ନାଟକ କରିବାକୁ ସାଇକେଲ୍‌ରେ ୧୦ ହଜାର କିଲୋମିଟର

ଭୁବନେଶ୍ବର: ସେମାନେ ମଞ୍ଚକୁ ଅପେକ୍ଷା କରନ୍ତି ନାହିଁ, ବରଂ ରଙ୍ଗମଞ୍ଚକୁ ସାଙ୍ଗରେ ନେଇ ଗାଁ ଗାଁ ବୁଲନ୍ତି। ତାଙ୍କ ନାଟକ ଦେଖିବାକୁ ଦର୍ଶକଙ୍କୁ କୁଆଡ଼େ ଯିବାକୁ ପଡ଼େନାହିଁ। ନାଟକକୁ ସେମାନେ ଦର୍ଶକଙ୍କ ପର୍ଯ୍ୟନ୍ତ ସାଇକେଲ୍‌ରେ ବାହି ନିଅନ୍ତି। ଦର୍ଶକଙ୍କୁ ଖାଲି ମନୋରଂଜନ ବାଣ୍ଟନ୍ତି ନାହିଁ, ବଳିଷ୍ଠ ବାର୍ତା ଦେଇ ଫେରନ୍ତି। ନୂଆ ଧାରାରେ ନାଟକ ପରିବେଷଣ କରି ଏପରି ନିଆରା ପରିଚୟ ସୃଷ୍ଟି କରିପାରିଛି ନାଟ୍ୟାନୁଷ୍ଠାନ ‘ନାଟ୍ୟ ଚେତନା’। ଅନୁଷ୍ଠାନର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତ୍ୟେକ ବର୍ଷ ସାଇକେଲ୍‌ରେ ବୁଲିବୁଲି ନାଟକ ପରିବେଷଣ କରିଆସୁଛନ୍ତି ୨୦ରୁ ଅଧିକ କଳାକାର। ଗତବର୍ଷ ମଧ୍ୟ ୨୦ ଜଣ କଳାକାର କଳାହାଣ୍ଡି ୧୧୦ କିଲୋମିଟର ଏବଂ ଅନୁଗୁଳ ୧୧୦ କିଲୋମିଟର ବୁଲି ନାଟକ ପରିବେଷଣ କରିଛନ୍ତି। ବିଶ୍ବ ରଙ୍ଗମଞ୍ଚ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କ କ୍ଷେତ୍ରରେ କିନ୍ତୁ ରଙ୍ଗମଞ୍ଚର ସଂଜ୍ଞା ଅନ୍ୟମାନଙ୍କଠୁ ନିଆରା। ଏହି ନିଆରା ଅଭିଯାନର ନାଁ ରହିଛି ‘ସାଇକୋ ଥିଏଟର’। ବର୍ତମାନ ସୁଦ୍ଧା ‌ନାଟ୍ୟଚେତନାର କଳାକାରମାନେ ୧୦ହଜାର କିଲୋମିଟର ପଥ ସାଇକେଲ୍‌ରେ ଯାଇ ନାଟକ ପରିବେଷଣ କରିଛନ୍ତି। ୫୦ଟି ନାଟକ ପରିବେଷଣ କରିଥିବା ବେଳେ ୨୫୦୦ରୁ ଅଧିକ ସୋ’ ଭେଟି ଦେଇଛନ୍ତି। କୌଣସି ରେକର୍ଡ ରଚିବା ଉଦ୍ଦେଶ୍ୟରେ ନୁହେଁ, ବରଂ ଗାଁ’ରେ ନାଟକକୁ ପହଞ୍ଚାଇ ଗ୍ରାମୀଣ ଲୋକଙ୍କ ପାଖରେ ବଳିଷ୍ଠ ବାର୍ତା ପହଞ୍ଚାଇବା ପାଇଁ। ଶ୍ରୀ ପଟ୍ଟନାୟକଙ୍କ କହିବା ମୁତାବକ, ଦିନେ ସେ ନାଟକ କରିବା ପାଇଁ ରବୀନ୍ଦ୍ର ମଣ୍ଡପ ବୁକିଂ କରିଥିଲେ। କିନ୍ତୁ ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ସେଇ ନିର୍ଧାରିତ ଦିନରେ ତାଙ୍କୁ ରବୀନ୍ଦ୍ର ମଣ୍ଡପ ମଞ୍ଚ ମିଳିଲା ନାହିଁ। ସେଇଠୁ ତାଙ୍କ ପରିକଳ୍ପନାରୁ ଜନ୍ମ ନେଇଥିଲା ଏହିଭଳି ଅନ୍ତରଙ୍ଗ ରଙ୍ଗମଞ୍ଚ ଅଭିଯାନ। ତାଙ୍କ ମତରେ ଏହା ହେଉଛି ଭାରତୀୟ ଆଧୁନିକ ନାଟକର ରୂପ। ଗାଁ’ରୁ ଆରମ୍ଭ କରି ୟୁରୋପରେ ମଧ୍ୟ ଏଇ ଧରଣର ନାଟକ ପରିବେଷଣ କରି ପ୍ରଶଂସିତ ହୋଇଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର