। କିନ୍ତୁ କୌଣସି ଦିନ ୫୭୦ ଟନ୍‌ରୁ କମ୍‌ ଆବର୍ଜନା ଉଠିନି। ଏହିଭଳି ଭାବେ ବିଏମ୍‌ସି ଆଖିରେ ଆଙ୍ଗୁଠି ଗେଞ୍ଜି ଅଧିକାଂଶ ସମୟରେ ଦୈନିକ ୩ରୁ ୪ଲକ୍ଷ ଟଙ୍କା ହେରଫେର ହେଉଛି। ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର କେତେକ ଅଧିକାରୀ, ଡମ୍ପିଂୟାର୍ଡରେ ଥିବା କେତେକ କର୍ମଚାରୀ, ବିଏମ୍‌ସି କାର୍ଯ୍ୟାଳୟର କେତେକ ଦୁର୍ନୀତିଗସ୍ତ ଅଧିକାରୀ, କର୍ପୋରେଟର୍‌ ଏବଂ ଘରୋଇ ସଫେଇ ସଂସ୍ଥା ମଧ୍ୟରେ ଏକ ଅଦୃଶ୍ୟ ସନ୍ଧି ମାଧ୍ୟମରେ ବାର୍ଷିକ କୋଟି କୋଟି ଟଙ୍କା ଲୁଟ୍‌ ହେଉଛି। ରାଜଧାନୀରୁ ଅଳିଆ ଉଠାଇବା ପାଇଁ ବାର୍ଷିକ ପ୍ରାୟ ୬୫କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାର ପ୍ରାୟ ୨୦ପ୍ରତିଶତ ବାଟମରଣା ହେଉଛି। ହେଲେ ସମସ୍ତେ ମାସିକିଆ ଚାନ୍ଦା ପ୍ରଭାବରେ ଚୁପ୍‌।

ସମ୍ବନ୍ଧିତ ଖବର