ଭୁବନେଶ୍ବର: ଭେଣ୍ଡିଂ ଜୋନ୍‌କୁ ନେଇ ବିବାଦ ବଢ଼ିବାରେ ଲାଗିଛି। କେଉଁଠି ରାଜନୀତି, କେଉଁଠି ପ୍ରିୟାପ୍ରୀତି ପାଇଁ ଉଦ୍ଦେଶ୍ୟ ପୂରଣ ହୋଇ ପାରୁ ନାହିଁ, ଏଣେ ଭିତ୍ତିଭୂମି ଖତ ଖାଉଛି। ଏଥିରେ କେବଳ ବିଏମ୍‌ସି ବଦନାମ ହେଉ ନାହିଁ ବରଂ ଭେଣ୍ଡିଂ ଜୋନ୍‌ ନିର୍ମାଣରେ କୋଟି କୋଟି ଟଙ୍କା ବରବାଦ ହେଉଛି। ନିର୍ମାଣରେ ଇଞ୍ଜିନିୟରଙ୍କ ସହ ମିଶି କେତେକ ଅଧିକାରୀ ପିସି ନେଇ ହାତ ଚିକ୍କଣ କରୁଥିବା ବେଳେ ଆବଣ୍ଟନରେ ପାତରଅନ୍ତର ବିବାଦ ବଢ଼ାଉଛି। କୋର୍ଟରେ ମାମଲା ଗଡ଼ୁଛି। କସ୍‌ମୋପଲିସ୍‌ରେ ନିର୍ମିତ ପ୍ରଥମ ମହିଳା ଭେଣ୍ଡିଂ ଜୋନ୍‌ରେ ବିବାଦ ସମେତ ୧୫ଟି ଭେଣ୍ଡିଂଜୋନ୍‌ରେ ବିବାଦ ଲାଗି ରହିଥିବା ବେଳେ ଘାଟିକିଆ ବିଏମ୍‌ସି ବଜାର ଚର୍ଚ୍ଚାକୁ ଆସିଛି। ଏଭଳି ବିବାଦ ଭିତରେ ଫସି ରହିଥିବା ଭେଣ୍ଡିଂ ଜୋନ୍‌ରେ ପ୍ରାୟ ୧୦ କୋଟି ଖର୍ଚ୍ଚ ହୋଇଛି। 

Advertisment

୧୫ରୁ ଊର୍ଦ୍ଧ୍ବ ଜାଗାରେ ବିବାଦ ତୁଟୁନି, ତୃତୀୟ ଥର ବଣ୍ଟା ହବ ଘାଟିକିଆ ବଜାର

ପୂର୍ବରୁ ଦୁଇ ଦୁଇ ଥର ଆବଣ୍ଟନ ନେଇ ବିଏମ୍‌ସି ନେଇଥିବା ନିଷ୍ପତ୍ତି ନିଷ୍ଫଳ ହେବା ପରେ ତୃତୀୟ ଥର ପାଇଁ ଏହାକୁ ଆବଣ୍ଟନ କରିବାକୁ ବିଏମ୍‌ସି ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଖଣ୍ଡଗିରିବାରି, ଖଣ୍ଡଗିରି ଛକ, ବିପୁଲ ଗାର୍ଡେନ୍‌ ଛକ, ଜୟଦେବ ବାଟିକା, ନାକା ଗେଟ୍‌, କଳିଙ୍ଗନଗର, ସିଇଟି କଲେଜ୍‌ ରୋଡ୍‌ ପ୍ରଭୃତିରୁ ୬୨ ଜଣ ବ୍ୟବସାୟୀ ଅଛନ୍ତି। ଜନପଥର ସ୍ମାର୍ଟ କିଓସ୍କକୁ ୬ ବର୍ଷ ବିତିଥିଲେ ମଧ୍ୟ ବିବାଦ ସମାଧାନ ହୋଇ ପାରୁ ନାହିଁ। କାହାକୁ ତିନି କିମି ଦୂରରେ ଦେଲେ, ଲାଞ୍ଚ ନେଇ ଅଯୋଗ୍ୟଙ୍କୁ ଦେଇଦେଲେ, ଏଭଳି ଗଦା ଗଦା ଅଭିଯୋଗ ଯୋଗୁ ଏବେ ବି ଏଠାରେ ୫୦ରୁ ଊର୍ଦ୍ଧ୍ବ ଦୋକାନ ଘର ବନ୍ଦ ପଡ଼ି ଖତ ଖାଉଛି। କସ୍‌ମୋପଲିସ୍‌ରେ ପ୍ରଥମ କରି ମହିଳା ଭେଣ୍ଡିଂ ଜୋନ୍‌ ତିଆରି କଲେ। ହେଲେ ୧୦ରୁ ଊର୍ଦ୍ଧ୍ବ ଦୋକାନ ଖୋଲିଲାନି। ବନ୍ଦ ହୋଇ ପଡ଼ି ରହିବା ଫଳରେ ବିଏମ୍‌ସି ସେମାନଙ୍କର ଆବଣ୍ଟନ ବାତିଲ୍‌ କରି ନୂଆ ମହିଳାଙ୍କୁ ଦେଇଛି। ହେଲେ ସେଥିରେ ବି ଯୋଜନା ସଫଳ ହୋଇ ନାହିଁ। ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଛି। ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ମଙ୍ଗଳା ମନ୍ଦିର ଛକରେ ଜଳାଶୟ ପୋତି ଭେଣ୍ଡିଂ ଜୋନ୍‌ ତିଆରି କଲେ। ହେଲେ ରାଜନୀତି ଯୋଗୁ ଆବଣ୍ଟନ ହୋଇ ପାରୁନି। ବାପୁଜୀନଗର ଝରଣାସାହି ଭେଣ୍ଡିଂ ଜୋନ୍‌ରେ ଅଯୋଗ୍ୟଙ୍କୁ ଦେଇ ଦେବା ଅଭିଯୋଗରେ ଭେଣ୍ଡିଂ ଜୋନ୍‌ ଖୋଲିବା ସମ୍ଭବ ହେଉନାହିଁ। ବିଏମ୍‌ସିରେ ଅଭିଯୋଗ ଫର୍ଦ୍ଦ ବଢ଼ି ବଢ଼ି ଚାଲୁଥିବା ବେଳେ ମାମଲା କୋର୍ଟକୁ ଗଲାଣି। ସିଆର୍‌ପିଏଫ୍‌ ଫାଟକ ପାଖରେ ୩୮ଟି କିଓସ୍କ ନିର୍ମାଣ ହୋଇଛି। ଏଠାରେ ମଧ୍ୟ ରାଜନୀତି ଚାଲିଛି। ଫଳରେ ଆବଣ୍ଟନ ହୋଇ ପାରୁନି। ଏଭଳି ୧୫ରୁ ଊର୍ଦ୍ଧ୍ବ ଉଦାହରଣ ରହିଛି, ଯେଉଁଠି ୧୦ କୋଟିରୁ ଊର୍ଦ୍ଧ୍ବ ବରବାଦ ହୋଇଛି। ଗୋଟିଏ ପଟେ ଉଦ୍ଦେଶ୍ୟ ପୂରଣ ହୋଇ ନଥିବା ବେଳେ ଭିତ୍ତିଭୂମି ଖତ ଖାଉଛି।

ଘାଟିକିଆ ଭେଣ୍ଡିଂ ଜୋନ୍‌ରେ ୨୨ଟି କିଓସ୍କ ଓ ୪୦ ପିଣ୍ଡି (କ୍ୟାନୋପି ସେଡ୍‌) ନିର୍ମାଣ ହୋଇଛି। ତାହା ମଧ୍ୟ ଆବଣ୍ଟନ ହୋଇ ପାରୁନି। ଏଠାରେ ଏକମାତ୍ର ଦୋକାନ(ଘଣାତେଲ) ଖୋଲିଛି। ଭେଣ୍ଡିଂ ଜୋନ୍‌ ହେଲେ ପ୍ରଥମେ ସେହି ଅଞ୍ଚଳର ବ୍ୟବସାୟୀଙ୍କୁ ଥଇଥାନ କରିବା ନିୟମ ରହିଛି। ଆବଶ୍ୟକ ପଡ଼ିଲେ ଅନ୍ୟ ଜାଗାରୁ ବ୍ୟବସାୟୀଙ୍କୁ ଆଣିବା କଥା। କିନ୍ତୁ ବିଏମ୍‌ସିର ଅଧିକାରୀମାନେ ସିଆରପି ଛକରୁ ବ୍ୟବସାୟୀଙ୍କୁ ଆଣି ଏଠାରେ  ବସାଇବା ପାଇଁ ଯୋଜନା କଲେ। ହେଲେ ଏହି ଜାଗା ସିଆରପିରୁ ପ୍ରାୟ ୫ କିମି ଦୂର ହେବ। ଫଳରେ ଏହି ବ୍ୟବସାୟୀମାନେ ଆସିଲେ ନାହିଁ। ଏହା ପରେ ‌ବିଭିନ୍ନ ସ୍ଥାନରୁ ବାଛି ବାଛି ଆଣିବା ପାଇଁ ଯୋଜନା କଲେ। ହେଲେ ସେଥିରେ ବି ସଫଳ ହେଲା ନାହିଁ। ଏବେ ସର୍ଭେ କରି ବିଏମ୍‌ସି ଆଖପାଖର ୬୨ ବ୍ୟବସାୟୀଙ୍କ ତାଲିକା କରିଛି। କିନ୍ତୁ ବର୍ଷ ବର୍ଷ ଧରି ପଡ଼ି ରହିଥିବାରୁ ଏହି ଘରଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ଏହା ପରିସରରେ ମଦୁଆଙ୍କ ଆଡା ଜମୁଥିବାରୁ ମଦ ବୋତଲ ଗଦା ହୋଇଛି। ପେଭରବ୍ଲକ୍‌ ଉପରେ ଘାସ ମାଡ଼ିଗଲାଣି।