୧୦ ହଜାର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର!

ଛାତ୍ରୀଙ୍କ ସହ ଖେଳୁଛି ରମାଦେବୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ୧୦ ହଜାର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ। ଗତକାଲି ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଏହା ଅଧୀନରେ ଥିବା ଯୁକ୍ତ ୩ କଲେଜଗୁଡ଼ିକରେ ଛାତ୍ରୀ ଅସନ୍ତୋଷ ଦାନା ବାନ୍ଧିଲାଣି। ଅଭିଭାବକ ଓ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ସମସ୍ତ ବିଶ୍ୱବିିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ସରିଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୪୬ଟି କଲେଜର ରେଜଲ୍ଟ କାହିଁକି ବାହାର କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି। କେଉଁ କାରଣ ପାଇଁ ଏଭଳି ବିଳମ୍ବ ହେଉଛି? କେବେ ବାହାରିବ ପରୀକ୍ଷାଫଳ? ସାର୍ଟିଫିକେଟ୍‌ କେବେ ଦିଆଯିବ? ତାହା ଜାଣିବା ପାଇଁ ଅଭିଭାବକ ବିଶ୍ୱବିଦ୍ୟାଳୟ ଦୌଡ଼ୁଥିଲେ ମଧ୍ୟ ଅଧିକାରୀମାନେ ମୁହଁ ଖୋଲିବାକୁ ନାରାଜ। ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। କେତେକ ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଶେଷ ହେଲାଣି। କିନ୍ତୁ ଏଠାକାର ଛାତ୍ରୀଙ୍କ ଫଳ ପ୍ରକାଶ ପାଇନଥିବାରୁ ସେମାନେ ଆବେଦନ କରି ପାରୁନାହାନ୍ତି। ଏମ୍‌.ଏସ୍‌ସି କରୁଥିବା ଜଣେ ଛାତ୍ରୀଙ୍କ ଅଭିଭାବକ କହିଛନ୍ତି ଯେ ପରୀକ୍ଷାଫଳ ପ୍ରକାଶ ପାଇନଥିବାରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଅନୁରୋଧ କରିବା ପରେ ସେମାନେ ଦୁଇ ଦିନ ସମୟ ଅଧିକ ଦେଇଥିଲେ। କିନ୍ତୁ ଏହି ସମୟରେ ରେଜଲ୍ଟ ବାହାରିଲା ନାହିଁ। ତେଣୁ ସେଠାରେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରୁ ମୋ ଝିଅ ବଞ୍ଚିତ ହୋଇଛନ୍ତି। ଯଦି ରେଜଲ୍ଟ ନ ବାହାରିଛି, ତେବେ ରମାଦେବୀ ବିଶ୍ୱବିିଦ୍ୟାଳୟ କୁଳପତି ଲିଖିତ ଆକାରରେ ଦେବା ପରେ ନାମ ଲେଖାଇବାକୁ ଅନୁମତି ଦେବୁ ବୋଲି ଅନ୍ୟ ବିଶ୍ୱବିଦ୍ୟାଳୟ କହୁଛନ୍ତି। ହେଲେ ଏଠାକାର ଅଧିକାରୀମାନେ ଧରାଛୁଆଁ ଦେଉନଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏହା ଅଧୀନରେ ଥିବା ଯୁକ୍ତ ୩ କଲେଜ ପରୀକ୍ଷାଫଳ ପ୍ରକାଶ ପାଉନଥିବାରୁ ଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଛି। ଗୋଟିଏ ପଟେ ରାଜ୍ୟ ସରକାର ନାରୀ ଶିକ୍ଷାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାକୁ ନେଇ ଶିକ୍ଷାବତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ୧୦ ହଜାରରୁ ଅଧିକ ଛାତ୍ରୀଙ୍କ ଭବିଷ୍ୟତ ସହ ରମାଦେବୀ କର୍ତୃପକ୍ଷ ଖେଳୁଛନ୍ତି। ପରୀକ୍ଷା ସରିବାକୁ ଦୁଇ ମାସ ହାଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫଳ ନ ବାହାରିବା ଦୁଃଖର ବିଷୟ। ନିର୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରିବାକୁ କୁଳାଧିପତି ତଥା ରାଜ୍ୟପାଳ ବାରମ୍ବାର କହୁଥିଲେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ତାହାର ବିପରୀତ ଦେଖିବାକୁ ମିଳୁଛି। ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ଅଜିତ କର କହିଛନ୍ତି ଯେ ଅଧୀନସ୍ଥ କଲେଜ ଛାତ୍ରୀଙ୍କ ଖାତା ମୂଲ୍ୟାୟନରେ ବିଳମ୍ବ ହୋଇଛି। ଯେଉଁ ସମୟରେ ଅଧ୍ୟାପକମାନେ ଖାତା ମୂଲ୍ୟାୟନ କରିଥାନ୍ତେ, ସେତେବେଳେ ସେମାନେ ଯୁକ୍ତ ୨ ଖାତା ଦେଖିଲେ। ତେଣୁ ବିଳମ୍ବ ହୋଇଛି। ତଥାପି ଆସନ୍ତା ୧୮ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ। ଯେଉଁମାନେ ଅନ୍ୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବେ, ସେମାନଙ୍କୁ ଆମେ ଲିଖିତ ଅନୁମତି ଦେଉଛୁ।

ସମ୍ବନ୍ଧିତ ଖବର