ଭୁବନେଶ୍ୱର : ଇସ୍କନ ମନ୍ଦିର ସମ୍ମୁଖରେ ଜାତୀୟ ରାଜପଥ ଉପରେ ଜମୁଥିବା ପାଣି ନିଷ୍କାସନ ପାଇଁ ବିଡିଏ-ବିଏମ୍ସିର ମିଳିତ ଟିମ୍ ଜୋରଦାର୍ ଉଦ୍ୟମ ଚଳାଇଛି। ବର୍ଷା ଜଳ ନିଷ୍କାସନରେ ଯେପରି ସମସ୍ୟା ନଉପୁଜିବ ସେଥିପାଇଁ ଆଜି ନୂଆପଲ୍ଲୀ ବେହେରା ସାହି ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ କରାଯିବା ସହ ୧୦୦ମିଟରର ଡ୍ରେନ୍ ଖୋଳା ଯାଇଛି। ଖୁବ୍ ଶୀଘ୍ର ଏଠାରେ ସ୍ଥାୟୀ ଡ୍ରେନ୍ ନିର୍ମାଣ କରାଯିବ। ସାଇଫନ୍ରୁ ପାଣି ବାହାରିବା ପରେ ଦୁଇଟି ଡ୍ରେନ୍ରେ ଯାଉଛି। ଭୋଇ ସାହି ପାର୍ଶ୍ୱରେ ପାଣି ସ୍ୱାଭାବିକ ପ୍ରବାହ ହେଉଥିବାବେଳେ ବେହେରା ସାହି ପାର୍ଶ୍ୱରେ ଡ୍ରେନ୍ ଉପରେ ଅବରୋଧ ଥିଲା। ଏପରିକି କେତେକ ସ୍ଥାନରେ ଡ୍ରେନ୍ ସଙ୍କୁଚିତ ହୋଇଯାଇଥିଲା। ଏହାକୁ ଆଜି ସଫା କରାଯାଇଛି। ସେହିପରି ଜାତୀୟ ରାଜପଥରେ ହରେକୃଷ୍ଣ ଖିମ୍ଜିରୁ ବେହେରା ସାହି ପର୍ଯ୍ୟନ୍ତ ଜବରଦଖଲ ବର୍ଷା ଜଳ ନିଷ୍କାସନରେ ବାଧକ ସାଜୁଥିଲା। ତେଣୁ ଆଜି ଏହାକୁ ଉଚ୍ଛେଦ କରାଯାଇଛି। ଜଣେ ବ୍ୟକ୍ତି ସରକାରୀ ଜମିରେ ପାଚେରି ନିର୍ମାଣ କରିଥିବାବେଳେ ଏହାକୁ ଆଜି ଭାଙ୍ଗି ଡ୍ରେନ୍ ଖୋଳା ଯାଇଛି। ଏହାଦ୍ୱାରା ବର୍ଷାଜଳ ସୁବିଧାରେ ମୁଖ୍ୟ ଡ୍ରେନ୍ ୧୦ରେ ମିଶିବ ବୋଲି କୁହାଯାଇଛି।
ଆଜିର ମିଳିତ ଉଚ୍ଛେଦ ସମୟରେ ବିଡିଏର ଅତିରିକ୍ତ କମିସନର ଭବାନୀ ଶଙ୍କର ଚଇନି ଏବଂ ବିଏମ୍ସି ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ।