କୁକୁଡ଼ା ଗବେଷଣାକୁ ଝଟ୍‌କା: ମରିଗଲେ ହଜାରେ କୁକୁଡ଼ା

ଭୁବନେଶ୍ବର: ବାତ୍ୟା ମାଡ଼ରେ କେଉଁଠି କାନ୍ଥ ପଡ଼ି ତ ଆଉ କେଉଁଠି ଗଛ ପଡ଼ି ଜୀବଜନ୍ତୁଙ୍କ ଜୀବନ ଯାଇଛି। ତାହାର ଏପର୍ଯ୍ୟନ୍ତ ତଦାରଖ ହୋଇନି। କେଉଁଠି କେତେ ପଶୁପକ୍ଷୀ ମଲେ ତାହାର ଖବର ବି କାହା ପାଖରେ ନାହିଁ। ଏଭଳି ସମୟରେ ଗତ ୧୦ ବର୍ଷ ମଧ୍ୟରେ ଅନେକ ବାଧାବିଘ୍ନ ଦେଇ ଆଗକୁ ବଢ଼ୁଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ପରିସରରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବ୍ୟାପକ କ୍ଷତି ହୋଇଛି। ବୃକ୍ଷଲତା, ଘର ତ ଭାଙ୍ଗିଛି। ତେବେ ସବୁଠାରୁ ବଡ଼ କ୍ଷତି ହେଉଛି ହଜା‌େରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ। ବାତ୍ୟା ପବନ ମାଡ଼ରେ ‌ଗ‌ବେଷଣା ପାଇଁ ଥିବା କୁକୁଡ଼ା ଓ ଚିଆଁଙ୍କ ଜୀବନ ଯାଇଛି। ଆଉ ଯେତିକି ପବନ ମାଡ଼ରୁ ବଞ୍ଚିଯାଇଛନ୍ତି ସେମାନଙ୍କ ଅବସ୍ଥା ବି ସଙ୍ଗିନ ହୋଇପଡ଼ିଛି। ଖାଦ୍ୟ ଓ ପାନୀୟ ଅଭାବରୁ ରାଜ୍ୟର ଏହି ପ୍ରମୁଖ କୁକୁଡ଼ା ଗବେଷଣା ପ୍ରତିଷ୍ଠାନରେ ଥିବା ସମସ୍ତ କୁକୁଡ଼ା ମରିଯିବାକୁ ବସିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଯେ ‌ଭୁବନେଶ୍ବର ସମେତ ପୁରୀ, ଜଗତ୍‌ସିଂହପୁର, କଟକ ଜିଲ୍ଲାର କୁକୁଡ଼ା ଚାଷୀଙ୍କ ନୂଆ କିସମ ଭେଟି ଦେଇଥିବା ଏହି କେନ୍ଦ୍ରରେ ଆଗକୁ ଗବେଷଣା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ବି ବାର୍ଡ ଫ୍ଲୁ ସମୟରେ କୁକୁଡ଼ା ଗବେଷଣା ବାଧାପ୍ରାପ୍ତ ହୋଇଥିଲା। ବନରଜା ପରି ବିରଳ ପ୍ରଜାତିର କୁକୁଡ଼ା‌ ସବୁ ଦିନ ଲାଗି ଲୋପ ପାଇଯାଇଥିଲା। ଏବେ ପୁଣିଥରେ ବିରଳ ପ୍ରଜାତିର କୁକୁଡ଼ା ସାତସପନ ହୋଇଯାଇଛି। କେବଳ ଏହି ଗବେଷଣା କେନ୍ଦ୍ର ନୁହେଁ। ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ଥିବା ଅନେକ କୁକୁଡ଼ା ଫାର୍ମ ବି ପ୍ରଭାବିତ ହୋଇଛି। ହଜାର ହଜାର କୁକୁଡ଼ା ଓ ଚିଆଁଙ୍କ ମୃତ୍ୟୁ ହୋଇଛି। ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବାକୁ ଯାଉଛି।

ଉତ୍କଳ ବିଶ୍ବବିଦ୍ୟାଳୟରେ ୨୦୦ କୋଟିର କ୍ଷତି
‘ଫନି’ ମାଡ଼ରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରାୟ ୨୦୦ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଆକଳନ ଅନୁଯାୟୀ ପ୍ରାଶାସନିକ କୋଠା, ବିଭିନ୍ନ ବିଭାଗର ବିଲ୍‌ଡିଂ, ରେସିଡେଣ୍ଟ କ୍ବାର୍ଟର୍ସ, ଲାଇବ୍ରେରି, ଅଡିଟୋରିୟମ୍‌, ସ୍ପୋର୍ଟସ କମ୍ପଲେକ୍ସ ମିଶି ପ୍ରାୟ ୭୫ କୋଟି ଟଙ୍କାର କ୍ଷତି ହୋଇଛି। ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ୨୫୦ ବିଦ୍ୟୁତ୍‌ ଖୁଣ୍ଟ ଓ କେବୁଲ କ୍ଷତିକୁ ମିଶାଇ ପ୍ରାୟ ୨୫ କୋଟି ଟଙ୍କା ହେବ। ୧୮ଟି ଲାବୋରେଟୋରିରେ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ନଷ୍ଟ ହୋଇଛି। ଗଛ ପଡ଼ି ହଷ୍ଟେଲଗୁଡ଼ିକରେ ପ୍ରାୟ ୨୦ କୋଟି ଟଙ୍କାର କ୍ଷତି ହୋଇଛି। ଛାତ୍ରୀନିବାସ ସମେତ କ୍ୟାମ୍ପସ ପାଚେରିକୁ ମିଶାଇ ପ୍ରାୟ ୨୦୦ କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ କ୍ୟାମ୍ପସକୁ ସଫେଇ କରାଯାଉଥିବା ବେଳେ ପାନୀୟ ଜଳ ଓ ବିଦ୍ୟୁତ୍‌ ଏବେ ସମସ୍ୟା ସୃଷ୍ଟି କରିଛି। ଏହାକୁ ନେଇ ଗତକାଲି ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଘେରିଥିଲେ। ବୁଝାସୁଝା‌ ପରେ ସ୍ଥିତିରେ ସୁଧାର ଆସିଥିଲା।

ଉଜୁଡ଼ିଗଲା ଏକାମ୍ର କାନନ
ପର୍ଯ୍ୟଟକଙ୍କ ଲାଗି ରାଜଧାନୀର ପ୍ରମୁଖ ଆକର୍ଷଣ ଏକାମ୍ରକାନନ ଏବେ ଉଜୁଡ଼ିଯାଇଛି। ଏହା ପରିସରରେ ଥିବା ହଜାର ହଜାର ଗଛ ମାଟିରେ ଲୋଟିପଡ଼ିଛି। ଅନେକ ଔଷଧୀୟ ବୃକ୍ଷ ବି ଲୋପ ପାଇଛି। ଜଗନ୍ନାଥ ବାଟିକା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଦିନେ ସବୁଜିମା ଭର୍ତ୍ତି ହୋଇଥିବା ଏକାମ୍ରକାନନ ଆଜି ଥୁଣ୍ଟା ପାର୍କ ପରି ଲାଗୁଛି। ନା ଲୋକଙ୍କ ଯିବା ଆସିବା ହେଉଛି ନା ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳୁଛି। ପ୍ରବେଶ ପଥରେ ଥିବା ପାଚେରି ଭୁଶୁଡ଼ିପଡ଼ିଛି। ସୌନ୍ଦର୍ଯ୍ୟକରଣ ଲାଗି ଲଗାଯାଇଥିବା ଗଛଗୁଡ଼ିକ ବି ନଷ୍ଟ ହୋଇଛି। କାକ୍‌ଟସ୍‌ ହାଉସ୍‌ ଛିନ୍‌ଛତ୍ର ହୋଇଥିବା ବେଳେ ବୋଟିଂ ବ୍ୟବସ୍ଥା ନଷ୍ଟ ହୋଇଛି।

ନଡ଼ିଆ ଗବେଷଣା ବାଧାପ୍ରାପ୍ତ
ଓୟୁଏଟି ପରିସରରେ ଥିବା ନଡ଼ିଆ ଗବେଷଣା କେନ୍ଦ୍ରରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୨୦୧୭-୧୮ରେ ଏହି କେନ୍ଦ୍ର ଦେଶର ଶ୍ରେଷ୍ଠ ନଡ଼ିଆ ଗବେଷଣା କେନ୍ଦ୍ର ଭାବେ ପୁରସ୍କୃତ ହୋଇଥିଲା। ତେବେ ‘ଫନି’ ମାଡ଼ରେ ଏହା ଧ୍ବଂସ ହୋଇଯାଇଛି। ୯୦ ପ୍ରତିଶତ ନଡ଼ିଆ ଗଛ କ୍ଷତିଗସ୍ତ ହୋଇଛି। ୧୦ ପ୍ରତିଶତ ଆଂଶିକ ପ୍ରଭାବ ପଡ଼ିଛି। ପୁନରୁଦ୍ଧାର ଲାଗି ୩ରୁ ୪ ବର୍ଷ ଲାଗିବ ବୋଲି ଏଠାକାର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ଶରତ ଚନ୍ଦ୍ର ସାହୁ କହିଛନ୍ତି। କେନ୍ଦ୍ରରେ ଥିବା ୮୫୦ ଗଛ ମଧ୍ୟରୁ ୩୦ରୁ ୩୫ ଭାଙ୍ଗିଛି ବା ଉପୁଡ଼ିପଡ଼ିଛି। ୧୫୦ ନଡ଼ିଆ ଗଛ ଶୋଇ ପଡ଼ିଛି ବୋଲି ସେ କହିଛନ୍ତି।

ଭାଙ୍ଗିପଡ଼ିଲା ୬୦୦ ଶାଗୁଆନ୍‌ ଗଛ
ଓୟୁଏଟି ଅଧୀନରେ ଥିବା ବେସିକ୍‌ ସାଇନ୍ସ କଲେଜ ବି ପ୍ରଭାବିତ ହୋଇଛି। କ୍ୟାମ୍ପସରେ ଥିବା ୬୦୦ରୁ ଅଧିକ ମୂଲ୍ୟବାନ ଶାଗୁଆନ ଗଛ ଭାଙ୍ଗିଯାଇଛି। କଲେଜର ଚାରିପାଖରେ ଥିବା ପାଚେରି ବି ପ୍ରଭାବିତ ହୋଇଛି। ୧୦୦ ମିଟରରୁ ଅଧିକ ପାଚେରି ଭାଙ୍ଗିପଡ଼ିବା ସହ କୋଠାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। କ୍ୟାମ୍ପସର ପୁନରୁଦ୍ଧାର ଲାଗି ବହୁ ବର୍ଷ ଲାଗିଯିବ ବୋଲି ଏହାର ଅଧ୍ୟକ୍ଷ ଡ. ବିକାଶ ଚନ୍ଦ୍ର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର