ଭୁବନେଶ୍ବର: ଆଗକୁ ପାର୍ବଣ, ଏବେଠୁ ରାଜଧାନୀରେ ମାତିଲେଣି ଚୋର, ଲୁଟେରା ଓ ଅନ୍ୟ ଅପରାଧୀ। କାହା ଘରେ ପଶି ତ କାହାର ବ୍ୟବସାୟିକ ପ୍ରତିଷ୍ଠାନରେ ପଶି କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସର୍ବସ୍ବ ଲୁଟି ନେଉଛନ୍ତି। ପୁଣି କେଉଁଠି ରାସ୍ତା ମଝିରେ, ଗହଳି ସ୍ଥାନର ସୁଯୋଗ ନେଇ ସୁନାଚେନ୍, ମୋବାଇଲ ଫୋନ୍‌, ଟଙ୍କା ଆଦି ଛଡ଼ାଇ ନେଉଛନ୍ତି। ଲୁଟ୍‌ପରେ ପୁଲିସକୁ ଚକ୍‌ମା ଦେଇ ସହଜରେ ଖସିଯାଉଛନ୍ତି। ଗୋଟିଏ ଦିନରେ ରାଜଧାନୀରୁ ୫ଲକ୍ଷ ଟଙ୍କା, ୩୮୫ ଗ୍ରାମ ଗହଣା ଲୁଟ୍‌ କରି ଅପରାଧୀ ଚମ୍ପଟ ମାରିଛନ୍ତି।

Advertisment

ଚିନ୍ତା ବଢ଼ାଇବେ ଅଣଓଡ଼ିଆ ଲୁଟେରା
ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ଆସି ରାଜଧାନୀରେ ଶ୍ରମିକ, ଫେରିବାଲା ଭାବେ କାମ କରୁଥିବା କେତେକ ଅଣଓଡ଼ିଆ ଅପରାଧରେ ସମ୍ପୃକ୍ତ ରହିଛନ୍ତି। ବିଶେଷ କରି ଚୋରି, ଲୁଟ୍ ଭଳି ମାମଲାରେ ସାମିଲ ଅଛନ୍ତି। ପୂଜା ଆସୁଥିବାରୁ ଏହି ଗ୍ୟାଙ୍ଗ୍‌ ଅଧିକ ସକ୍ରିୟ ରହିବ ବୋଲି ଅନୁମାନ କରାଯାଉଛି।

ବ୍ୟାଙ୍କ୍‌ କର୍ମଚାରୀଙ୍କ ଘରୁ ୧୦ଲକ୍ଷ ଟଙ୍କାର ସୁନା ଚୋରି

ଚନ୍ଦ୍ରଶେଖରପୁର ଥାନା ରଙ୍ଗେଶ୍ବରନଗରରେ ଜଣେ ବ୍ୟାଙ୍କ କର୍ମଚରୀଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗତକାଲି ସନ୍ଧ୍ୟାରେ ଦୁଇଘଣ୍ଟା ପାଇଁ ସେ ବାହାରକୁ ଯାଇଥିବା ବେଳେ ଝରକା ଓ ଗ୍ରିଲ ଭାଙ୍ଗି ଘରୁ ପ୍ରାୟ ୧୫୦ ଗ୍ରାମର ସୁନା ଅଳଙ୍କାର ଚୋରି ହୋଇଛି। ଏନେଇ ବ୍ୟାଙ୍କ କର୍ମଚାରୀ ବିମଳ କୁମାର ପାତ୍ର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ଶ୍ରୀ ପାତ୍ରଙ୍କ ପରିବାର ସଦସ୍ୟ ତିରୁପତି ବୁଲିବାକୁ ଯାଇଛନ୍ତି। ଘରେ ସେ ଏକୁଟିଆ ଥିବାବେଳେ ସନ୍ଧ୍ୟାରେ ଜଳଖିଆ ଖାଇବାକୁ ବାହାରକୁ ଯାଇଥିଲେ। ଘରେ କେହିନଥିବା ସୁଯୋଗରେ ଚୋର ଗୋଟିଏ ଚେନ୍‌, ତିନୋଟି ମୁଦି, ସୁନାଚୁଡ଼ି ଆଦି ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଚୋରି କରିନେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ୧୦ ଦିନ ମଧ୍ୟରେ ରାଜଧାନୀର ୪ଟି ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଘରେ ପଶି ଚୋରି ଘଟଣା ପୁଲିସର ନିଦ ହଜାଇ ଦେଇଛି। ଚୋରିରେ ଗୋଟିଏ କି ଏକାଧିକ ଗ୍ୟାଙ୍ଗ୍‌ ସାମିଲ ଅଛନ୍ତି ସେ ନେଇ ପୁଲିସ ଖୋଳତାଡ଼ କରୁଛି। ପୁଲିସ ଘଟଣାସ୍ଥଳକୁ ଯାଇ ଆଖାପାଖରେ ଥିବା ସିସିଟିଭି ଯାଞ୍ଚ କରିଛି। ଫରେନସିକ୍‌ ଟିମ୍ ସେଠାକୁ ଯାଇ ମଧ୍ୟ ଛାନଭିନ କରିଛି।

ତାଲା ଭାଙ୍ଗି ୫୦ହଜାର ଟଙ୍କା, ୨୩୫ ଗ୍ରାମ ସୁନା ଗହଣା ନେଇଗଲେ
ରବିବାର ସନ୍ଧ୍ୟା ପାଖାପାଖି ୬ଟା ସମୟରେ ସହିଦନଗର ଅଞ୍ଚଳର ଜଣେ ମହିଳା ଘର ତାଲାପକାଇ ନିକଟ ବଜାରକୁ ଯାଇଥିଲେ। ସାଢ଼େ ୭ଟା ସମୟରେ ଫେରିବା ବେଳକୁ ଘର ତାଲା ଭଙ୍ଗାଯାଇ ଲୁଟ୍‌ ହୋଇଥିବା ଦେଖିଥିଲେ। ଆଲମିରାରେ ଥିବା ୫୦ ହଜାର ଟଙ୍କା ଓ ୨୩୫ଗ୍ରାମର ସୁନା ଗହଣା ଚୋରି ହୋଇଥିବା ଦେଖି ପୁଲିସକୁ ଜଣାଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲା। ୨ଜଣ ଯୁବକ ଘରେ ପଶି ଲୁଟ୍‌ କରିଥିବା ସିସିଟିଭିରୁ ଜଣାପଡ଼ିଛି। ସେମାନଙ୍କୁ ଚିହ୍ନଟ ପାଇଁ ପୁଲିସ ତନାଘନା ଚଳାଇଛି।

ବନ୍ଧୁକ ଦେଖାଇ ଫ୍ଲିପ୍‌କାର୍ଟ ଅଫିସ୍‌ରୁ ୪.୫ଲକ୍ଷ ଟଙ୍କା ଲୁଟ୍‌
ରବିବାର ରାତି ପାଖାପାଖି ସାଢ଼େ ୧୧ଟା ହେବ। ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଫ୍ଲିପ୍‌କାର୍ଟ ଲଜିଷ୍ଟିକ୍‌ର କର୍ମଚାରୀ କାମରେ ବ୍ୟସ୍ତ ଥାଆନ୍ତି। ଅଚାନକ ୫ଜଣ ମୁଖା ପିନ୍ଧା ଯୁବକ ଅଫିସ୍‌ ଭିତରେ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରି ସାଢ଼େ ୪ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଖବର ପାଇ ଭରତପୁର ଥାନା ପୁଲିସ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ରୁ ପୁଲିସ ୫ମୁଖା ପିନ୍ଧାଙ୍କୁ ଚିହ୍ନଟ କରିଥିଲେ ବି ସେମାନଙ୍କ ସମ୍ପର୍କରେ ଏଯାଏ ଟେର୍‌ ପାଇନାହିଁ। ଅନ୍ୟପଟେ ଲୁଟ୍‌ ପଛରେ କିଛି ନିଜଲୋକ ବା କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରିଛି।