ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ
ଭୁବନେଶ୍ୱର: ସ୍ମାର୍ଟ ସିଟି ଯୋଜନାର ଅନ୍ୟତମ ପ୍ରମୁଖ ପ୍ରକଳ୍ପ କମନ୍ ପେମେଣ୍ଟ କାର୍ଡ ବ୍ୟବସ୍ଥା ଖୁବ୍ ଶୀଘ୍ର ଲୋକାର୍ପିତ ହେବ। ଏନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଉଦ୍ଘାଟନ କରିବା ଆପାତତଃ ସ୍ଥିର ହୋଇଛି। ସେପ୍ଟେମ୍ବର ୧୫ ପୂର୍ବରୁ ଏହି କମନ୍ ପେମେଣ୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଏସ୍ସିଏଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ରାଜଧାନୀରେ ‘ସମସ୍ତ ଦେୟ ପାଇଁ ଗୋଟିଏ କାର୍ଡ’ ଯୋଜନାରେ ବିଏସ୍ସିଏଲ୍ ପକ୍ଷରୁ ସ୍ମାର୍ଟ କାର୍ଡ ତଥା କମନ୍ ପେମେଣ୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ ହେବ। ଏହି ବ୍ୟବସ୍ଥା ଗତ ଜାନୁଆରି ମାସରୁ ଆରମ୍ଭ ହେବାକୁ ଥିବା ବେଳେ ଏବେ ସୁଦ୍ଧା ଆରମ୍ଭ ହୋଇ ପାରି ନାହିଁ। ହକି ବିଶ୍ୱକପ୍କୁ ନଜରରେ ରଖି ସେପ୍ଟେମ୍ବର ମାସରେ ହିଁ ଏହାକୁ ଉଦ୍ଘାଟନ କରିବାକୁ ନିଷ୍ପତ୍ତି ହୋଇଛି। ଏହି କାର୍ଡ ଆଇସିଆଇସିଆଇ ବ୍ୟାଙ୍କ ଯୋଗାଇବାକୁ ଥିବା ବେଳେ ପ୍ରତ୍ୟେକ ଦେୟ ଉପରେ ୧.୪୫% ଫି’ ନେବାକୁ ଟେଣ୍ଡର ପାଇଛି। ବିଏସ୍ସିଏଲ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, କମନ୍ ପେମେଣ୍ଟ କାର୍ଡ ଯେପରି ସଫଳତାର ସହ କାର୍ଯ୍ୟକାରୀ ହେବ ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଟି ସେବା ପାଇଁ ଏହା ଲାଗୁ ହେବ। ଏଥିରେ ବିଏମ୍ସିର ହୋଲଡିଂ ଟିକସ, ୟୁଜର୍ସ ଫି’, ଟ୍ରେଡ୍ ଲାଇସେନ୍ସ ଫି’, ବିଏମ୍ସି କଲ୍ୟାଣ ମଣ୍ଡପ ବୁକିଂ, ସିଟି ବସ୍ ଟିକେଟ, ପାର୍କିଂ ଫି’, ଜଳ କର, ବିଦ୍ୟୁତ ବିଲ୍ ଏବଂ ବିଏମ୍ସି ଓ ବିଡିଏର ସମସ୍ତ ସେବା ଭଳି ୧୦ଟି ସେବାକୁ ସାମିଲ୍ କରାଯିବ। ଏହି ସେବା ଉପଲବ୍ଧ ହେଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ୱାଇପ୍ ମେସିନ୍ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ବିଭିନ୍ନ ପାର୍କିଂ ସ୍ଥଳରେ ସ୍ୱାଇପ୍ ମେସିନ୍ ରହିବ। ଏଥିପାଇଁ ଏବେ କାର୍ଡ ପ୍ରିଣ୍ଟିଂ କାର୍ଯ୍ୟ ଶେଷ ହୋଇଥିବା ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।
ଲୋକଙ୍କୁ ଯେପରି ସୁବିଧାରେ କାର୍ଡ ମିଳିବ, ରିଚାର୍ଜ କରିପାରିବେ, ସେଥିପାଇଁ ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ ୫୦ଟି ପଏଣ୍ଟ୍ ଅଫ୍ ସେଲ୍ ବା ପିଓଏସ୍ ରହିବ। ଏହାକୁ ପରବର୍ତ୍ତୀ ସମୟରେ ୩୨୫କୁ ବୃଦ୍ଧି କରାଯିବ। ଲୋକମାନେ ୫୦ଟଙ୍କା ଦେଇ କାର୍ଡ କିଣିବେ। ଏହାପରେ ଯେଉଁ ଅନୁସାରେ ରିଚାର୍ଜ କରିବେ, ସେହି ଅନୁସାରେ ଏହାକୁ ବ୍ୟବହାର କରିବେ। ମୋବାଇଲ୍ ବ୍ୟାଙ୍କିଂ ବା ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଏହାକୁ ରିଚାର୍ଜ କରିବାର ସୁବିଧା ବି ରହିବ। ପ୍ରଥମ ପର୍ଯ୍ୟାୟରେ ଏହା ଯେପରି ଅଧିକ ଲୋକାଦୃତ ହେବ ସେଥିପାଇଁ ଗ୍ରାହକଙ୍କୁ କିଛି ଅଫର୍ ବି ଦିଆଯିବ। ଯେପରି କ୍ୟାସ୍ ବ୍ୟାକ୍ ଏବଂ ପାର୍କିଂ ସ୍ଥଳରେ ଡିସକାଉଣ୍ଟ୍ ବ୍ୟବସ୍ଥା ରହିବ। ପରବର୍ତ୍ତୀ ସମୟରେ ରାଜଧାନୀର ସମସ୍ତ ଦୋକାନ, ସପିଂ ମଲ୍, ସିନେମା ହଲ୍, ପେଟ୍ରୋଲ ପମ୍ପ୍, ରେଷ୍ଟୁରାଣ୍ଟରେ ଏହି କାର୍ଡର ବ୍ୟବହାର ହୋଇପାରିବ। କେବଳ ଏତିକି ନୁହେଁ, ଏହା ମାଧ୍ୟମରେ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, କ୍ୟୁଆର୍ କୋଡ୍ରେ ନେଣଦେଣ, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍, ଆଧାର ସହାୟତାରେ ପେମେଣ୍ଟ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଏହି କାର୍ଡ ମାଧ୍ୟମରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବାର୍ଷିକ ପ୍ରାୟ ୩୦ ମିଲିଅନ କାରବାର କରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଟାର୍ଗେଟ୍ ରଖିଛନ୍ତି। ଏବେ ଯେଉଁ ବ୍ୟବସ୍ଥାରେ ଲୋକମାନେ ଫି’ ଜମା କରୁଛନ୍ତି, ତାହା ଲୋକଙ୍କ ପାଇଁ ସୁବିଧାଜନକ ନୁହେଁ। ଏହା ସହ ନଗଦବିହୀନ ଅର୍ଥ କାରବାର ପାଇଁ ସରକାର ବିଭିନ୍ନ ନିୟମ ଜାରି କରୁଥିବାରୁ ସ୍ମାର୍ଟ କାର୍ଡ ହିଁ ଏ ସବୁ ସମସ୍ୟାର ସମାଧାନ କରିବ। ସ୍ମାର୍ଟ କାର୍ଡର ବ୍ୟବହାର ଯେପରି ସବୁସ୍ତରରେ ହୋଇପାରିବ ଏବଂ ସହଜରେ ଲୋକ ସେବା ପାଇବେ, ସେଥିପାଇଁ ବିଏସ୍ସିଏଲ୍ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି କାର୍ଡ ଏକ ଓ୍ଵାଲେଟ ଭଳି ହେବ। ଏଥିରେ ଲୋକ ବ୍ୟାଙ୍କ ଆକଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍ କରି ରଖିପାରିବେ। ଆଉ ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ବ୍ୟବହାର କରିପାରିବେ। ରାଜଧାନୀରେ ସବୁଠି ଏହି ସ୍ମାର୍ଟ କାର୍ଡ ବ୍ୟବହାର କରିହେବ। ଏହି କାର୍ଡରେ ଗୋଟିଏ ପାସଓ୍ଵାର୍ଡ ରହିବ। ଏହାକୁ ବ୍ୟବହାର କରି କାରବାର କରିହେବ। ଲୋକମାନେ ଅନଲାଇନ୍ କିମ୍ବା ଆକାଉଣ୍ଟ ଟ୍ରାନ୍ସଫର୍ କରି ଏହି କାର୍ଡରେ ଅର୍ଥ ଜମା କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Common-Card-Payment-system.jpg)