ଭୁବନେଶ୍ବର: ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ କଳ୍ପନା ଛକସ୍ଥିତ ତେଲୁଗୁ ବସ୍ତିରେ ନିଆଁ ଲାଗି ୧୦ ଘର ଜଳି ପାଉଁଶ ହୋଇଯାଇଛି। ସରସ୍ବତୀ ପୂଜା ବେଳେ ଦୀପ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପାଉଁଶ ହୋଇଯାଇଥିବା ବେଳେ କିଛି ଲୋକ ନିଆଁକୁ ଆୟତ କରିବାକୁ ଯାଇ ଆହତ ହୋଇଥିବା ଜଣାପଡ଼ିଛି। ତେଲୁଗୁ ବସ୍ତିରେ କିଛି ଯୁବକ ଏକ ପଲିଥିନ୍ ମଣ୍ଡପରେ ସରସ୍ବତୀ ପୂଜା କରୁଥିଲେ। ଅସାବଧାନତାବଶତଃ ଦୀପ ନିଆଁରୁ ପଲିଥିନ୍ରେ ନିଆଁ ଲାଗିଯାଇଥିଲା। ଫଳରେ ନିମିଷେକ ଭିତରେ ନିଆଁ ପାଖ ଘରକୁ ମାଡ଼ିଯାଇଥିଲା। ପୂଜା କରୁଥିବା ଯୁବକମାନେ ନିଆଁକୁ ଦେଖି ହଡ଼ବଡ଼େଇ ଯାଇଥିଲେ। ଚାହୁଁଚାହୁଁ ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପି ଯାଇଥିଲା। ଘରଗୁଡ଼ିକ ଲାଗିଲାଗିଥିବାରୁ ନିଆଁକୁ ଆୟତ କରିବା ସହଜ ହୋଇନଥିଲା। କିଛି ଘରେ ଗ୍ୟାସ୍ ସିଲିଣ୍ଡର ଥିବାରୁ ବିସ୍ଫୋରଣ ଭୟରେ କେହି ପାଖ ମାଡ଼ିନଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ନିଆଁ ଆୟତ ହୋଇଥିଲା। କିନ୍ତୁ ସେତେବେଳକୁ ୧୦ ବଖରା ଜଳିସାରିଥିଲା। ଘର ଭିତରେ ଥିବା ଟିଭି ସମେତ ବିଭିନ୍ନ ଉପକରଣ ଓ ଲୁଗାପଟା ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ମନ୍ତ୍ରୀ ତଥା ବିଧାୟକ ଅଶୋକଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ପ୍ରମୁଖ ସେଠାରେ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବା ସହ ସରକାରୀ କ୍ଷତିପୂରଣ ମିଳିବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp