ଭୁବନେଶ୍ବର: ସାଇବର ଲୁଟେରାଙ୍କ ଟାର୍ଗେଟ୍ରେ ରହୁଥିବା କଟକ-ଭୁବନେଶ୍ବରରୁ ଅକ୍ଟୋବର ମାସରେ ୧୦ କୋଟି ଲୁଟ୍ ହୋଇଛି। ସାଇବର ପୁଲିସ ହିସାବ ଅନୁସାରେ ଦ୍ବୈତନଗରୀରେ ୭୦୦ରୁ ଅଧିକ ମାମଲା ରୁଜୁ ହୋଇଥିଲେ ହେଁ ମାତ୍ର ୧୨ ସାଇବର ଠକଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟାନ୍ୟ କ୍ରାଇମ୍ ହିସାବରେ ୨ଜଣଙ୍କୁ ନୋଟିସ୍ କରି ଛାଡ଼ିଦିଆଯାଇଛି। ଲୁଟେରାଙ୍କଠାରୁ ୧କୋଟି ୩୦ ଲକ୍ଷ ଟଙ୍କା ଫେରାଇ ଅଣାଯାଇଛି ଏବଂ ଲୁଟେରାଙ୍କ ଆକାଉଣ୍ଟରୁ ୧କୋଟି ୮୩ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ଭୁବନେଶ୍ବର ସାଇବର କ୍ରାଇମ୍ ହେଲ୍ପ ଡେସ୍କ ତଥ୍ୟ ଅନୁସାରେ ଅକ୍ଟୋବରରେ ହେଲ୍ପ ଲାଇନ୍ ନମ୍ବରକୁ ୪୭୬ଟି ଠକେଇ ଅଭିଯୋଗ ଆସିଥିଲା।
ଫେରିଛି ୧.୩ କୋଟି, ୧.୮୩ କୋଟି ଫ୍ରିଜ୍
୧୨ ଗିରଫ
ସାଇବର ଠକ ବିଭିନ୍ନ ଉପାୟରେ ଲୋକଙ୍କଠାରୁ ୭କୋଟି ୬ ଲକ୍ଷ ୩୩ ହଜାର ଟଙ୍କା ଲୁଟିଥିବା ଜଣାପଡ଼ିଛି। ପଞ୍ଜୀକୃତ ୩୨ ମାମଲାରେ ଭୁବନେଶ୍ବର ସାଇବର ପୁଲିସ ଅଭିଯୋଗକାରୀମାନଙ୍କ ୪୦ ଲକ୍ଷ ୭୩ ହଜାର ଟଙ୍କା ଫେରାଇ ପାରିଛନ୍ତି। ସେହିଭଳି ବିଭିନ୍ନ ଆକାଉଣ୍ଟରେ ଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ବ୍ଲକ୍ କରାଯାଇଛି। ଏହି ମାମଲା ମଧ୍ୟରୁ ୟୁପିଆଇ ଫ୍ରଡ୍ ସଂଖ୍ୟା ୧୮୬, କ୍ରେଡିଟ୍ କାର୍ଡ ଠକେଇ ସଂଖ୍ୟା ୫୪, ୧୦୬ଟି ସୋସିଆଲ୍ ମିଡିଆ ଠକେଇ ଓ ୧୨୯ଟି ଅନ୍ୟାନ୍ୟ ଠକେଇ। ସେହିପରି କଟକରେ ୩୦୪ ଅଭିଯୋଗ ହୋଇଥିଲା। କଟକରୁ ୨ କୋଟି ୮୬ ଲକ୍ଷ ୭୨ ହଜାର ଟଙ୍କା ଲୁଟ୍ ହୋଇଛି। ସେଥିରୁ ସାଇବର ପୁଲିସ ମାତ୍ର ୯୦ ଲକ୍ଷ ଟଙ୍କା ଫେରାଇ ଆଣିପାରିଛି। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୮ ଲକ୍ଷ ୫୫ ହଜାର ଟଙ୍କା ବ୍ଲକ୍ ହୋଇପାରିଛି।