୧୫ ଦିନରେ ୧୦ କୋଟିର ଚିକେନ୍‌ ବିକ୍ରି: ସାଧାରଣ ସମୟଠାରୁ ଦୁଇଗୁଣ ଅଧିକ ବିକ୍ରି

ବାର ଅବାର ବୋଲି କିଛି ନାହିଁ, ସହର ଓ ଉପକଣ୍ଠରେ ଭୋଜିଭାତର ମାହୋଲ

ଭୁବନେଶ୍ବର: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ଯଥାସମ୍ଭବ ଉଦ୍ୟମ କରିଛନ୍ତି। କେଉଁଠି କ୍ଲବ୍‌ଘର ମରାମତି ତ କାହାକୁ ଖେଳ ଉପକରଣ ଦେଇ ମନ କିଣିବାକୁ ପ୍ରଚେଷ୍ଟା କରିଛନ୍ତି। କେହି କେହି ଟଙ୍କା ବାଣ୍ଟୁଥିବାର ମଧ୍ୟ ପ୍ରଚାର ହେଉଛି। ତେବେ ନେତାମାନେ ଭୋଜିଭାତରେ ସବୁଠାରୁ ଅଧିକ ମନ ଦେଇଥିବା ଦେଖାଯାଇଛି। ରାଜଧାନୀ ଓ ଉପକଣ୍ଠର ଅନେକ ସ୍ଥାନରେ ସନ୍ଧ୍ୟାହେଲେ ଭୋଜିପାଇଁ ହଣ୍ଡା ବସୁଥିବାର ଦେଖା ଯାଉଛି। ଦିନସାରା ପ୍ରଚାର କରୁଥିବା ସମଥର୍କଙ୍କ ସହିତ ସାଧାରଣ ଭୋଟରଙ୍କ ପାଇଁ ମଧ୍ୟ ସେଠାରେ ରନ୍ଧା ହେଉଛି। ଆଉକିଛି ସ୍ଥାନରେ ସାହି, ଯୁବକସଂଘ ବା କିଛି ସଦସ୍ୟ ଥିବା ସେହିଭଳି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପାଇଁ ନେତାମାନେ ଭୋଜିଭାତର ଆୟୋଜନ କରୁଛନ୍ତି। କହିବା ଅନାବଶ୍ୟକ ଯେ ଏବେ ଲୋକଙ୍କ ପାଇଁ ଭୋଜି ଅର୍ଥ ଯେ ଆମିଷ, ସେଥିରେ ଆଦୌ ସନ୍ଦେହ ନାହିଁ। ତେଣୁ ଗତ କିଛିଦିନ ହେଲା ରାଜଧାନୀରେ ଆମିଷ ବେପାର ଯୋର୍‌ସୋର ଚାଲିଛି। ସାଧାରଣ ସମୟଠାରୁ ବେପାରର ପରିମାଣ ଦୁଇଗୁଣ ବା ତା’ଠାରୁ ମଧ୍ୟ ଅଧିକ ହେଉଛି।

ଭୁବନେଶ୍ବରର ଆମିଷ ବେପାରକୁ ବିଚାରକୁ ନେଲେ, ଏଥର ନିର୍ବାଚନ ସମୟରେ ମଟନ ଓ ମାଛ ତୁଳନାରେ ଚିକେନ୍‌ ବିକ୍ରି ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଗତ ୧୫ ଦିନରେ ଯେଉଁଠି ୪ କୋଟି ଟଙ୍କାର ବେପାର ହେବାକଥା, ସେଠାରେ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଛି। ବଡ଼କଥା ହେଉଛି, ଏହି ସମୟରେ ଖରାଛୁଟି ହେଉଥିବାରୁ ସ୍କୁଲ୍‌, କଲେଜ୍‌, ହଷ୍ଟେଲ୍‌, ଘରୋଇ ମେସ୍‌ସବୁ ବନ୍ଦ ହୋଇଯାଏ। ଲୋକେ ଗରମ ପାଇଁ ମଧ୍ୟ ଆମିଷ ପସନ୍ଦ କରନ୍ତିନାହିଁ। ଏଣୁ ଚିକେନ୍‌ ବେପାର ଅପେକ୍ଷାକୃତ କମିଯାଏ। କିନ୍ତୁ ଏହି ମାନ୍ଦା ସମୟରେ ବି ନିର୍ବାଚନ ଋତୁ ବେପାରୀଙ୍କୁ ଦୁଇଗୁଣରୁ ଅଧିକ ଲାଭ ଦେଇଛି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରମୁଖ ଦଳର ପ୍ରାର୍ଥୀମାନେ କର୍ମୀ ସମ୍ମିଳନୀ କରି ଖାଦ୍ୟପେୟର ବ୍ୟବସ୍ଥା କରୁଥିଲେ। ଗୋଟିଏ ଦିନରେ ଗୋଟିଏ କିମ୍ବା ଦୁଇଟି ୱାର୍ଡରେ ଭୋଜି ହେଉଥିଲା। ଫଳରେ ଆମିଷ ବେପାରରେ ବିଶେଷ ପ୍ରଭାବ ପରିଲକ୍ଷିତ ହେଉନଥିଲା। କିନ୍ତୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ପ୍ରଚାର ଜୋର୍‌ଦାର ହେବା ସହ ପ୍ରତ୍ୟେକ ବସ୍ତି ଓ କଲୋନିସ୍ତରରେ ଭୋଜିଭାତର ଆସର ଆରମ୍ଭ ହୋଇ ଯାଇଥିଲା। ଏହାପରେ ହିଁ ଆମିଷ ବେପାର ଉପରେ ପ୍ରଭାବ ସ୍ପଷ୍ଟ ହୋଇ ଯାଇଥିଲା।

ହିସାବ ମୁତାବକ, ଭୁବନେଶ୍ବରର ୟୁନିଟ୍‌-୪ ହାଟ, ୟୁନିଟ୍‌-୮, ଡୁମୁଡୁମା, ପଟିଆ, ପୁରୁଣା ଭୁବନେଶ୍ବରରେ ବଡ଼ବଡ଼ ଦୋକାନ ସମେତ ଛୋଟ ବଡ଼ ଦୋକାନ ହୋଇ ସାରା ସହରରେ ପ୍ରାୟ ୧୫୦୦ଟି ଚିକେନ୍‌ କାଉଣ୍ଟର ରହିଛି। ଏହି ସବୁ କାଉଣ୍ଟରରେ ସାଧାରଣ ସମୟରେ ସପ୍ତାହରେ ରବିବାର ଓ ବୁଧବାର ଭଲ ବେପାର ହୁଏ। ଶୁକ୍ରବାର ବେପାର ହେଉଥିଲେ ବି ଅନ୍ୟ ଦୁଇଦିନ ଭଳି ବେପାର ହୁଏନାହିଁ। ଏହି ଦୁଇଦିନ ବା ଆମିଷବାରିରେ ଯଦି ସଂକ୍ରାନ୍ତି ବା ଅନ୍ୟ କୌଣସି ପର୍ବପର୍ବାଣୀ ପଡ଼ିଗଲା, ତେବେ ବେପାର ମାଡ଼ ଖାଉଥିଲା। ଏହି ଆମିଷବାରି ଓ ଅନ୍ୟଦିନରେ ହେଉଥିବା ବେପାରକୁ ହିସାବକୁ ନେଲେ ପୂର୍ବରୁ ଦୁଇ ସପ୍ତାହରେ ପ୍ରାୟ ୪ କୋଟି ଟଙ୍କାର ବେପାର ହେଉଥିଲା। କିନ୍ତୁ ଏହି ନିର୍ବାଚନୀ ଋତୁ ବା ଗତ ୧୫ ଦିନରେ ପ୍ରାୟ ୧୦ କୋଟି ଟଙ୍କାର ବେପାର ହୋଇଛି। ତାହା ପୁଣି କେବଳ ଆମିଷବାରିରେ ନୁହେଁ, ସପ୍ତାହର ସବୁଦିନ ବିକ୍ରି ହୋଇଛି।

ପୂର୍ବରୁ ହୋଟେଲ୍ ବା ରେସ୍ତୋରାଁଙ୍କୁ ଛାଡ଼ିଦେଲେ ଜଣେ ଜଣେ ସର୍ବାଧିକ କେଜିଏ କିମ୍ବା ଦୁଇକେଜି ଚିକେନ୍‌ ନେଉଥିଲେ। କିନ୍ତୁ ଗତ ୧୫ ଦିନରେ ଜଣେ ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନ ୧୦ରୁ ୧୫ କେଜି ନେଉଥିବା ଦେଖାଯାଇଛି। ଡୁମୁଡୁମାର ଜଣେ ବ୍ୟବସାୟୀଙ୍କ କହିବା କଥା, ‘‘ଆମେ କେବଳ ରବିବାର ଓ ବୁଧବାର ଭଲ ବେପାର ପାଇଁ ଅପେକ୍ଷା କରିଥାଉ। କିନ୍ତୁ ଗତ ୧୫ ଦିନ ହେଲାଣି ପ୍ରତ୍ୟେକ ଦିନ ପ୍ରାୟ ସମାନ ପରିମାଣର ବେପାର ହେଉଛି। ଖରାଛୁଟିରେ ସମସ୍ତ ହଷ୍ଟେଲ୍‌କୁ ଚିକେନ୍‌ ଯୋଗାଇବା ପ୍ରାୟ ବନ୍ଦ ହୋଇଯାଏ। ବିଭିନ୍ନ ଘରୋଇ ହଷ୍ଟେଲ ମଧ୍ୟ ବନ୍ଦ୍‌ ରହେ। ଏହିସବୁ ଜାଗାକୁ ଯୋଗାଣ ବନ୍ଦ ହୋଇଯିବାରୁ ବେପାର କମିଯାଏ। କିନ୍ତୁ ଏଥର ମାନ୍ଦାଋତୁରେ ମଧ୍ୟ ପୂର୍ବ ତୁଳନାରେ ଦୁଇଗୁଣାରୁ ଅଧିକ ବିକ୍ରି ହୋଇଛି।’’

ଅଲ୍‌ ଓଡ଼ିଶା ଆମିଷ ବ୍ୟବସାୟୀ ସଂଘ ରାଜ୍ୟ ସଭାପତି ସେଖ୍ ମୁନ୍ତାକିମ୍‌ ବକ୍ସ କହିଛନ୍ତି, ‘‘ସାଧାରଣତଃ ରବି ଓ ବୁଧବାରରେ ଭୁବନେଶ୍ବରକୁ ୧୩ଟି ପିକ୍‌ଅପ୍‌ ଭ୍ୟ‌ାନ୍‌ ଓ ୩୦ଟି ଟାଟା ଏସିଇରେ ଚିକେନ୍‌ ଆସେ। ଏହି ଦୁଇଦିନରେ ବା ଗୋଟିଏ ସପ୍ତାହରେ ୧କୋଟି ୫ ଲକ୍ଷ ଟଙ୍କା‌ ବ୍ୟବସାୟ ହେଉଥିଲା। ସେହି ହିସାବରେ ସିଜିନ୍‌ ଅନୁସାରେ ୧୫ ଦିନରେ ସର୍ବାଧିକ ୨କୋଟିରୁ ୩ କୋଟି ଟଙ୍କାର ବେପାର ହେବାକଥା। କିନ୍ତୁ ଗତ ୧୫ ଦିନରେ ୧୦ କୋଟିରୁ ଅଧିକ ବେପାର ହୋଇଛି। ପୁଣି କେବଳ ରବି କିମ୍ବା ବୁଧବାରରେ ନୁହେଁ, ଏଥର ପ୍ରତ୍ୟେକ ଦିନ ବେପାର ହୋଇଛି।’’

ସମ୍ବନ୍ଧିତ ଖବର