ବାରଙ୍ଗ: ଥରେ ବଟି ବାବଦରେ ୨ ଲକ୍ଷ ଟଙ୍କା ନେଲେ। ଜମି କ୍ରେତା ଓ ବିକ୍ରେତା ଭୟରେ ୨ ଲକ୍ଷ ଟଙ୍କା ଗଣିଲେ। କିନ୍ତୁ ସେତିକିରେ ମନ ବୁଝିଲାନି। ପୁଣି ୨ ଲକ୍ଷ ଟଙ୍କା ଦାବି କଲେ। କିନ୍ତୁ ନ ମିଳିବାରୁ ଦୁର୍ବୃତ୍ତମାନେ ଜବରଦସ୍ତ ୧୦ ଲକ୍ଷ ଟଙ୍କା ଛଡ଼ାଇନେଲେ। କିନ୍ତୁ ବାରଙ୍ଗ ଥାନା ପୁଲିସ ତୁରନ୍ତ ପଦକ୍ଷେପ ନେଇ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କଲା। ଆଜି ପୁଲିସ ସେହି ୬ ଦୁର୍ବୃତ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ଦେଉଳୀ ଗ୍ରାମର ସୁବାସ ଜେନା(୫୨), ବାନାମ୍ବର ସ୍ୱାଇଁ (୬୩), ମରିଚିଆ ଗ୍ରାମର ବିଶ୍ୱନାଥ ରାଉତ ଓରଫ୍ ବାବୁ (୪୦), କଟକ ଦରଘା ବଜାର ଥାନା କଦମରସୁଲ୍ ଅଞ୍ଚଳର ମିର୍ଜା ଆଜମ୍ (୪୧), କେନ୍ଦ୍ରାପଡ଼ା ରାଜନଗର ବାଲିସାହି ପାଟଣାର ମହେନ୍ଦ୍ର ବଳ(୩୫) ଓ କଟକ ସିଡିଏ ସେକ୍ଟର ୯ ଫେଜ୍-୨ର ମାନସ ମହାନ୍ତି ଓରଫ୍ ଦୁର୍ଗା(୪୭)।
ଏମାନେ ଜମି ବିକ୍ରେତା ଓ କ୍ରେତାଙ୍କୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ତେବେ ପୂର୍ବରୁ ଏହି ଟିମ୍ ସେମାନଙ୍କଠାରୁ ବଟି ବାବଦରେ ୨ ଲକ୍ଷ ନେଇଥିଲେ ଏବଂ ପୁଣି ଥରେ ୨ ଲକ୍ଷ ଟଙ୍କା ମାଗିଥିଲେ। କ୍ରେତା ଓ ବିକ୍ରେତା ମନା କରିବାରୁ ଅଭିଯୁକ୍ତମାନେ ବାରଙ୍ଗ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ନିକଟରେ ସେମାନଙ୍କୁ ଧମକଚମକ ଦେଇ ନଗଦ ୧୦ ଲକ୍ଷ ଟଙ୍କା ଓ କାଗଜପତ୍ର ଛଡ଼ାଇ ନେଇଥିଲେ। ଖବର ପାଇ ବାରଙ୍ଗ ଥାନା ପୁଲିସ ସେମାନଙ୍କୁ ପିଛା କରିଥିଲା ଏବଂ ତ୍ରିଶୁଳିଆ ନିକଟ ଏକ ଜଙ୍ଗଲ ଭିତରେ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି।