କଲ୍ୟାଣ ମଣ୍ଡପ ସିଲ୍‌ ପରେ: ହଜିଲା ବାପାମାନଙ୍କ ନିଦ, ଦୁଇ ଦିନରେ ୧୦ ମଣ୍ଡପ ସିଲ୍‌

ଆଜି ଆଜି ଆଉ ୨ଟି ମଣ୍ଡପ ସିଲ୍‌ ହେଲା, ବାହାଘର ଚାଲି ଥିବାରୁ ସିଲ୍ ହୋଇପାରିଲାନି ୪ ମଣ୍ଡପ

ଭୁବନେଶ୍ବର: ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପକୁ ଗୋଟିଏ ପରେ ଗୋଟିଏ ସିଲ୍‌ କରାଯାଉଛି। ଦୁଇ ଦିନରେ ୧୦ଟି କଲ୍ୟାଣ ମଣ୍ଡପ ସିଲ୍‌ ହେଲାଣି। ବିଏମ୍‌ସି, ବିଡିଏ ଓ କମିସନରେଟ୍ ପୁଲିସର ମିଳିତ ଟିମ୍ ରାଜଧାନୀ ସାରା ବୁଲିବୁଲି କଲ୍ୟାଣ ମଣ୍ଡପ ସିଲ୍‌ କରୁଛି। ହେଲେ ଯେଉଁ ବାପାମାନେ ପୁଅ/ଝିଅର ବାହାଘର ପାଇଁ କଲ୍ୟାଣମଣ୍ଡପ ବୁକିଂ କରିଥିଲେ ସେମାନଙ୍କ ନିଦ ହଜିଗଲାଣି। ଯେତେ ଅଧିକ କଲ୍ୟାଣ ମଣ୍ଡପ ସିଲ୍‌ ହେଉଛି ସେତେ ଅଧିକ ବାପାଙ୍କର ନିଦ ହଜି ଯାଉଛି। କେଉଁଠି ପୁଅ/ଝିଅ ବାହାଘର କରିବେ, କେମିତି କରିବେ ସେ ଚିନ୍ତା ଏବେ ବାପାମାନଙ୍କର ରକ୍ତଚାପ ବଢ଼ାଇ ଦେଲାଣି। ବିଏମ୍‌ସି କର୍ତ୍ତୃପକ୍ଷ ସୋମବାର ୮ଟି କଲ୍ୟାଣ ମଣ୍ଡପ ସିଲ୍‌ କରିଥିବା ବେଳେ ଆଜି ଆଉ ଦୁଇଟି କଲ୍ୟାଣ ମଣ୍ଡପ ସିଲ୍‌ କରିଛନ୍ତି। ବୁଧବାର ଆଉ ୪ଟି କଲ୍ୟାଣ ମଣ୍ଡପ ସିଲ୍‌ ହେବ। ହେଲେ ବାହାଘର ପାଇଁ କାର୍ଡ ଛାପି ବାଣ୍ଟୁଥିବା ଲୋକ ଏବେ କ’ଣ କରିବେ ଜାଣିପାରୁନାହାନ୍ତି। ଯେଉଁମାନେ ବାହାଘର ପାଇଁ ମଣ୍ଡପ ବୁକିଂ କରିଛନ୍ତି ସେମାନେ ମଣ୍ଡପ ସିଲ୍‌ ହେଉଛି କି ନାହିଁ ଜାଣିବା ପାଇଁ ଦୁଇ ଦିନ ହେଲା ବୁକିଂ କରିଥିବା କଲ୍ୟାଣ ମଣ୍ଡପ ଆଗରେ ସକାଳୁ ସଂଜ ପର୍ଯ୍ୟନ୍ତ ଛିଡ଼ା ହେଉଛନ୍ତି। କେତେକ ବିଏମ୍‌ସି ଅଫିସକୁ ଆସି ବିଭିନ୍ନ ଅଧିକାରୀଙ୍କ ଠାରୁ ପଚାରି ବୁଝୁଛନ୍ତି ଆଜି କେଉଁ ମଣ୍ଡପ ସିଲ୍‌ ହେଲା, ଏ ମଣ୍ଡପ ସିଲ୍‌ ହେବ ନା ନାହିଁ। ଏମିତି ଭାବେ ଯେଉଁମାନେ ଏହି ବିବାହ ଋତୁରେ ବାହାଘର କରୁଛନ୍ତି ସେମାନେ ମଣ୍ଡପ ସାମ୍ନା ଓ ବିଏମ୍‌ସି ଅଫିସରେ ଚକ୍କର କାଟୁଛନ୍ତି। କେବଳ ଏତିକି ନୁହେଁ ବାପାମାନେ ହାତରେ ଖଣ୍ଡିଏ କାର୍ଡ ଧରି ବିଏମ୍‌ସି ବାବୁମାନଙ୍କୁ ଭେଟୁଛନ୍ତି। କାର୍ଡରେ ଅଧିକାରୀଙ୍କ ନାମ ଲେଖି ବାହାଘରକୁ ନିମନ୍ତ୍ରଣ କରୁଛନ୍ତି। ଆଉ କହୁଛନ୍ତି ଯେ, ପୁଅ/ଝିଅ ବାହାଘର ଅମୁକ ମଣ୍ଡପରେ ଅମୁକ ତାରିଖରେ ହେବ। ଆପଣ ନିଶ୍ଚିତ ଯିବେ। ଏମିତି କାକୁତି ମିନତି କରି ବାହାଘରକୁ ଯିବାକୁ ଅନୁରୋଧ କରି ଯାଉଛନ୍ତି ଯେ, ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀ ସେ କଲ୍ୟାଣ ମଣ୍ଡପ ସିଲ୍‌ କରିବେ କି ନାହିଁ ଭାବିବାକୁ ଏକରକମ ବାଧ୍ୟ ହେଉଛନ୍ତି। ହେଲେ ବେଆଇନ କଲ୍ୟାଣ ମଣ୍ଡପକୁ ସିଲ୍‌ କରିବାକୁ ନିୟମ ହୋଇ ଥିବାରୁ ସ୍କ୍ବାଡ୍ ପଠାଇ ସିଲ୍‌ କରୁଛନ୍ତି।

ବିଏମ୍‌ସି ପକ୍ଷରୁ ସୋମବାର ଉତ୍ତର ଜୋନ୍‌ରେ ପଟିଆସ୍ଥିତ ଋଷି ‌ରିସୋର୍ଟ, ସାମନ୍ତପୁରରେ ଥିବା ପଣ୍ଡିତ ନୀଳକଣ୍ଠ କଲେଜ୍ ଅଫ୍ ଲାଇବ୍ରେରି ଆଣ୍ଡ ଇନଫରମେସନ୍ ସାଇନ୍ସ ମଣ୍ଡପ, ଗଜପତି ନଗରରେ ଥିବା ଆତ୍ମାରାମ ମଣ୍ଡପ, ସୈନିକ ସ୍କୁଲ ଛକ ନିକଟରେ ଥିବା ଜେବି ବିବାହ ମଣ୍ଡପ, ପ୍ରେସ୍‌ ଛକ ନିକଟରେ ଥିବା ଆର୍‌ସିଏମ୍ ମାର୍କେଟ୍ କମ୍ପ୍ଲେକ୍ସ। ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ଥିବା ଖଣ୍ଡଗିରିସ୍ଥିତ ସାଇ ଗାର୍ଡେନ, ବରମୁଣ୍ଡାରେ ଥିବା ଚନ୍ଦନ ଲଜ୍, ଦକ୍ଷିଣ-ପୂର୍ବ ଜୋନ୍‌ରେ ସହିଦନଗରସ୍ଥିତ ପାଲାଡିୟମ କୋର୍ଟୟାର୍ଡ କଲ୍ୟାଣ ମଣ୍ଡପ ସିଲ୍‌ ହୋଇଥିଲା। ଆଜି ଦକ୍ଷିଣ ପୂର୍ବ ଜୋନ୍‌ରେ ୱାର୍ଡ-୬୧ରେ ଥିବା ଗୋଖିବାବା ମଣ୍ଡପ ଏବଂ ୱାର୍ଡ ୬୭ର ସୁନ୍ଦରପଦାରେ ଥିବା ସୋମନାଥ ରିସୋର୍ଟସକୁ ସିଲ୍‌ କରିଛନ୍ତି।

ଅପରପକ୍ଷେ ଆଜି ସ୍କ୍ବାଡ୍‌ ୪ଟି ମଣ୍ଡପ ସିଲ୍‌ କରିବାକୁ ଯାଇଥିଲେ ମଧ୍ୟ ସେଠାରେ ବାହାଘର ଚାଲିଥିବାରୁ ଆଜି ସିଲ୍‌ କରାଯାଇନି। ସେଗୁଡ଼ିକ ହେଲା ପାଣ୍ଡରାସ୍ଥିତ ରାଜାରାଣୀ ମଣ୍ଡପ, ତାରିଣୀ ମଣ୍ଡପ, ଜିଜିପି କଲୋନିରେ ଥିବା ମଞ୍ଜୁଳା ମଣ୍ଡପ ଏବଂ ଜାଗମରାରେ ଥିବା କନକ ବଙ୍କେଟ୍ ହଲ୍‌। ଏହି ଚାରିଟି ମଣ୍ଡପ ବୁଧବାର ସିଲ୍‌ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। କଲ୍ୟାଣ ମଣ୍ଡପ ସିଲ୍‌ ହେବା ନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ଆମେ ୯୪ଟି ଯାକ କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପକୁ କାରଣ ଦର୍ଶାଅ ନୋଟିସ୍ କରିଥିଲୁ। କିନ୍ତୁ ଜାନୁଆରି ୩୧ ମଧ୍ୟରେ ମାତ୍ର ୧୪ଜଣ ଜବାବ୍ ରଖିଲେ। ବର୍ତ୍ତମାନ ସୁଦ୍ଧା ୩୬ଜଣ ଜବାବ୍ ରଖିଛନ୍ତି। ହେଲେ ଆମର ଯାଞ୍ଚ କମିଟି ସେଗୁଡ଼ିକୁ ଯାଞ୍ଚ କରିବା ପରେ ସିଲ୍‌ କରିବ କି ନାହିଁ ନିଷ୍ପତ୍ତି ନିଆଯିବ। କଲ୍ୟାଣମଣ୍ଡପର ସମସ୍ତ ଡକୁମେଣ୍ଟ ଦେଖି ବୁକିଂ କରିବାକୁ ମାସକ ଆଗରୁ ଆମେ ଜନସାଧା‌ରଣଙ୍କୁ ସୂଚନା ଦେଇଥିଲୁ । କିନ୍ତୁ ଲୋକମାନେ ସବୁ ଜାଣିବା ପରେ ବି ବୁକିଂ କରିଛନ୍ତି ସେମାନେ ଅସୁବିଧାରେ ପଡ଼ିଛନ୍ତି। ଲୋକଙ୍କ ସମସ୍ୟା ନେଇ ଆମେ ଅବଗତ ଅଛୁ। ଏନେଇ କ’ଣ ହୋଇପାରିବ ଦେଖିବୁ। ଅପରପକ୍ଷେ ମଣ୍ଡପ ବୁକିଂ କରିଥିବା ଲୋକମାନେ କହିଛନ୍ତି ଯେ, ଆମେ କଲ୍ୟାଣମଣ୍ଡପ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର କାଗଜପତ୍ର ଠିକ୍ ଅଛି କି ନାହିଁ ପଚାରିବାରୁ ସେମାନେ କହିଥିଲେ ଯେ, ଆମର ସବୁ କାଗଜପତ୍ର ଠିକ୍ ଅଛି। ବିଏମ୍‌ସିରେ ସବୁ ଡକୁମେଣ୍ଟ ଦିଆଯାଇଛି, କିଛି ଅସୁବିଧା ହେବନି। ହେଲେ ଏବେ ଏତେ ଅସୁବିଧା ହେବ ବୋଲି ଜାଣି ନ ଥିଲୁ।

ବିଏମ୍‌ସି ପାଖରେ ବିକଳ୍ପ
ବେଆଇନ କଲ୍ୟାଣ ମଣ୍ଡପ ସିଲ୍‌ କରିବା ନେଇ ବିଏମ୍‌ସି ଯେଉଁ ପଦକ୍ଷେପ ‌ନେଉଛି ତାହାକୁ ଅନେକ ସ୍ବାଗତ କରୁଛନ୍ତି। ହେଲେ ଯେଉଁମାନେ ବାହାଘର/ବ୍ରତଘର ପାଇଁ ମଣ୍ଡପ ବୁକିଂ କରିଥିଲେ ସେମାନେ ଅସୁବିଧାରେ ପଡ଼ିଛନ୍ତି। ବିଏମ୍‌ସି ଯଦି ରାଜଧାନୀରେ ଥିବା ବିଭିନ୍ନ ଖୋଲା ପଡ଼ିଆକୁ ବ୍ୟବହାର ପାଇଁ ଅନୁମତି ଦେବ ତାହାହେଲେ ସମସ୍ୟାର କିଛିଟା ସମାଧାନ ହୋଇ ପାରନ୍ତା ବୋଲି କିଛି ଲୋକ କହିଛନ୍ତି। ରାଜଧାନୀରେ ପ୍ରାୟ ୫୦ରୁ ଅଧିକ ଦୁର୍ଗାପୂଜା ପଡ଼ିଆ ଏବଂ ବିଭିନ୍ନ କ୍ଲବର ପଡ଼ିଆ ଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରାଜଧାନୀରେ ୨୦ରୁ ଅଧିକ ପଡ଼ିଆ ଅଛି। ଏପରିକି ବିଡିଏ ଅଧୀନରେ ନିକୋ ପାର୍କ ଥିବା ବେଳେ ବିଏମ୍‌ସି ଅଧୀନରେ ୬ଟି କଲ୍ୟାଣ ମଣ୍ଡପ ଏବଂ ପ୍ରତି ୱାର୍ଡରେ ଗୋଷ୍ଠୀ କେନ୍ଦ୍ର ଅଛି। ଯେଉଁମାନେ ବିବାହ ପାଇଁ ମଣ୍ଡପ ବୁକିଂ କରିଛନ୍ତି ସେମାନଙ୍କୁ ଯଦି ବିଏମ୍‌ସି ପକ୍ଷରୁ ସୁଲଭ ମୂଲ୍ୟରେ ଏହି ପଡ଼ିଆ ବା ବିଏମ୍‌ସି କଲ୍ୟାଣ ମଣ୍ଡପ ଯୋଗାଇ ଦିଆଯାଆନ୍ତା ତେବେ ଲୋକଙ୍କର ବହୁ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କେତେକ ମତ ପ୍ରକାଶ କରିଛନ୍ତି। ବିଏମ୍‌ସି ବେଆଇନ କଲ୍ୟାଣ ମଣ୍ଡପ ସିଲ୍‌ କରିବାରେ କାହାର ଅଭିଯୋଗ ରହିବନି କି ଲୋକଙ୍କର ବିବାହ ଅଟକିବନି।

ସମ୍ବନ୍ଧିତ ଖବର