ଝାରପଡ଼ା ଜେଲ୍‌ରୁ ୧୦ ମୋବାଇଲ ଫୋନ୍ ଜବତ, ସନ୍ଦେହଘେରରେ କର୍ତ୍ତୃପକ୍ଷ

ଭୁବନେଶ୍ବର: ଝାରପଡ଼ା ଜେଲରୁ ଗତକାଲି ୯ଟି ମୋବାଇଲ ଫୋନ୍ ଓ ଗୋଟିଏ ସିମ୍‌କାର୍ଡ ଜବତ ହୋଇଥିବା ବେଳେ ଆଜି ଆଉ ଗୋଟିଏ ମୋବାଇଲ ଫୋନ୍‌ ଜବତ ହୋଇଛି। କେତେକ ଵାର୍ଡର ଏହି ଫୋନ୍ ଜବତ କରିଛନ୍ତି। ଏହା ପରେ ଜେଲ୍‌ ବିଭାଗ ପକ୍ଷରୁ ଫୋନକୁ ଲକ୍ଷ୍ମୀସାଗର ଥାନା ଜିମା ଦିଆଯାଇଛି। ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଏତଲା ଦିଆଯାଇଛି। ସପ୍ତାହକ ଭିତରେ ଏ ହେଉଛି ଦ୍ବିତୀୟ ଘଟଣା। ଏହା ପୂର୍ବରୁ ଆଇଜି ହିଂମାଶୁ ଲାଲଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉ ସମୟରେ ମାତ୍ର ଗୋଟିଏ ମୋବାଇଲ ଫୋନ୍ ମିଳିଥିଲା।

ଏଠାରେ ପ୍ରଶ୍ନ ଉଠୁଛି ମାତ୍ର ସପ୍ତାହେ ତଳେ ଚଢ଼ଉ କରାଯାଇ ସରଜମିନ୍ ଛାନଭିନ୍ ହୋଇଥିବା ବେଳେ ପୁଣି ମୋବାଇଲ ଫୋନ୍ ଆସିଲା କେଉଁଠୁ? କିଏ ଏହି ମୋବାଇଲ ଫୋନ୍ ଆଣିଲା? କାହା ଜରିଆରେ ମୋବାଇଲ ଫୋନ୍ ଭିତରକୁ ଆସିଲା? ଏହା ପଛରେ କିଛି ଅସାଧୁ କର୍ମଚାରୀଙ୍କ ରହିଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। କିନ୍ତୁ ସନ୍ଦେହଘେରକୁ ଚାଲି ଆସିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ। ଜବତ ମୋବାଇଲ ଫୋନ୍ ଓ ସିମକାର୍ଡର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରିବ ପୁଲିସ। ଏହା ସହ କେମିତି ଓ କିଏ ଭିତରକୁ ନେଲା ତାହାର ମଧ୍ୟ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି। ମୋବାଇଲ ଧରିଥିବା ଵାର୍ଡରମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟ କହିଛନ୍ତି। ଅନ୍ୟପକ୍ଷରେ ଘଟଣାର ଅନୁସନ୍ଧାନ ଜାରି ରହିଛି ବୋଲି ଲକ୍ଷ୍ମୀସାଗର ଥାନା ଆଇଆଇସି ଓମ୍‌ପ୍ରକାଶ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର