ଅଟକିଛି ପରିବହନ ନଗର

ବିଡିଏ/ଇଡ୍‌କୋ ୧୦୦ଏକର ଜମି ଚିହ୍ନଟ କରିବାର ଥିଲା, ୧୬ମାସ ହେଲା ଜମି ଚିହ୍ନଟ ପ୍ରକ୍ରିୟା ସରୁନି

ଭୁବ‌ନେଶ୍ବର: ରାଜଧାନୀକୁ ଦୈନିକ ପ୍ରାୟ ୧୫୦୦ରୁ ଅଧିକ ଟ୍ରକ୍‌ ଆସୁଥିବାବେଳେ ଏଗୁଡ଼ିକର ପାର୍କି˚ ଓ ସାମଗ୍ରୀ ଅନଲୋଡ୍‌ ପାଇଁ ଆବଶ୍ୟକୀୟ ସ୍ଥାନ ନାହିଁ। ଯେଉଁଥିପାଇଁ ଏବେ ବାହାର ରାଜ୍ୟରୁ ଆସୁଥିବା ଶହଶହ ଟ୍ରକ୍‌ ଦିନବେଳା ରାସ୍ତା କଡ଼ରେ ପାର୍କି˚ କରୁଛନ୍ତି। ଆଉ ରାତି ୧୦ଟା ପରେ ସହର ଭିତରେ ପଶୁଛନ୍ତି। ସହର ଭିତରେ ବଡ଼ ବଡ଼ ଟ୍ରକ୍‌ ପଶୁଥିବାରୁ ବହୁ ସତର୍କତା ଅବଲମ୍ବନ ସତ୍ତ୍ବେ ବି ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଏହି ସମସ୍ୟାର ମୁକାବିଲା ପାଇଁ ଭୁବନେଶ୍ବର ଉପକଣ୍ଠରେ ଏକ ପରିବହନ ନଗର ବା ଲଜିଷ୍ଟିକ୍ ପାର୍କ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଏହି ପରିବହନ ନଗର କେଉଁଠି ହେବ ତାହା ୧୬ମାସ ହେଲା ସ୍ଥିର ହୋଇପାରୁନି। ପରିବହନ ନଗର ପାଇଁ ପ୍ରାୟ ୧୦୦ ଏକର ଜମି ଆବଶ୍ୟକ ଥିବାବେଳେ ଏହି ଜମି ବିଡିଏ/ଇଡ୍‌କୋକୁ ଚିହ୍ନଟ କରିବାକୁ ଦାୟିତ୍ବ ଦିଆଯାଇଛି। ଏପରିକି ୧୭.୦୮.୨୦୧୭ରେ ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଇଡ୍‌କୋ, ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରିବହନ ନଗର ‌େନଇ ବିଭାଗ କ’ଣ ଯୋଜନା କରିଛି, କେଉଁଭଳି ସ୍ଥାନରେ କରିବାକୁ ଚାହୁଁଛି, କେତେ ଜମି ଆବଶ୍ୟକ, କେତେ ଗାଡ଼ି ପାର୍କିଂ ହୋଇପାରିବ ସେନେଇ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ, ଭୁବନେଶ୍ବର ଉପକଣ୍ଠରେ ପରିବହନ ନଗର ହେବ। ଏପରିକି ପ୍ରସ୍ତାବିତ କେତୋଟି ସ୍ଥାନ ଉପରେ ଆଲୋଚନା ହୋଇଥିଲା। ଏହାସହ ବିଡିଏ/ଇଡ୍‌କୋ ଖୁବ୍ ଶୀଘ୍ର ୧୦୦ ଏକର ଜମି ଚିହ୍ନଟ କରି ଦେବେ। କିନ୍ତୁ ଏହି ଆଲୋଚନାର ପ୍ରାୟ ୧୬ ମାସ ପରେ ବି ଜମି ଚିହ୍ନଟ ହୋଇପାରିଲାନି। ଜମି ଚିହ୍ନଟ ହୋଇ ନଥିବାରୁ ବାଣିଜ୍ୟ ଓ ପରିବହନ ବିଭାଗ ଅନୁସଚିବ ଏସ୍‌.କେ ଦାସ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଗତ ବୈଠକରେ ହୋଇଥିବା ନିଷ୍ପତ୍ତିି ଅନୁଯାୟୀ ଏପର୍ଯ୍ୟନ୍ତ ଜମି ଚିହ୍ନଟ ହେଲାନି। ଜମି ଚିହ୍ନଟ ପ୍ରକ୍ରିୟା କେତେ ଦୂର ଗଲା ଜଣାଇଲେ ବିଭାଗ ସେହି ଅନୁଯାୟୀ ପଦକ୍ଷେପ ନେବ।

ଦିନକୁ ରାଜଧାନୀକୁ ଆସୁଛି ୧୫୦୦ ଟ୍ରକ୍‌
ଜିଲ୍ଲା ପ୍ରଶାସନକୁ ଚନ୍ଦକା-ପିତାପଲ୍ଲୀ ରାସ୍ତାରେ ତିନିଟି ସ୍ଥାନର ପ୍ରସ୍ତାବ ଦିଆଯାଇଛି

ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚନ୍ଦକା-ପିତାପଲ୍ଲୀ ରାସ୍ତାରେ ପ୍ରାୟ ୧୦୦ଏକର ଜମିରେ ପରିବହନ ନଗର କରିବାକୁ ଯୋଜନା ହୋଇଥିଲା। କିନ୍ତୁ ସ୍ଥାନୀୟ ବାସିନ୍ଦା ଏହାର ବିରୋଧ କରିବାରୁ ଏନେଇ କିଛି ନିଷ୍ପତ୍ତି ହୋଇପାରିନି। ବିଡିଏ ପକ୍ଷରୁ ଚନ୍ଦକା ପିତାପଲ୍ଲୀ ରାସ୍ତାରେ ଥିବା ତିନିଟି ଜାଗା ଦେଖାଯାଇଛି। ଏଥିରେ ଦାସପୁରରେ ୮୦ଏକର ଜମି ଥିବାବେଳେ ଭଗବତୀପୁରରେ ୧୩୫ ଏକର ଏବ˚ ଜିରିଙ୍ଗାପୁଟରେ ୩୦୦ ଏକରରୁ ଅଧିକ ଜମି ଅଛି। ଏହାର ଫିଜିବିଲିଟି ଷ୍ଟଡି ଏବ˚ ଜମିର ଆବଶ୍ୟକତାକୁ ନଜରରେ ରଖି ଆମେ ଗୋଟିଏ ଜମି ଦେବାକୁ ସ୍ଥାନୀୟ ତହସିଲଦାର ଏବ˚ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ କହିଛୁ। ଆମକୁ ଜିଲ୍ଲା ପ୍ରଶାସନ ଜମି ନେଇ ସବୁଜ ସଂକେତ ଦେଲେ ଆମେ ପରିବହନ ବିଭାଗକୁ ଜଣାଇବୁ। ତେଣୁ କେଉଁ ଜମିରେ ପରିବହନ ନଗର ନିର୍ମାଣ ହେବ ତାହା ସ୍ଥିର ହୋଇନି। ଖୁବ୍ ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପ୍ରସ୍ତାବିତ ପରିବହନ ନଗରରେ ବଡ଼ ମାଲ୍‌ବାହୀ ଗାଡ଼ିଠାରୁ ଆରମ୍ଭ କରି ଟ୍ରକ୍‌, ଟିପର‌୍‌ ଓ ମିନି ଟ୍ରକ୍‌ ପର୍ଯ୍ୟନ୍ତ ସବୁ ରହିବାର ବ୍ୟବସ୍ଥା ହେବ। ପ୍ରାୟ ୨ହଜାର ଗାଡ଼ି ଏକସଙ୍ଗେ ପାର୍କି˚ କରିହେବ। ଏହାକୁ ଆନ୍ଧ୍ରପଦେଶ, ଛତିଶଗଡ଼, ନାଗପୁର, ନୂଆଦିଲ୍ଲୀ ଭଳି ସ୍ଥାନରେ ଥିବା ପରିବହନ ନଗର ଭଳି ନିର୍ମାଣ କରାଯିବ। ଏଠାରେ ପାର୍କି˚ଠାରୁ ଆରମ୍ଭ କରି ବିଶ୍ରାମସ୍ଥଳୀ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସୁବିଧା ରହିବ। ଡ୍ରାଇଭରଙ୍କ ପାଇଁ ଶୌଚାଳୟ ଏବ˚ ବିଶ୍ରାମସ୍ଥଳୀ ରହିବ, ଏକାଧିକ ପେଟ୍ରୋଲ ପମ୍ପ ରହିବ, ବ୍ୟାଙ୍କ, କ୍ୟାଣ୍ଟିନ୍‌, ଗ୍ୟାରେଜ୍‌, ଗୋଦାମ ଘର, ଶୀତଳ ଭଣ୍ତାର, ଭେଣ୍ତି˚ ଜୋନ୍‌, ବିଭିନ୍ନ ମୋଟର ଯନ୍ତ୍ରପାତି ଦୋକାନ, ସର୍ଭିସ୍‌ ସେଣ୍ଟର, ଡିସପେନସାରି ଆଦି ରହିବ। ବଡ଼ ବଡ଼ ଟ୍ରକ୍‌ରେ ଆସୁଥିବା ସାମଗ୍ରୀଗୁଡ଼ିକ ଏଠାରେ ଅନଲୋଡ୍‌ କରାଯିବ। ଏହାପରେ ଟାଟା ଏସିଇ, ୪୦୭, ମିନି ଟ୍ରକ୍‌ ଆଦିରେ ସହର ଭିତରକୁ ଅଣାଯିବ। ଏହି ପରିବହନ ନଗର ପିପିପି ମୋଡ୍‌ରେ ନିର୍ମାଣ କରିବାକୁ ଆପାତତଃ ସ୍ଥିର ହୋଇଛି। ଅପରପେକ୍ଷ ଭୁବନେଶ୍ବର ସାମଗ୍ରୀ ପରିବହନ ସ˚ଘ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବର ପାଇଁ ବସଷ୍ଟାଣ୍ତ୍‌ର ଯେତିକି ଆବଶ୍ୟକତା ନାହିଁ ତାହାଠାରୁ ଢେ଼ର‌୍‌ ଅଧିକ ପରିବହନ ନଗରର ଅଛି। ବସ୍‌ ଚାଳକ ରାସ୍ତା ଉପରେ ଲୋକଙ୍କୁ ଓହ୍ଲାଇ ଦେଉଛନ୍ତି ହେଲେ ଆମେ ତ ଟ୍ରକ୍‌ରେ ଆଣୁଥିବା ସାମଗ୍ରୀକୁ ରାସ୍ତା ଉପରେ ଗଦାଇ ଦେବୁନି। ପରିବହନ ଗ୍ରାମ ହେଲେ ରାଜଧାନୀକୁ ସୁବ୍ୟବସ୍ଥିତ ଢଙ୍ଗରେ ସାମଗ୍ରୀ ଯାତାୟାତ କରିହେବ। ଏବେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହର ଭିତରେ ଭାରୀ ଯାନ ବିଶେଷ କରି ଟ୍ରକ୍‌ ଚଳାଚଳ ବନ୍ଦ କରାଯାଇଛି। ଯେଉଁଥିପାଇଁ ରାଜଧାନୀ ଭିତରେ ଥିବା ବିଭିନ୍ନ ଗୋଦାମ, ସୋରୁମ୍‌ ଓ ଦୋକାନକୁ ବିଭିନ୍ନ ସାମଗ୍ରୀ ନେବା ଆଣିବା କରିବାରେ ଅସୁବିଧା ହେଉଛି। ଏପରିକି ବାହାର ରାଜ୍ୟରୁ ଏବ˚ ବନ୍ଦରରୁ ଆସୁଥିବା ସାମଗ୍ରୀଗୁଡ଼ିକୁ ଅନଲୋଡ୍‌ କରିବାକୁ ବି ଉପଯୁକ୍ତ ଜାଗା ନାହିଁ। ତେଣୁ ଦିନତମାମ୍‌ ଟ୍ରକ୍‌ଗୁଡ଼ିକ ସହର ବାହାରେ ରହୁଛି। ଟ୍ରକ୍‌ଗୁଡ଼ିକ ଅଧିକ ସମୟ ରହଣି କରୁଥିବାରୁ ବ୍ୟବସାୟୀମାନଙ୍କୁ ଭଡ଼ା ଅଧିକ ଦେବାକୁ ପଡ଼ୁଛି। ଏହାବାଦ୍‌ ଲୋକଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବାକୁ ଅଧିକ ସମୟ ବି ଲାଗୁଛି। ତେଣୁ ରାଜଧାନୀରେ ଏକ ପରିବହନ ନଗର କରିବାକୁ ଭୁବନେଶ୍ବର ସାମଗ୍ରୀ ପରିବହନ ସ˚ଘ ପକ୍ଷରୁ ବିଡିଏ କର୍ତ୍ତୃପକ୍ଷଙ୍କୁ ଦୀର୍ଘ ବର୍ଷ ହେଲା ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ୨୦୦ଏକର ଜମିର ପ୍ରସ୍ତାବ ଦିଆଯାଇଛି। ହେଲେ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇନଥିବାରୁ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ।

ସମ୍ବନ୍ଧିତ ଖବର